ସ୍ବାସ୍ଥ୍ୟସେବାର ଅଲୋଡ଼ା ଚିତ୍ର: ୧୪ ମେଡିକ‌‌ାଲ କଲେଜରେ ଖାଲିପଡ଼ିଛି ୧୦୪ ପ୍ରଫେସର୍‌ ପଦ

ରାଜ୍ୟରେ ଗୋଟିଏ ପରେ ଗୋଟିଏ ମେଡିକାଲ କଲେଜ ଖୋଲୁଛି। ହେଲେ ସବୁଠି ବିଶେଷଜ୍ଞ ଡାକ୍ତରଙ୍କ ଅଭାବ। ରାଜ୍ୟର ୧୪ଟି ମେଡିକାଲ କଲେଜରେ ବର୍ତ୍ତମାନ ୧୦୪ ପ୍ରଫେସର୍‌, ୩୪୦ ଆସୋସିଏଟ୍‌ ପ୍ରଫେସର୍‌ ଓ ୫୦୬ ଆସିଷ୍ଟାଣ୍ଟ ପ୍ରଫେସର୍‌ ପଦ ଖାଲିପଡ଼ିଛି।

Approved the proposed amendments to the Medical and Health Care Regulations 2017

Approved the proposed amendments to the Medical and Health Care Regulations 2017

ସୀମନ୍ତିକା ନନ୍ଦ
କଟକ: ରାଜ୍ୟରେ ଗୋଟିଏ ପରେ ଗୋଟିଏ ମେଡିକାଲ କଲେଜ ଖୋଲୁଛି। ହେଲେ ସବୁଠି ବିଶେଷଜ୍ଞ ଡାକ୍ତରଙ୍କ ଅଭାବ। ରାଜ୍ୟର ୧୪ଟି ମେଡିକାଲ କଲେଜରେ ବର୍ତ୍ତମାନ ୧୦୪ ପ୍ରଫେସର୍‌, ୩୪୦ ଆସୋସିଏଟ୍‌ ପ୍ରଫେସର୍‌ ଓ ୫୦୬ ଆସିଷ୍ଟାଣ୍ଟ ପ୍ରଫେସର୍‌ ପଦ ଖାଲିପଡ଼ିଛି। ଅନ୍ୟପଟେ, ରାଜ୍ୟର ସବୁଠାରୁ ବଡ଼ ରେଫ୍‌ରାଲ ହସ୍ପିଟାଲ୍‌-କଟକ ବଡ଼ଡାକ୍ତରଖାନାରେ ବି ଖାଲିପଡ଼ିଛି ଅନେକ ଡାକ୍ତର, ନର୍ସ ଓ ପାରାମେଡିକାଲ ପଦବି। ରାଜ୍ୟର ୧୪ଟି ମେଡିକାଲ କଲେଜରେ ୩୪୯ଜଣ ପ୍ରଫେସରଙ୍କ ସ୍ଥାନରେ ୨୪୫ ଜଣ ଥିବାବେଳେ ୧୦୪ ପଦ ଖାଲିପଡ଼ିଛି। ସେହିପରି ୫୧୫ ଆସୋସିଏଟ୍‌ ପ୍ରଫେସରଙ୍କ ସ୍ଥାନରେ ୧୭୫ଜଣ ଥିବାବେଳେ ୩୪୦ ପଦ ଖ‌ାଲିପଡ଼ିଛି। ୯୪୦ ଆସିଷ୍ଟାଷ୍ଟ ପ୍ରଫେସରଙ୍କ ସ୍ଥାନରେ ୪୩୪ ଜଣ ଅଛନ୍ତି ଓ ୫୦୬ ପଦବି ଖାଲିପଡ଼ିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଧାରିତ ସମୟ ଭିତରେ ଡିପାର୍ଟମେଣ୍ଟାଲ ପ୍ରମୋସନାଲ୍‌ କମିସନ୍‌ (ଡିପିସି) ବସୁ ନଥିବାରୁ ଏସ୍‌ସିବି ସମେତ ରାଜ୍ୟର ସମସ୍ତ ମେଡିକାଲ କଲେଜରେ ଖାଲିପଡୁଛି ପ୍ରଫେସର ପଦ। ଡିପିସି ନିୟମିତ ହେଉ ନଥିବାରୁ ଟାଇମ୍‌ ବାଉଣ୍ଡ କ୍ୟାରିୟର୍‌ ଆଡ୍‌ଭାନ୍ସମେଣ୍ଟ(ଟିବିସିଏ)ବ୍ୟବସ୍ଥା ମଧ୍ୟ ଠିକ୍‌ରେ କାର୍ଯ୍ୟକାରୀ ହୋଇପାରୁନି। ବର୍ତ୍ତମାନ ଏସ୍‌ସିବିର ହେମାଟୋଲୋଜି, ରେଡିଓଲୋଜି, ପାଥୋଲୋଜି, ଟ୍ରାନ୍ସଫ୍ୟୁଜନ୍‌ ମେଡିସିନ୍‌, ଗ୍ୟାଷ୍ଟ୍ରୋ-ସର୍ଜରି, ନେଫ୍ରୋଲୋଜି, ବାୟୋକେମିଷ୍ଟ୍ରି ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗଗୁଡ଼ିକ ପ୍ରଫେସର୍‌ଶୂନ୍ୟ। ହେଲେ, ଏହି ବିଭାଗଗୁଡିକରେ ପ୍ରଫେସର ଥିବା ଦର୍ଶାଇବା ପାଇଁ, ବିଶେଷ କରି ନ୍ୟାସନାଲ ମେଡିକାଲ କମିସନ୍‌(ଏନ୍‌ଏମ୍‌ସି)କୁ ଦର୍ଶାଇବା ପାଇଁ ଅବସରପାପ୍ତ ପ୍ରଫେସର୍‌ଙ୍କୁ ଚୁକ୍ତିଭିତ୍ତିରେ ରଖାଯାଉଛି। ଏସ୍‌ସିବିରେ ବି ୧୦ଜଣ ପ୍ରଫେସର୍‌ ଅବସର ପରେ ଚୁକ୍ତିରେ ରହିଛନ୍ତି। 

୩୪୦ ଆସୋସିଏଟ୍‌, ୫୦୬ ଆସିଷ୍ଟାଣ୍ଟ ପ୍ରଫେସର୍‌ ପଦ ବି ଖାଲି
 ବସୁନି ନିୟମିତ ଡିପିସି, ଏସ୍‌ସିବିରେ ୭ବିଭାଗ ପ୍ରଫେସର୍‌ଶୂନ୍ୟ 

ରାଜ୍ୟରେ ମାର୍ଚ୍ଚ ସୁଦ୍ଧା ଡିପିସି କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରତିଶ୍ରୁତି ଦେଇଥିଲା। ହେଲେ, ଆଜି ସୁଦ୍ଧା ଡିପିସି ବସି ନଥିବାରୁ ଡାକ୍ତରଙ୍କ ପଦୋନ୍ନତି ହୋଇପାରୁନି। ଫଳରେ ପ୍ରଫେସର ପଦ ପାଇଁ ଯୋଗ୍ୟ ଡାକ୍ତର ଥାଇ ମଧ୍ୟ ପଦୋନ୍ନତି ପାଇପାରୁ ନାହାନ୍ତି। ଗତମାସରେ ଓମ୍‌ଟା ବୈଠକରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ନିୟମିତ ବ୍ୟବଧାନରେ ଡିପିସି ପାଇଁ ସଂଘ ଦାବି କରିଥିଲା। ସ୍ବାସ୍ଥ୍ୟ ବିଭାଗରେ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବାକୁ ଓମ୍‌ଟା ଦାବି କରିବା ସହ ନିୟମିତ ବ୍ୟବଧାନରେ ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ନିଯୁକ୍ତି କରାଇବାକୁ ଦାବି ଉଠାଇଛି। 
କେବଳ ଏସ୍‌ସିବିରେ ୧୮ଟି ପ୍ରଫେସର୍‌, ୬୦ ଆସୋସିଏଟ୍‌ ଓ ୮୦ ଆସିଷ୍ଟାଣ୍ଟ ପ୍ରଫେସର୍‌ ପଦ ଖାଲିପଡ଼ିଛି। ୨୦ରୁ ଅଧିକ ଆସୋସିଏଟ୍‌ ପ୍ରଫେସର୍‌ ଡେପୁଟେସନ୍‌ରେ ଅଛନ୍ତି। ଏସ୍‌ସିବିର ସ୍ଥିତି ଏମିତି ଥିବାବେଳେ ଅନ୍ୟ ୧୩ଟି ‌ମେଡିକାଲ କଲେଜର ସ୍ଥିତି ସହଜେ ଅନୁମେୟ। ରାଜ୍ୟ ସରକାର ଡିପିସି ଓ ଟିବିସିଏ ସହ ଓପିଏସ୍‌ସି ମାଧ୍ୟମରେ ନିୟମିତ ନିଯୁକ୍ତି ପ୍ରକ୍ରିୟା ଜାରି ରଖିଲେ ଏଭଳି ସମସ୍ୟା ଅନେକ ମାତ୍ରାରେ ଦୂର ହୋଇପାରନ୍ତା ବୋଲି ଅଭିଜ୍ଞ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe