ଉପନିର୍ବାଚନରେ ପରାଜୟ ପ୍ରସଙ୍ଗ: ଚିରଞ୍ଜୀବ ଓ ମୋକିମ୍‌ଙ୍କ ମୁଣ୍ଡରେ ଅଠା ବୋଳିଲା ଜିଲ୍ଲା କଂଗ୍ରେସ

Advertisment
ଉପନିର୍ବାଚନରେ ପରାଜୟ ପ୍ରସଙ୍ଗ: ଚିରଞ୍ଜୀବ ଓ ମୋକିମ୍‌ଙ୍କ ମୁଣ୍ଡରେ ଅଠା ବୋଳିଲା ଜିଲ୍ଲା କଂଗ୍ରେସ

ଝାରସୁଗୁଡା : ଝାରସୁଗୁଡ଼ା ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଜିଲ୍ଲା କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ଦୋଷ ଝାଡ଼ିଛି। ନିର୍ବାଚନର ଅବ୍ୟବହିତ ପୂର୍ବରୁ ଅର୍ଥାତ୍‌ ୭ ତାରିଖରେ ଭୁବନେଶ୍ୱରରେ ଦଳୀୟ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ ଦେଇଥିବା ମନ୍ତବ୍ୟ ଯୋଗୁଁ ଦଳ ଭୋଟ ହରାଇଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ। ଦଳୀୟ ଅନ୍ତଃକନ୍ଦଳ, ନିର୍ବାଚନ ପରିଚାଳନାରେ ତ୍ରୁଟି, ଅବ୍ୟବସ୍ଥା ଆଦି ପ୍ରସଙ୍ଗକୁ ଏଡ଼ାଇ ଯାଇ ଜିଲ୍ଲା କଂଗ୍ରେସ ଏବେ ଚିରଞ୍ଜୀବ ଓ ମୋକିମ୍‌ଙ୍କ ମୁଣ୍ଡରେ ପରାଜୟର ଅଠା ବୋଳି ଖସିଯିବାକୁ ଉଦ୍ୟମ କରିଛି। ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁ‌ଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରାର୍ଥୀ ତରୁଣ ପାଣ୍ଡେ, ଜିଲ୍ଲା କଂଗ୍ରେସର ପୂର୍ବ ଜିଲ୍ଲା କଂଗ୍ରେସ ସଭାପତି ଭରତ ଅବସ୍ତି, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶାହରୁଖ ଖାନ୍‌, ସାଧାରଣ ସମ୍ପାଦକ ପ୍ରଶାନ୍ତ ତ୍ରିପାଠୀ ଉପସ୍ଥିତ ଥିଲେ।

ନିର୍ବାଚନ ପୂର୍ବରୁ ଦଳୀୟ ନେତାଙ୍କ ଏଭଳି ମନ୍ତବ୍ୟ ଯୋଗୁଁ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ଜିଲ୍ଲା କଂଗ୍ରେସ। ଚିରଞ୍ଜୀବ ବିଶ୍ୱାଳ ଓ ତାଙ୍କ ଭାଇଙ୍କୁ ଦଳ ସ୍ୱୀକୃତି ଦେଇ ବିଭିନ୍ନ ପଦ ପଦବିରେ ବସାଇଥିଲା। ସବୁଆଡୁ ବିଫଳ ହେବା ପରେ ଚିରଞ୍ଜୀବ ବାବୁ ଦଳରେ ରହି ଦଳକୁ ଆକ୍ଷେପ କରିବା ନିନ୍ଦନୀୟ ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମିଶ୍ର। ଏହାବାଦ ବିଧାୟକ ମହମ୍ମଦ ମୋକିମ ମଧ୍ୟ ପିସିସି ସଭାପତି ପଦ ନପାଇବାରୁ ଏଭଳି ଦଳ ବିରୋଧୀ ମନ୍ତବ୍ୟ ଦେଉଥିବା ଜିଲ୍ଲା କଂଗ୍ରେସ ଅଭିଯୋଗ ଆଣିଛି। କେବଳ ସେତିକି ନୁହେଁ, ବରଂ ଉଭୟ ନେତା ଅନ୍ୟ ଦଳ ସହ ମିଶି ଉପନିର୍ବାଚନ ପୂର୍ବରୁ ଏଭଳି ମନ୍ତବ୍ୟ ଦେବା ଦଳ ପାଇଁ ବେଶ୍‌ କ୍ଷତିକାରକ ହୋଇଛି ବୋଲି କହିଛନ୍ତି ଶ୍ରୀ ମିଶ୍ର। ମୋକିମ୍‌ଙ୍କ ଉକ୍ତ ବୈଠକରେ ବିଜେଡି ନେତା ସୌମ୍ୟରଂଜନ ପଟ୍ଟନାୟକଙ୍କ ବକ୍ତବ୍ୟକୁ ମଧ୍ୟ ଜିଲ୍ଲା କଂଗ୍ରେସ ସମାଲୋଚନା କରିଛି। କଂଗ୍ରେସର ଏଭଳି ସ୍ଥିତିରେ ଅନ୍ତତଃ ନେତାମାନେ ଏଭଳି ମନ୍ତବ୍ୟ ଦେଇ କଂଗ୍ରେସର ଯୁବନେତାଙ୍କ ମନୋବଳକୁ ଭାଙ୍ଗନ୍ତୁ ନାହିଁ ବୋଲି ଆହ୍ବାନ ଦିଆଯାଇଛି। ଝାରସୁଗୁଡ଼ା ଉପନିର୍ବାଚନରେ ମାଟିର ପୁଅ ସ୍ଲୋଗାନ ଦେଇ କଂଗ୍ରେସ ମଇଦାନକୁ ଓହ୍ଲାଇଥିଲା; କିନ୍ତୁ ଲୋକେ ମାଟିର ପୁଅ ଆଗରେ ସମ୍ବଳକୁ ପ୍ରାଧାନ୍ୟ ଦେଇଥିବା ଅଭିଯୋଗ କରିଛନ୍ତି ପରାଜିତ ପ୍ରାର୍ଥୀ ତରୁଣ ପାଣ୍ଡେ। ତଥାପି ଜନମତକୁ ସ୍ବୀକାର କରି ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ଶ୍ରୀ ପାଣ୍ଡେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe