ବର୍ଷକ ପରେ ବସିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ସୁରକ୍ଷାକୁ ଗୁରୁତ୍ବ, ଧାଡ଼ି ଦର୍ଶନକୁ ମୋହର

ଗୋଟିଏ ବର୍ଷ ପରେ ଆଜି ବସିଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ବେଳେ ପୂର୍ବରୁ ରହିଥିବା ଏକାଧିକ ପ୍ରସ୍ତାବ ଉପରେ ମୋହର ବାଜିଛି।

jagannath temple-the financial express

ପୁରୀ: ଗୋଟିଏ ବର୍ଷ ପରେ ଆଜି ବସିଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ବେଳେ ପୂର୍ବରୁ ରହିଥିବା ଏକାଧିକ ପ୍ରସ୍ତାବ ଉପରେ ମୋହର ବାଜିଛି। ଧାଡ଼ି ଦର୍ଶନରୁ ଆରମ୍ଭ କରି ଦିବ୍ୟାଙ୍ଗଙ୍କ ପାଇଁ ରୢାମ୍ପ, ନାଟମଣ୍ଡପରେ ଏସି ଲଗାଇବା ଚୂଡ଼ାନ୍ତ ହୋଇଛି। ଏସି ଲଗାଇବା ପାଇଁ ଆଜି ଏଏସ୍‌ଆଇ କର୍ତ୍ତୃପକ୍ଷ ସ୍ବୀକୃତି ପ୍ରଦାନ କରିଛନ୍ତି। ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନ ଉଠିବା ପରେ ପ୍ରଥମ ଥର ପାଇଁ ଗଠନ ହୋଇଛି ସୁରକ୍ଷା ସବ୍‌କମିଟି। ପ୍ରଥମ ଥର ପାଇଁ ପରିଚାଳନା କମିଟି ସଦସ୍ୟ ହୋଇଥିବା ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ଏହି କମିଟି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବ।  

ଅନ୍ୟପଟେ ଧାଡ଼ି ଦର୍ଶନକୁ ସ୍ବୀକୃତି ଦେଇଛି ପରିଚାଳନା କମିଟି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ବ୍ୟବସ୍ଥାବଳୀ ପ୍ରସ୍ତୁତ କରିବ। ଏହି ଆଧାରରେ ଧାଡ଼ି ଦର୍ଶନ ଆରମ୍ଭ ହେବ। ତେବେ ଧାଡ଼ି ଦର୍ଶନ ଆରମ୍ଭ ପୂର୍ବରୁ ସୃଷ୍ଟି ହେବାକୁ ଥିବା ବିଶୃଙ୍ଖଳା ବାବଦରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ପରୀକ୍ଷାମୂଳକ ଭାବରେ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ନୀତି ଯେଭଳି ବ୍ୟାଘାତ ନ ହେବ, ଶୃଙ୍ଖଳିତ ଦର୍ଶନ, ଅଯଥା ଭିଡ଼ ଯେଭଳି ନ ହେବ, ସ୍ବତନ୍ତ୍ର ନୀତି ସମୟରେ ସମସ୍ୟା ଯେଭଳି ନ ଉପୁଜିବ, ସୁରକ୍ଷାରେ ବୁଝାମଣା ନ କରିବା, ଏ ସବୁକୁ ଆଖି ଆଗରେ ରଖି କମିଟି ଏସ୍‌ଓପି ପ୍ରସ୍ତୁତ କରିବ। ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରିବାକୁ ସ୍ବୀକୃତି ମିଳିସାରିଥିବାରୁ ଖୁବ୍‌ଶୀଘ୍ର ଏହି ବ୍ୟବସ୍ଥା କରାଯିବ। ଏଣୁ ଧାଡ଼ି ଦର୍ଶନରେ ଯାଉଥିବା ଭକ୍ତ ଏକ ସୁଖଦ ଅନୁଭବ ନେବେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। 

ପ୍ରଥମ ଥର ପାଇଁ ଗଠନ ହେଲା ସୁରକ୍ଷା ସବ୍‌କମିଟି
ଭୂସମ୍ପତ୍ତି ସୁରକ୍ଷା ପାଇଁ  ନିଯୁକ୍ତ ହେବେ ସ୍ବତନ୍ତ୍ର ଓକିଲ
ନୀତି ଶୃଙ୍ଖଳାକୁ ନେଇ ତନାଘନା, ଫେରିଲା ‘ବୁଧବାରିଆ କମିଟି’
ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ରୢାମ୍ପ୍‌

ପ୍ରଥମ ଥର ପାଇଁ ଗଠନ ହୋଇଥିବା ସୁରକ୍ଷା ସବ୍‌କମିଟି ସହ ୧୪ଟି ସବ୍‌କମିଟି ଗଠନ କରାଯାଇଛି। ଏଥିରେ ଚାରିଟି ସ୍ଥାୟୀ କମିଟି ଯଥା ନୀତି ସବ୍‌କମିଟି, ଅର୍ଥ ସବ୍‌କମିଟି, ରତ୍ନ ଭଣ୍ଡାର ସବ୍‌ କମିଟି, ଅପିଲ ସବ୍‌କମିଟି ରହିଛି। ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ହେଉଛି ନୀତି ସମନ୍ବୟ ସବ୍‌କମିଟି। ପୂର୍ବରୁ ଥିବା ବୁଧବାରିଆ କମିଟି ପୁଣି ଫେରିଛି। ପୂର୍ବରୁ ପ୍ରତ୍ୟେକ ବୁଧବାର ଏହି କମିଟି ବସୁଥିଲା। ନୀତିରେ କ’ଣ କେଉଁଠି ଅସୁବିଧା ହୋଇଛି ତାହା ଅନୁଧ୍ୟାନ କରି ସମସ୍ୟାର ସମାଧାନ ବାଟ ବାହାର କରନ୍ତି। କିନ୍ତୁ ବହୁଦିନ ହେବ ଏହି କମିଟି ବସୁନାହିଁ।  ଏବେ ଏହି କମିଟି ୭ ଦିନ ବ୍ୟବଧାନରେ ବସି ନୀତି ଅନୁଧ୍ୟାନ କରିବ। ଭୂସମ୍ପତ୍ତି ସୁରକ୍ଷା ପାଇଁ ସ୍ବତନ୍ତ୍ର ଓକିଲ ନିଯୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। 

ଗଜପତି ମହାରାଜା ଦୀଘା ମନ୍ଦିର ପ୍ରସଙ୍ଗକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ତା’ ଛଡ଼ା ଶ୍ରୀମନ୍ଦିର ଶବ୍ଦାବଳୀର ଅପବ୍ୟବହାର ନେଇ ମଧ୍ୟ ଆଲୋଚନା ହୋଇଥିଲା। ଇସ୍କନର ଅଦିନିଆ ରଥଯାତ୍ରାକୁ ଶ୍ରୀମନ୍ଦିର ପରିଚାଳନା କମିଟି ବିରୋଧ କରିଥିଲା। ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଇସ୍କନ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ। ମହାପ୍ରଭୁଙ୍କ ପର୍ବପର୍ବାଣି ଅଦିନିଆ ପାଳନ ଯେଭଳି ନହେବ ସେନେଇ ମଧ୍ୟ ପଦକ୍ଷେପ ନିଆଯିବ। ଗଜପତି ମହାରାଜା ୬ ତାରିଖ ଦିନ ଏ ନେଇ ନିଆଯାଇଥିବା ପଦକ୍ଷେପ ବାବଦରେ ସବିଶେଷ ବିବରଣୀ ପ୍ରଦାନ କରିବେ। ଅ-ତିଥିରେ ରଥଯାତ୍ରା କରାଯିବ ନାହିଁ ବୋଲି ରାଜ୍ୟ ସରକାରଙ୍କୁ ଅବଗତ କରାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ।  ମା’ ବିମଳା ମନ୍ଦିର ସେବକ ଓ ପରିବାର ସଦସ୍ୟଙ୍କୁ ଶ୍ରୀମନ୍ଦିର ସେବକ ସ୍ୱାସ୍ଥ୍ୟବୀମା ଯୋଜନାରେ ସାମିଲ ସଂପର୍କରେ ଆଲୋଚନା ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ସ୍ଥାପନ ହୋଇଥିବା କ୍ରସରର ବାର୍ଷିକ ପ୍ରଣାମୀ ହାର ବୃଦ୍ଧି କରାଯିବାକୁ ନିଷ୍ପତ୍ତି ହୋଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe