ଆଗୁଆ ଆସିବ ମୌସୁମୀ

Advertisment

ତୃତୀୟ ସପ୍ତାହ ଶେଷ ବେଳକୁ ଆଉ ଏକ ଲଘୁଚାପ ସୂଚନା, ୩ ଦିନରେ ବଢ଼ିବ ୪ ଡିଗ୍ରି ତାତି

ତୃତୀୟ ସପ୍ତାହ ଶେଷ ବେଳକୁ ଆଉ ଏକ ଲଘୁଚାପ ସୂଚନା, ୩ ଦିନରେ ବଢ଼ିବ ୪ ଡିଗ୍ରି ତାତି

ଆଜି ବି ମେଘୁଆ ପାଗ

Image Courtesy of Zee News

ଭୁବନେଶ୍ବର : ଚଳିତ ବର୍ଷ ମୌସୁମୀ ଆଗୁଆ ଆସିବ। ‌ଏନେଇ ଆଇଏମ୍‌ଡିର ବୁଲେଟିନ୍‌ରେ ଏବେଠାରୁ ସୂଚନା ଦିଆଯାଇଛି। ପ୍ରାୟ ୬ ଦିନ ପୂର୍ବରୁ କେରଳ ମୌସୁମୀ ବର୍ଷାରେ ଭିଜିବ ବୋଲି ପୂର୍ବାନୁମାନ କରାଯାଉଛି। ଆସନ୍ତା ୧୫ ତାରିଖ ଆଡ଼କୁ ଦକ୍ଷିଣ-ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ। ଦକ୍ଷିଣ-ଆଣ୍ଡାମାନ ସାଗରରେ ମୌସୁମୀ ବାୟୁ ସକ୍ରିୟ ହେବାର ପାଖାପାଖି ୧୧ ଦିନ ପରେ କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଥାଏ। ଏହି ଆଧାରରେ ଆସନ୍ତା ୨୬ ତାରିଖ ଆଡ଼କୁ ଦେଶରେ ମୌସୁମୀ ବର୍ଷା ଆରମ୍ଭ ହୋଇଯିବାର ସମ୍ଭାବନା ରହିଛି। ଏଥିସହ ଓଡ଼ିଶାକୁ ମଧ୍ୟ ଜୁନ୍‌ ୫ ତାରିଖ ସୁଦ୍ଧା ମୌସୁମୀ ସ୍ପର୍ଶ କରିପାରେ ବୋଲି ଆକଳନ କରାଯାଉଛି। ସୂଚନାଯୋଗ୍ୟ, ସାଧାରଣତଃ ମେ’ ୨୦ ତାରିଖ ଆଡ଼କୁ ଦକ୍ଷିଣ-ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଥାଏ ଏବଂ ଏହାର ୧୧ ଦିନ ପରେ ଅର୍ଥାତ ଜୁନ୍‌ ୧ ତାରିଖରେ କେରଳକୁ ମୌସୁମୀ ଛୁଇଁଥାଏ।

publive-image

ପାଣିପାଗ ବିଜ୍ଞାନୀଙ୍କ ଯୁକ୍ତି ହେଉଛି, ମେ' ତୃତୀୟ ସପ୍ତାହ ଶେଷ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ସାହାଯ୍ୟରେ ମୌସୁମୀର ଗତି ଟିକେ କ୍ଷୀପ୍ର ହେବ। ହେଲେ ଯଦି ଏହା ଅଧିକ ସଶକ୍ତ ହେଲେ, ତେବେ ପାଣିପାଗ ଚିତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।
ଅପରପକ୍ଷେ, ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଉପକୂଳରେ ଅବପାତ ରୂପରେ ଥିବା ବାତ୍ୟା ‘ଅସାନି’ ଦୁର୍ବଳ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୭.୬ କିମି ଦୂରତା ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିବା ବେଳେ ଦକ୍ଷିଣ-ପଶ୍ଚିମ ଆଡ଼କୁ ଏହା ଢଳି ରହିଛି। ଆସନ୍ତା ୧୨ ଘଣ୍ଟାରେ ଏହା ଆହୁରି ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାର କୌଣସି ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଣୁ ଆସନ୍ତା ୩ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ୪ ଡିଗ୍ରି ଯାଏ ବୃଦ୍ଧି ପାଇବ।

publive-image India Mike

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୧୫ ଓ ୧୬ ତାରିଖ ଆଡ଼କୁ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ୧୫ ତାରିଖ ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ୧୬ ତାରିଖ ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଣୁ ଏହି ଦୁଇ ଦିନ ପାଇଁ ଉକ୍ତ ଜିଲ୍ଲାଗୁଡ଼ିକରେ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe