ଗର୍ଜନପାଣିରେ ୯ ଦିନ ହେଲା ଲାଗିଛି ମାଓ ପୋଷ୍ଟର

Advertisment

ଭୟରେ ଖୋଲୁନି ପୁଲିସ୍, ଭୟଭୀତ ଗ୍ରାମବାସୀ

ଭୟରେ ଖୋଲୁନି ପୁଲିସ୍, ଭୟଭୀତ ଗ୍ରାମବାସୀ

ଗର୍ଜନପାଣିରେ ୯ ଦିନ ହେଲା ଲାଗିଛି ମାଓ ପୋଷ୍ଟର

Public App

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଭଇଁଷାଦାନୀ ପଞ୍ଚାୟତ ଗର୍ଜନପାଣି ଗାଁରେ ଦୀର୍ଘ ୯ ଦିନ ହେଲା ମାଓ ପୋଷ୍ଟର ଲାଗିଛି। ମାଓବାଦୀଙ୍କ ଭୟରେ ପୁଲିସ୍ ସେଠାକୁ ଯାଉନଥିବା ବେଳେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଏମିତିକି ମାଓବାଦୀମାନେ ଗାଁକୁ ନଜରରେ ରହିଥିବା ଜଣାପଡିଛି।

ନୂଆପଡ଼ା ଜିଲ୍ଲାର ସୀମାନ୍ତ ଗାଁ ହେଉଛି ଗର୍ଜନପାଣି। ଏହା ଓଡ଼ିଶାର ଶେଷ ଗାଁ ହୋଇଥିବା ବେଳେ ଗାଁରୁ ମାତ୍ର ୧ କିମି ଦୂରତାରେ ଛତିଶଗଡ଼ ରାଜ୍ୟ ସୀମା ଲାଗିଛି। ଘ‌ଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବା ଗାଁରେ ପ୍ରାୟ ୨୦ ପରିବାରର ଶହେ ଲୋକ ବସବାସ କରୁଛନ୍ତି। ଭଇଁଷାଦାନୀ ପଞ୍ଚାୟତ କାର୍ଯ୍ୟାଳୟରୁ ଗାଁର ଦୂରତା ୨୫ କି.ମି.। ଗାଁକୁ ଯିବା ପାଇଁ କେବଳ ପଦଚଳା ରାସ୍ତା ରହିଛି। ଗାଁକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାର୍ଶ୍ବରେ ଉଚ୍ଚ ପାହାଡ଼ ରହିଛି। ପାଟଦର୍ହା ସିଆର୍‌ପିଏଫ୍‌ କ୍ୟାମ୍ପରୁ ମାତ୍ର ୧୭ କିମି ଦୂରରେ ଗାଁଟି ରହିଥିଲେ ବି ପୁଲିସ ସେଠାକୁ ଯିବାକୁ ସୁରକ୍ଷିତ ମଣୁନଥିବା ଚର୍ଚ୍ଚା ହେଉଛି। ଗାଁ ରାସ୍ତାର ଉଭୟ ପାର୍ଶ୍ବରେ ପାହାଡ଼ିଆ ରାସ୍ତା ଓ ଗାଁ ଚାରି ପାର୍ଶ୍ବରେ ଉଚ୍ଚ ପାହାଡ଼ ରହିଥିବାରୁ ପୁଲିସ୍‌ର କମ୍ବିଂ ଅପରେସନ ବେଳେ ଜବାନଙ୍କ ଜୀବନ ପ୍ରତି ବିପଦ ରହିଛି।

ଅନ୍ୟପକ୍ଷରେ ଗାଁର ଗାଁ ଚାରି ପାର୍ଶ୍ବରେ ମାଓବାଦୀମାନେ ବୋମା ଖଂଜି ରଖିଥିବା ବି ଆଶଙ୍କା କରାଯାଉଛି। ୯ ଦିନ ତଳେ ଦିନ ଦ୍ବିପ୍ରହରରେ ମାଓବାଦୀମାନେ ଗାଁକୁ ଆସି ୫ଟି ସ୍ଥାନରେ ୬ଟି ମାଓ ବ୍ୟାନର ଓ ପୋଷ୍ଟର ଲଗାଇ ଚାଲି ଯାଇଥିଲେ। ସେହିଦିନଠାରୁ ଗାଁରେ ମାଓ ଆତଙ୍କ ଲାଗିରହିଛି। ଗାଁରେ ପ୍ରଥମରୁ ପ‌ଞ୍ଚମ ପର୍ଯ୍ୟନ୍ତ ଏକ ସ୍କୁଲ ରହିଛି। ଏହି ସ୍କୁଲ ଗେଟରେ ମାଓ ପୋଷ୍ଟର ଲାଗିଥିବାରୁ ଭୟରେ ଶିକ୍ଷକ ଓ ଛାତ୍ରଛାତ୍ରୀ ସ୍କୁଲକୁ ଯାଉନାହାନ୍ତି। ଏବେ ୯ ଦିନ ହେବ ସ୍କୁଲରେ ତାଲା ଝୁଲୁଛି। କୋମଳମତି ପିଲାଙ୍କ ପାଠପଢ଼ା ବନ୍ଦ ରହିଛି। ଗାଁର ବହୁ ଲୋକ ଜୀବନ ଭୟରେ ଘରକୁ ଆସୁନଥିବାରୁ ମହିଳାମାନେ ପିଲାଛୁଆ ଧରି ଭୟଭୀତ ଅବସ୍ଥାରେ ରହିଛନ୍ତି। ସନ୍ଧ୍ୟା ପୂର୍ବରୁ ଜଙ୍ଗଲ ଘେରା ଗାଁରେ ତାଲା ପଡୁଛି। ଏମିତିକି କେହି ମଧ୍ୟ ଘରୁ ବାହାରିବା ପାଇଁ ସୁରକ୍ଷିତ ମଣୁନାହାନ୍ତି। ଗାଁ ଲୋକ ଏସ୍‌ପିଙ୍କୁ ଭେଟି ସୁରକ୍ଷା ଦେବାକୁ ଗୁହାରି କରିଥିଲେ ବି ପୁଲିସ୍‌ ଗାଁ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ତେବେ ପୁଲିସ୍ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେଇ ଗାଁରୁ ମାଓ ପୋଷ୍ଟର ହଟାଇବା ସହ ବନବାସୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe