ବଦଳି ଯିବ ମହାନଦୀ କୂଳର ପରିବେଶ, ୧୩୧ ଏକର ଅଞ୍ଚଳ ପାଇଁ ନକ୍ସା ପ୍ରସ୍ତୁତ

Advertisment
ବଦଳି ଯିବ ମହାନଦୀ କୂଳର ପରିବେଶ, ୧୩୧ ଏକର ଅଞ୍ଚଳ ପାଇଁ ନକ୍ସା ପ୍ରସ୍ତୁତ

କଟକ : ମହାନଦୀ କୂଳରେ ଯୋବ୍ରା ବ୍ୟାରେଜ୍‌ଠାରୁ ଗଡ଼ଗଡିଆ ଘାଟ ଅଞ୍ଚଳ ପର୍ଯ୍ୟନ୍ତ ଅଞ୍ଚଳକୁ ନୂଆ ରୂପଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ମହାନଦୀ ଖନନରୁ ବାହାରି ଥିବା ବାଲି ପକାଯାଇ ପ୍ରସ୍ତୁତ ହୋଇଥିବା ୪୨୬ ଏକର ଅଞ୍ଚଳକୁ କିଭଳି ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳରେ ପରିଣତ କରାଯିବ, ସେ ଦିଗରେ ଉଦ୍ୟମ ଆରମ୍ଭ ହୋଇଛି। ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି)ଙ୍କ ନିର୍ଦ୍ଦେଶ ଅନୁସାରେ ୪୨୬ ଏକର ଅଞ୍ଚଳରୁ ୨୬୧ ଏକର ଜମିରେ ଘନ ଜଙ୍ଗଲ ସୃଷ୍ଟି କରାଯିବ। ପ୍ରତିବର୍ଷ ବାଲିଯାତ୍ରା ଆୟୋଜନ ପାଇଁ ୩୪ ଏକର ଅଞ୍ଚଳ ଖାଲି ରଖାଯିବ। ବାକି ୧୩୧ ଏକର ଜମିରେ ଜନସାଧାରଣଙ୍କ ମନୋରଂଜନ ପାଇଁ ପାର୍କ, ଖେଳପଡ଼ିଆ, ମୁକ୍ତାକାଶ ବ୍ୟାୟମଶାଳା, ପ୍ରାକୃତିକ ପୋଖରୀ, ବଟର ଫ୍ଲାଏ ପାର୍କ, ମୁକ୍ତାକାଶ ଅଡିଟୋରିୟମ୍‌ ସହ ବାୟୋଲୋଜିକାଲ ପାର୍କ (ଜୈବିକ ଉଦ୍ୟାନ) ସୃଷ୍ଟି କରାଯିବ। ଏନେଇ ଆଜି ସିଡ଼ିଏ ସମ୍ମିଳନୀ କକ୍ଷରେ ପ୍ରକଳ୍ପର ମାଷ୍ଟର ପ୍ଲାନ୍‌ ଉପରେ ଆଲୋଚନା କରାଯିବା ସହ ଉକ୍ତ ପ୍ରକଳ୍ପ କାର୍ଯ୍ୟକାରିତା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି।

publive-image TripAdvisor

ଯେଉଁ ୨୬୧ ଏକର ଅଞ୍ଚଳରେ ଜଙ୍ଗଲ ସୃଷ୍ଟି କରାଯିବ, ସେଥିରେ ବିଶେଷଭାବେ ଓଡ଼ିଶା ଓ କଟକ ଜଳବାୟୁରେ ବଢୁଥିବା ବିଭିନ୍ନ ପ୍ରକାରର ଗଛ ଲଗାଯିବ। ଯାହା ଏକ ପ୍ରାକୃତିକ ପରିବେଶ ସୃଷ୍ଟି କରିବା ସହ ବିଭିନ୍ନ ପ୍ରକାରର ପକ୍ଷୀଙ୍କ ପାଇଁ ବାସସ୍ଥାନ ହେବ। ଉକ୍ତ ଅଞ୍ଚଳରେ ୩ରୁ ୭ ବର୍ଷ ମଧ୍ୟରେ ଏହି ଜଙ୍ଗଲ ସୃଷ୍ଟି କରାଯିବ। ୧୩୧ ଏକର ଜମିରେ ସବୁ ବର୍ଗର ଲୋକଙ୍କ ମନୋରଂଜନ ପାଇଁ ବିଭିନ୍ନ ନିର୍ମାଣ କରାଯିବ। ପିଲାଙ୍କ ପାଇଁ ବଟର ଫ୍ଲାଏ ପାର୍କ, ଖେଳପଡ଼ିଆ, ମୁକ୍ତାକାଶ ବ୍ୟାୟମଶାଳା, ପାର୍କ, ପ୍ରାକୃତିକ ପୋଖରୀ, ମୁକ୍ତାକାଶ ଅଡିଟୋରିଅମ୍‌, ପାର୍କିଂ ସ୍ଥାନ, ମୁକ୍ତାକାଶ ମଞ୍ଚ ସହ ବାୟୋଲୋଜିକାଲ ପାର୍କ (ଜୈବିକ ଉଦ୍ୟାନ), ଫ୍ଲୋଟିଂ ବ୍ରିଜ୍‌, ଶୌଚାଳୟ ପରି ବିଭିନ୍ନ ନିର୍ମାଣ ହେବ। ଏହାସହ ଫୁଡ୍‌ ପାର୍କ, ମ୍ୟୁଜିକ୍‌ ପାର୍କ, ଲିଟ୍ରେଚର ପାର୍କ ନିର୍ମାଣ ହେବ। ବଟର ଫ୍ଲାଏ ପାର୍କରେ ବିଭିନ୍ନ ପ୍ରକାର ଫୁଲ ଗଛ ଲଗାଯାଇ ବିଭିନ୍ନ ପ୍ରଜାତିର ପ୍ରଜାପତିଙ୍କ ବାସ ସ୍ଥାନ କରିବାକୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ।

publive-image Image Courtesy of The New Indian Express

ଏନ୍‌ଜିଟିଙ୍କ ନିୟମ ଅନୁସାରେ ସମସ୍ତ ନିର୍ମାଣ କାମ ବାଉଁଶ, ତାଳ ଗଛ ଓ ଡବ୍ଲୁପିସି (ଉଡ୍‌ ପ୍ଲାଷ୍ଟିକ କ‌ମ୍ପୋଜିଟ୍‌) ସାମଗ୍ରୀରେ କରାଯିବ। ଏହାସହ ଆବଶ୍ୟକତା ଅନୁସାରେ ବିଭିନ୍ନ ଆକାରର ପଥରକୁ ନିର୍ମାଣ କାମରେ ବ୍ୟବହାର କରାଯିବ। ଜୈବ ବିବିଧତାକୁ ସୁରକ୍ଷା ଦେଇ ସମସ୍ତ ନିର୍ମାଣ କରାଯିବ। ଉକ୍ତ ସ୍ଥାନକୁ ଆସିବାକୁ ଥିବା ପର୍ଯ୍ୟଟକଙ୍କ ପାଇଁ ଏକାଧିକ ପାର୍କିଂ ସ୍ଥାନ ନିର୍ମାଣ ହେବ। ଯେଉଁଠାରେ ଶୌଚାଳୟ ସହ ପିଇବା ପାଣି ଓ ବେବି କେୟ‌ାର ସେଣ୍ଟର ପରି ସୁବିଧା ରହିବ। ଏହା ମଧ୍ୟରେ ବୁଲିବା ପାଇଁ ଇ-ବାଇସାଇକେଲ ଓ ଗାଡିର ବ୍ୟବସ୍ଥା କରାଯିବ। ତାହାକୁ ଟଙ୍କା ଦେଇ ଲୋକେ ବ୍ୟବହାର କରିପାରିବେ। ଏଥିସହ ସମସ୍ତ ବିଷୟ ଜାଣିବା ପାଇଁ ଏକ ସ୍ବତନ୍ତ୍ର ଆପ୍‌ ପ୍ରସ୍ତୁ୍ତ କରାଯିବ। ଅଞ୍ଚଳର ବିଭିନ୍ନ ସ୍ଥାନକୁ ୱାଇଫାଇ ବ୍ୟବସ୍ଥାରେ ରଖାଯିବ।

ମହାନଦୀ ପାଣି ଉପରେ ଏକ କିଲୋମିଟରରୁ ଅଧିକ ଲମ୍ବର ଏକ ଫ୍ଲୋଟିଂ ବ୍ରିଜ୍‌ ନିର୍ମାଣ ହେବ। ଯାହା ଉପରେ ପର୍ଯ୍ୟଟକ ମହାନଦୀ ପାଣି ଉପରେ ଚାଲିବାର ଆନନ୍ଦ ନେଇ ପାରିବେ। କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡ଼ିଏ)ର ଅଧ୍ୟକ୍ଷ ଅନୀଲ କୁମାର ସାମଲ ଓ ଉପାଧ୍ୟକ୍ଷ ତଥା କମିସନର ନିଖିଲ ପୱନ୍‌ କଲ୍ୟାଣଙ୍କ ଉପସ୍ଥିତିରେ ଉକ୍ତ ପ୍ରକଳ୍ପର ମାଷ୍ଟର ପ୍ଲାନ୍‌ ଉପରେ ଆଲୋଚନା ହୋଇଛି। ମାଷ୍ଟର ପ୍ଲାନ୍‌କୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଗୃହ ଓ ନଗର ଉନ୍ନୟନ ସଚିବଙ୍କ ନିକଟକୁ ପଠାଯିବ। ଅନୁମତି ମଳିବା ପରେ ଅଗଷ୍ଟ ମାସରେ ପ୍ରକଳ୍ପ ପାଇଁ ଟେଣ୍ଡର କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe