ଆଜିଠୁ ମାଟ୍ରିକ୍ ଏସ୍‌ଏ-୧ ପରୀକ୍ଷା ଆରମ୍ଭ

Advertisment
ଆଜିଠୁ ମାଟ୍ରିକ୍ ଏସ୍‌ଏ-୧ ପରୀକ୍ଷା ଆରମ୍ଭ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆସନ୍ତାକାଲିଠାରୁ ଦଶମ ଶ୍ରେଣୀ ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ (ଏସ୍‌ଏ-୧) ପରୀକ୍ଷା ଆରମ୍ଭ ହେବ। ଏସ୍‌ଏ-୧ ପରୀକ୍ଷା ଦିନକୁ ଦୁଇଟି ସିଟିଂରେ ଅନୁଷ୍ଠିତ ହେବ। ପ୍ରଥମ ସିଟିଂ ସକାଳ ୧୦ଟାରୁ ୧୧ଟା ଓ ଦ୍ବିତୀୟ ସିଟିଂ ୧୨ଟାରୁ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ଚାଲିବ। ପରୀକ୍ଷାର୍ଥୀମାନେ ପ୍ରତି ବିଷୟ‌ରୁ ୫୦ ନମ୍ବର ଅବ୍‌ଜେକ୍ଟିଭ୍ ପ୍ରଶ୍ନପତ୍ର ପରୀକ୍ଷା ‌ଦେବେ ଓ ଏହାର ଉତ୍ତରକୁ ଓଏମ୍‌ଆର୍‌ ଫର୍ଦ୍ଦରେ ପୂରଣ କରିବେ। ପ୍ରତି ବିଷୟ ପାଇଁ ଏକ ଘଣ୍ଟା ସମୟ ରହିଥିବା ବେଳେ କେବଳ ଗଣିତ ପାଇଁ ଅତିରିକ୍ତ ୧୫ମିନିଟ୍ ରହିଛି। ପରୀକ୍ଷାର୍ଥୀ ସକାଳ ୯ଟାରୁ କେନ୍ଦ୍ରକୁ ପ୍ରବେଶ କରିବେ। ପରୀକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ପ୍ରତିଦିନ ପରୀକ୍ଷା ସରିବା ପରେ କେନ୍ଦ୍ରକୁ ସାନିଟାଇଜ୍ କରାଯିବ। ପରୀକ୍ଷା କେନ୍ଦ୍ରରେ ସାମାଜିକ ଦୂରତ୍ବ ଓ ମାସ୍କ ପରିଧାନ ଉପରେ ଗୁରୁତ୍ବ ଦିଆଯିବ। କେନ୍ଦ୍ର ବାହାରେ ଥର୍ମାଲ ସ୍କାନିଂ ସହ ପରୀକ୍ଷାର୍ଥୀଙ୍କର ହ୍ୟାଣ୍ଡ୍‌ ସାନିଟାଇଜ୍ କରାଯିବ। ମାସ୍କ ପିନ୍ଧି ନଥିବା ପରୀକ୍ଷାର୍ଥୀଙ୍କୁ ମାସ୍କ ‌ଯୋଗାଇ ଦିଆଯିବ ବୋଲି ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ବୋର୍ଡ ଦେଇଥିବା ସୂଚନା ଅନୁସାରେ, ଦଶମ ଶ୍ରେଣୀ ଏସ୍‌ଏ-୧ ପାଇଁ ୫ଲକ୍ଷ ୭୧ହଜାର ୯୩୫ ମାଟ୍ରିକ୍ ପରୀକ୍ଷାର୍ଥୀ ଓ ୩୭୩୧ଜଣ ମଧ୍ୟମା ପରୀକ୍ଷାର୍ଥୀ ଫର୍ମପୂରଣ କରିଛନ୍ତି। ଏସ୍‌ଏ-୧ ପରୀକ୍ଷା ରାଜ୍ୟର ୩୦୯୩ ଟି ପରୀକ୍ଷା କେନ୍ଦ୍ରରେ କରାଯିବ ଓ ପ୍ରଶ୍ନପତ୍ର ୩୧୧ଟି ନୋଡାଲ୍‌ ସେଣ୍ଟରରେ ରଖାଯାଇଛି। ପରୀକ୍ଷା ପରିଚାଳନା ପାଇଁ ଜିଲ୍ଲାସ୍ତରରେ ୬୨ଟି ଫ୍ଲାଇଙ୍ଗ୍ ସ୍କ୍ବାଡ୍ ଗଠନ କରାଯାଇଥିବା ବେଳେ ବୋର୍ଡ ପକ୍ଷରୁ ୪୦ଟି ସ୍ବତନ୍ତ୍ର ସ୍କ୍ବାଡ୍ ଗଠିତ ହୋଇଛି। ଏହାବ୍ୟତୀତ ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ସ୍କ୍ବାଡ୍ ଗଠନ କରାଯାଇଛି। ଏହି ପରୀକ୍ଷା ସଂକ୍ରାନ୍ତୀୟ ସମସ୍ତ ସୂଚନା ବୋର୍ଡ ୱେବ୍‌ସାଇଟ୍ www.bseodisha.ac.in ରେ ଛଡ଼ାଯାଇଛି।

ବୋର୍ଡ ପ୍ରଦତ୍ତ ଏସ୍‌ଏ-୧ କାର୍ଯ୍ୟସୂଚୀ ଅନୁସାରେ, ଜାନୁଆରି ୫ତାରିଖ ବୁଧବାର ପ୍ରଥମ ସିଟିଂରେ ପ୍ରଥମ ଭାଷା(ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ, ତେଲୁଗୁ), ଦ୍ବିତୀୟ ସିଟିଂରେ ଗଣିତ ପରୀକ୍ଷା ହେବ। ଜାନୁଆରି ୬ତାରିଖ ଗୁରୁବାର ପ୍ରଥମ ସିଟିଂରେ ସାମାଜିକ ବିଜ୍ଞାନ, ଦ୍ବିତୀୟ ସିଟିଂରେ ଦ୍ବିତୀୟ ଭାଷା(ଇଂରାଜୀ, ହିନ୍ଦୀ, ମୂକବଧିର ପିଲାଙ୍କ ପାଇଁ ପରିବେଶ ଓ ଜନସଂଖ୍ୟା ଶିକ୍ଷା), ଜାନୁଆରି ୭ତାରିଖ ଶୁକ୍ରବାର ପ୍ରଥମ ସିଟିଂରେ ବିଜ୍ଞାନ, ଦ୍ବିତୀୟ ସିଟିଂରେ ତୃତୀୟ ଭାଷା (ସଂସ୍କୃତ, ହିନ୍ଦୀ, ଓଡ଼ିଆ, ପାର୍ସି), ୮ତାରିଖ ଶନିବାର ଟିଏଲ୍‌ଭି ପ୍ରାକ୍ଟିକାଲ ପରୀକ୍ଷା ହେବ। ଦଶମ ଶ୍ରେଣୀ ମଧ୍ୟମା(ସଂସ୍କୃତ ଟୋଲ) ଏସ୍‌ଏ-୧ ପରୀକ୍ଷା ଜାନୁ୍ଆରି ୫ରୁ ଆରମ୍ଭ ହୋଇ ୮ ତାରିଖରେ ଶେଷ ହେ‌ବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe