ରାଜ୍ୟ ଆଇନ ସେବା ଭବନରେ ଉଦଘାଟିତ ହେଲା ମଧ୍ୟସ୍ଥତା କେନ୍ଦ୍ର

Advertisment
ରାଜ୍ୟ ଆଇନ ସେବା ଭବନରେ ଉଦଘାଟିତ ହେଲା ମଧ୍ୟସ୍ଥତା କେନ୍ଦ୍ର

କଟକ: ରାଜ୍ୟ ଆଇନ ସେବା ଭବନରେ ଉଦଘାଟିତ ହେଲା ମଧ୍ୟସ୍ଥତା କେନ୍ଦ୍ର। ଆଜି ସୁପ୍ରିମକୋର୍ଟ ଵିଚାରପତି ଜଷ୍ଟିସ ଏ ଏମ ଖାନଉଇଲକର ଓ ଜଷ୍ଟିସ ଏ ଏସ ବୋପାନ୍ନାଙ୍କ ଦ୍ବାରା ଏହା ଉଦଘାଟିତ ହୋଇଯାଇଛି । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ମଧ୍ୟ ଉପସ୍ଥିତ ଥିବା ସୂଚନା ମିଳିଛି ।
ଗତ ସେପ୍ଟେମ୍ବର ୨୫ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା ଏହାକୁ ଲୋକାର୍ପିତ କରିଥିଲେ । ଆଇନ ସେବାରୁ ବଞ୍ଚିତ ହେଉଥିବା ଜନସାଧାରଣଙ୍କୁ ଏହି ଭବନ ଆଇନ ସେବା ଯୋଗାଇବ । ମାମଲାରେ ଓକିଲ ଦେଇ ପାରୁ ନଥିବା ପକ୍ଷଙ୍କୁ ମାଗଣାରେ ଓକିଲ ଯୋଗାଇବ ଏହି ଭବନ । ଆଇନ ସେବା ପ୍ରାଧିକରଣର ନିଜସ୍ୱ ବିଲ୍ଡିଂ ହେଉଛି ଆଇନ ସେବା ଭବନ।
ଓଡ଼ିଶା ଜୁଡିସିଆଲ ଏକାଡେମିରେ ମଧ୍ୟସ୍ଥତା କେନ୍ଦ୍ରର ଉଦଘାଟନୀ ସମାରୋହ ଓ ୪୦ ଘଣ୍ଟିଆ ମଧ୍ୟସ୍ଥତା ଟ୍ରେନିଂ କର୍ମଶାଳା ଆୟୋଜିତ ହୋଇଥିଲା। ହାଇକୋର୍ଟ ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ ମୁରଲୀଧର ଅଭିଭାଷଣରେ କହିଛନ୍ତି ଯେ, ଓଡିଶା ହାଇକୋର୍ଟରେ ପ୍ରଥମ ଥର ପାଇଁ ଦୁଇଟି ସ୍ଥାୟୀ ଲୋକ ଅଦାଲତ ବେଞ୍ଚ ଗଠିତ ହୋଇଛି। ଓଡିଶା ଜନସାଧାରଣଙ୍କୁ ଏହା ସହଜରେ ନ୍ୟାୟ ପ୍ରଦାନରେ ସହାୟକ ହୋଇ ପାରିବ। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ ଏସ ବୋପାନ୍ନା ଏହି କର୍ମଶାଳାରେ ଉପସ୍ଥିତ ଟ୍ରେନର ଓ ଟ୍ରେନିଂ ଆଇନଜୀବୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ମଧ୍ୟସ୍ଥତା ମାମଲାର ସଂଖ୍ୟା କମାଇବାରେ ସହାୟକ ହେବା ସହ ଉଭୟ ପକ୍ଷଙ୍କୁ ନ୍ୟାୟ ପାଇବାରେ ସାହାଯ୍ୟ କରିବ।
ଉଦଘାଟନୀ ସମାରୋହର ମୁଖ୍ୟ ଅତିଥି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ ଏମ ଖାନଉଇଲକର କହିଛନ୍ତି ଯେ, ମଧ୍ୟସ୍ଥତା କିଛି ନୂଆ ବ୍ୟବସ୍ଥା ନୁହେଁ। ଯୁଗ ଯୁଗ ଧରି ଏହି ବ୍ୟବସ୍ଥାରେ ନ୍ୟାୟ ପ୍ରଦାନ କରାଯାଉଛି। ବୈଦିକ ଯୁଗରେ ମଧ୍ୟ ମଧ୍ୟସ୍ଥତା ମାଧ୍ୟମରେ ନ୍ୟାୟ ପ୍ରଦାନ କରାଯାଉଥିଲା। ଓଡିଶାକୁ ଏହା ତାଙ୍କର ପଞ୍ଚମ ଗସ୍ତ ବୋଲି ଜଷ୍ଟିସ ଏ ଏମ ଖାନଉଇଲକର କହିଥିଲେ। ଓଡ଼ିଶାର ବାଲେଶ୍ଵର ଓ କଟକରେ ୧୯୫୫ ମସିହାରୁ ମାମଲା ବିଚାରଧୀନ ହୋଇ ରହିଛି। ମଧ୍ୟସ୍ଥତା କେନ୍ଦ୍ର ସଠିକ ଭାବେ କାର୍ଯ୍ୟ କଲେ ଏଭଳି ଚିତ୍ରରେ ପରିବର୍ତ୍ତନ ଆସି ପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ମଧ୍ୟସ୍ଥତା କେନ୍ଦ୍ର କେବଳ ହାଇକୋର୍ଟ ସ୍ତରରେ କରିଦେଲେ ହେବ ନାହିଁ ତାଲୁକ ସ୍ତରରେ ମଧ୍ୟ ମଧ୍ୟସ୍ଥତା କେନ୍ଦ୍ର ଖୋଲି ଆପୋଷ ସମାଧାନ ଉଦ୍ୟମ ହେବା ଆବଶ୍ୟକ। କେଉଁ ମାମଲା ମଧ୍ୟସ୍ଥତା କେନ୍ଦ୍ରକୁ ଯିବ ତାହା ବିଚାରପତି ମାନେ ହିଁ ସଠିକ ଭାବେ ନିଷ୍ପତ୍ତି ନେଇ ପାରିବେ। ସେହିଭଳି ମାମଲା ମଧ୍ୟସ୍ଥତା କେନ୍ଦ୍ରକୁ ଗଲେ ଜୁଡିସିଆରି ଉପରୁ ଚାପ କମି ପାରିବ। ଓଡ଼ିଶାରେ ମାମଲା ରୁଜୁ କରୁଥିବା ପକ୍ଷମାନେ ମାମଲାକୁ ଅଧିକ ଦିନ ଧରି ଗଡ଼ାଇ ଚାଲିବା ଅପେକ୍ଷା ଆପୋଷ ସମାଧାନ ପାଇଁ ଅଧିକ ଶ୍ରେୟ ମଣିବେ ବୋଲି ଜଷ୍ଟିସ ଏ ଏମ ଖାନଉଇଲକର ମତବ୍ୟକ୍ତ କରିଥିଲେ।

ଶେଷରେ ହାଇକୋର୍ଟ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଆଡଭୋକେଟ ଜେନେରାଲ ଅଶୋକ ପରିଜା, ହାଇକୋର୍ଟର ବହୁ ବରିଷ୍ଠ ଆଇନଜୀବୀ, ହାଇକୋର୍ଟ ବାର ଆସୋସିଏସନର ସଭାପତି, ସମ୍ପାଦକଙ୍କ ସମେତ କଟକ ଜିଲ୍ଲାପାଳ ଓ ସିଏମସି କମିସନର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe