ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଡ଼ମାହା ଗ୍ରାମର ମହେଶ୍ୱର ମାଝୀ (୫୦)ଙ୍କୁ ରହସ୍ୟଜନକ ଭାବେ ଗଳାକୁ କୌଣସି ଧାରୁଆ ଅସ୍ତ୍ରରେ କାଟି ନୃସଂଶ ଭାବେ ହତ୍ୟା କରାଯାଇଛି। ଗତ ରାତିରେ ଏହି ଘଟଣା ଘଟିଛି। ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ଏହି ଘଟଣାରେ ମୃତ ମହେଶ୍ବରଙ୍କ ପୁଅ ସାନୁରଞ୍ଜନ ପ୍ରଧାନ ଥାନାରେ ଏତଲା ଦେଇଥିବା ବେଳେ ପୁଲିସ କେସ୍ ନଂ. ୭୮/୨୩ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରାହ୍ମଣୀଗାଁ ପଠାଇଛି। ସେହିପରି ଝିଞ୍ଜିରିଗୁଡ଼ା ସରପଞ୍ଚ ଚାନ୍ଦିନୀ ପ୍ରଧାନ ମଧ୍ୟ ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କୁ କଠୋର ଦଣ୍ଡ ଦେବା ସହ ପରିବାରକୁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।
ସୂଚନା ଅନୁସାରେ, ମହେଶ୍ୱର ଗତକାଲି ପତ୍ନୀଙ୍କୁ ଘରୋଇ କାମରେ ସାହାଯ୍ୟ କରିବା ପରେ ସନ୍ଧ୍ୟାରେ ସାହି ନିକଟ ବିଲ ପାଖରେ ଥିବା ଚୁଆକୁ ଶୌଚ ନିମନ୍ତେ ଯାଇଥିଲେ। କିନ୍ତୁ ବହୁ ସମୟ ଧରି ସେ ଫେରି ନଥିଲେ। ଘରକୁ ଆସିବାରେ ବିଳମ୍ବ ହେବାରୁ ଘରଲୋକ ବହୁ ଖୋଜାଖୋଜି କରି ଶେଷରେ ବିଳମ୍ବିତ ରାତିରେ ଏକ ବୁଦା ନିକଟରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶବ ପଡ଼ିଥିବା ଦେଖିଲେ। ମହେଶ୍ବରଙ୍କ ପୁଅ ସାନୁରଞ୍ଜନ ସ୍ଥାନୀୟ ଲୋକଙ୍କ ସହାୟତାରେ ଏ ନେଇ ବ୍ରାହ୍ମଣୀଗାଁ ଥାନାକୁ ଲିଖିତ ଭାବେ ଜଣାଇଥିଲେ। ଆଜି ସକାଳେ ଥାନା ଅଧିକାରୀ ଚାପଧାରୀ ପ୍ରଧାନ ଓ ଏସ୍ଆଇ ଅମରେନ୍ଦ୍ର ସୁବୁଦ୍ଧି ପୁଲିସ ବାହିନୀ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ତଦନ୍ତରେ ସାଇଣ୍ଟିଫିକ୍ ଟିମ ଓ ସନ୍ଧାନୀକୁକୁର ନିୟୋଜିତ ଅଛନ୍ତି।
Follow Us