ରାଜ୍ୟ ସରକାର ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସେହି ସମୟରେ ଓଡ଼ିଶାର ରୂପରେଖ କିଭଳି ରହିବ ତାହାର ଏକ ସ୍ପଷ୍ଟ ନକ୍ସା ଆଙ୍କିଛି ଓଡ଼ିଶା ଗଣମାଧ୍ୟମ। ଆଜି ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୫ରେ ଗଣମାଧ୍ୟମ ସମ୍ପାଦକମାନଙ୍କୁ ନେଇ ଆୟୋଜନ କରାଯାଇଥିବା ଏକ ଅଧିବେଶନରେ ରାଜ୍ୟର ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥାର ସମ୍ପାଦକ, ବାର୍ତ୍ତା ସମ୍ପାଦକ ଓ ବରିଷ୍ଠ ସାମ୍ବାଦିକମାନେ ଯୋଗଦେଇ ସରକାରଙ୍କୁ ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ପାଇଁ ଅନେକ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ରାଜ୍ୟର ଅର୍ଥନୀତିରେ ସେବା କ୍ଷେତ୍ରର ଅବଦାନ ବଢ଼ାଇବା, ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, କୁପୋଷଣ ଦୂର କରିବା, ମହିଳାମାନଙ୍କୁ ସବୁ ଦୃଷ୍ଟିରୁ ସଶକ୍ତ କରିବା, ରାଜ୍ୟର ଅଖଣ୍ଡତା ବଜାୟ ରଖିବା ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍ଏସ୍ଏମ୍ଇ)କୁ ପ୍ରାଧ୍ୟାନ ଦେବା ଲାଗି ସେମାନେ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ।
କୃଷି କ୍ଷେତ୍ରର ବିକାଶ ଲାଗି ପ୍ରତି ପଞ୍ଚାୟତକୁ ଏକ ୟୁନିଟ୍ ଭାବେ ବିଚାର କରିବା, ରାଜନୈତିକ ବ୍ୟାକରଣରେ ଜଳବାୟୁ ପରିବର୍ତ୍ତନକୁ ସାମିଲ କରିବା, ଗାଁରୁ ସହରକୁ ହେଉଥିବା ସ୍ଥାନାନ୍ତରଣ ରୋକିବା, ଗରିବ ସଂଖ୍ୟା କମୁଥିବା ବେଳେ କଲ୍ୟାଣକାରୀ ଯୋଜନାର ହିତାଧିକାରୀମାନଙ୍କ ସଂଖ୍ୟା କିଭଳି ବଢ଼ୁଛି ତାହାର ଅନୁଶୀଳନ କରିବା, ଅଖଣ୍ଡ ଓଡ଼ିଶାର ସୁରକ୍ଷାକୁ ସୁନିଶ୍ଚିତ କରିବା, ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ପଢ଼ାଇବା, ଗାଁ ଓ ସହରର ନୂଆ ପରିଭାଷା ନିର୍ଧାରଣ କରିବା, କୁପୋଷଣର ମୁକାବିଲା, ଆଦିବାସୀ ଓ ଜନଜାତିଙ୍କ ବିକାଶ ଏବଂ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ଆଣିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ଗଣମାଧ୍ୟମ ପ୍ରତିନିଧିମାନେ ସରକାରଙ୍କୁ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମର ସଂଯୋଜନା କରି ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ କହିଥିଲେ ଯେ ରାଜ୍ୟ ଜନସଂଖ୍ୟାରେ ୩୪ ପ୍ରତିଶତ ହେଉଛନ୍ତି ଯୁବବର୍ଗ। ଗତ ୨୦ ବର୍ଷ ମଧ୍ୟରେ ପ୍ରଯୁକ୍ତି ଓ ଗଣମାଧ୍ୟମରେ ଅନେକ ପରିବର୍ତ୍ତନ ଘଟିଛି। ଏଭଳି ଏକ ସମୟରେ ଗଣମାଧ୍ୟମର ମହତ୍ତ୍ବ ପୂର୍ବାପେକ୍ଷା ବହୁତ ବଢ଼ିଯାଇଛି। ଲୋକମାନଙ୍କ ଯେଉଁ ଆକାଂକ୍ଷା ଓ ଅଭିଳାଷ ରହିଛି ତାହାକୁ ଗଣମାଧ୍ୟମ ଉପସ୍ଥାପନ କରିବା ଦରକାର ବୋଲି ସେ କହିଥିଲେ। ୨୦୩୬ରେ ଓଡ଼ିଶା ପାଇଁ ସରକାର ଯେଉଁ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରୁଛନ୍ତି ସେଥିପାଇଁ ସମାଜର ବିଭିନ୍ନ କ୍ଷେତ୍ରରୁ ୩ ଲକ୍ଷ ୨୦ ହଜାରରୁ ଅଧିକ ମତାମତ ପହଞ୍ଚିଛି। ତାହାକୁ ଖୁବ୍ଶୀଘ୍ର ଜାରି କରାଯିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଡ. ରାଜାରାମ ଶତପଥୀ, ପ୍ରସନ୍ନ ମହାନ୍ତି, ସମାଜର ପ୍ରକାଶକ ଡ. ପ୍ରଭାସ ଆଚାର୍ଯ୍ୟ, ଅର୍ଗସ ଟିଭିର ସମ୍ପାଦକ ସଞ୍ଜୟ ଜେନା, ଦି ନିଉ ଇଣ୍ଡିଆନ୍ ଏକ୍ସପ୍ରେସ୍ର ରେସିଡେଣ୍ଟ ଏଡିଟର ଶିବ ମହାନ୍ତି, ସମ୍ବାଦ ଓ କନକ ନିଉଜ୍ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ, ଓଟିଭିର କାର୍ଯ୍ୟନିର୍ବାହୀ ସମ୍ପାଦକ ରାଧାମାଧବ ମିଶ୍ର ଓ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ଅଂଶଗ୍ରହଣ କରି ସମୃଦ୍ଧ ଓଡ଼ିଶା ସମ୍ପର୍କିତ ନିଜ ଭାବନା ପ୍ରକାଶ କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସମାଲ ଧନ୍ୟବାଦ ଅର୍ପଣ କରିଥିଲେ।
Follow Us