ଶିଶୁକୁ ଚେଙ୍କ ଦେଇ ମା’ ଓ ସଂପର୍କୀୟ ମାମୁ ଗିରଫ

କ୍ୟାପିଟାଲ କ୍ରାଇମ: ସରକାରୀ ଜମିକୁ କେନ୍ଦ୍ରକରି ଗଣ୍ଡଗୋଳ,୨ ଗିରଫ

ଯାଜପୁରସଦର/ଛତିଆ: ବୈରୀ ଥାନା ଅନ୍ତର୍ଗତ ଗୋପପୁର ଗ୍ରାମରୁ ଗତକାଲି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଉଦ୍ଧାର ହୋଇଥିବା ଶିଶୁକୁ ତାର ମାଆ ଓ ସମ୍ପର୍କୀୟ ମାମୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ ଆଜି ବୈରୀ ପୁଲିସ ଶିଶୁଟିର ମାଆ ସିଆ ପଞ୍ଚାୟତ କାଇମାଟିଆ ଗ୍ରାମର ରଶ୍ମିତା ମହାପାତ୍ର ଓ ସମ୍ପର୍କୀୟ ମାମୁ କମଳାକାନ୍ତ ମହାପାତ୍ରକୁ ଗିରଫ କରିଛି। ରଶ୍ମିତା ଓ କମଳାକାନ୍ତ ବର୍ଷେ ହେଲା ଶିଶୁଟିକୁ ଅକଥନୀୟ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ଏପରିକି ଶିଶୁଟିର ଦେହରେ ସିଗାରେଟ୍‌ ଚେଙ୍କ ଦେଇଥିବା ଦେଖିବାକୁ ମିଳିଥିଲା।

ଅଭିଯୋଗ ଅନୁଯାୟୀ, କାଇମାଟିଆ ଗ୍ରାମର ରଶ୍ମିତା ଜଗସିଂହପୁରରେ ବିବାହ କରିଥିଲେ। ପରେ ସ୍ବାମୀଙ୍କୁ ଛାଡ଼ି ଛତିଆ ଅଞ୍ଚଳରେ ଭଡ଼ାଘରେ ରହୁଥିଲେ। ସେଠାରେ କମଳାକାନ୍ତ ସହ ମିଶି ନିଜ ପୁଅକୁ ମାଡ଼ ମାରିବା ସହ ସିଗାରେଟ୍‌ ଚେଙ୍ଖ ଦେଇଥିଲେ। ବର୍ଷେ ହେଲା ଶିଶୁଟିକୁ ଦୁଇ ଅଭିଯୁକ୍ତ ନିର୍ଯାତନା ଦେଉଥିବା ଜଣେ ସ୍ଥାନୀୟ ସରପଞ୍ଚ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇବା ପରେ ଗତକାଲି ଶିଶୁ ସୁରକ୍ଷା ବିଭାଗ ଶିଶୁଟିକୁ ଉଦ୍ଧାର କରିଥିଲା। ଗତକାଲି ରାତିରେ ଶିଶୁପୁତ୍ରଟିକୁ ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇଥିଲା।

ଆଜି ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ବିଭାଗର କର୍ମଚାରୀ ମିହିର ଜେନା ବୈରୀ ଥାନାରେ ଅଭିଯୋଗ କରିଥିଲେ। ବୈରୀ ଥାନାରେ ନଂ. ୪୪/୨୩ରେ ଥାନା ଅଧିକାରୀ ପ୍ରଦୀପ କୁମାର କାନୁନ୍‌ଗୋ ମାମଲା ରୁଜୁ କରିବା ସହ ଦଫା ୩୪୧, ୩୪୨, ୨୪୪, ୩୨୩, ୩୨୪, ୩୨୬, ୫୦୬/୩୪ ରେ ରଶ୍ମିତା ଏବଂ କମଳାକାନ୍ତକୁ ଗିରଫ କରିଛନ୍ତି। ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ଅନ୍ୟପକ୍ଷରେ ଆହତ ନାବାଳକକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପିଲାଟିର ସୁରକ୍ଷା ପାଇଁ ଉଦ୍ୟମ କରାଯିବ ବୋଲି ଶିଶୁ ମଙ୍ଗଳ କମିଟି ସଦସ୍ୟ ଜୟନ୍ତ ଗୋସ୍ବାମୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe