ମନ୍ତ୍ରୀଙ୍କୁ ହତ୍ୟା ଘଟଣାର ତଦନ୍ତ ଭିନ୍ନ ତଦନ୍ତକାରୀ ସଂସ୍ଥା ଦ୍ବାରା ହେଉ: ଅର୍ଜୁନ ମୁଣ୍ଡା

ମନ୍ତ୍ରୀଙ୍କୁ ହତ୍ୟା ଘଟଣାର ତଦନ୍ତ ଭିନ୍ନ ତଦନ୍ତକାରୀ ସଂସ୍ଥା ଦ୍ବାରା ହେଉ: ଅର୍ଜୁନ ମୁଣ୍ଡା

ଭୁବନେଶ୍ବର : ଜଣେ ପୁଲିସ ଅଧିକାରୀ ଜଣେ କ୍ୟାବିନେଟ୍ ପାହ୍ୟାର ମନ୍ତ୍ରୀଙ୍କୁ ସର୍ବସାଧାରଣରେ ଗୁଳି କରି ମାରିଦେବା ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ନେଇ ପ୍ରଶ୍ନ ଉଠାଉଛି। ରାଜ୍ୟ ସରକାର ଏହା ଉପରେ ଧ୍ୟାନ ଦେବା ଦରକାର। ଯଦି ଜଣେ ପୁଲିସ ଜଣେ ମନ୍ତ୍ରୀଙ୍କୁ ଗୁଳି କରିପାରୁଛି ତେବେ ସାଧାରଣ ଜନତାଙ୍କ ଅବସ୍ଥା କିଭଳି ଥିବ? ସାଧାରଣ ଲୋକ କାହା ଉପରେ ବିଶ୍ବାସ କରିବେ ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି।

ଶନିବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ ଶ୍ରୀ ମୁଣ୍ଡା କହିଛନ୍ତି ଯେ, ଯେହେତୁ ପୁଲିସ ଗୁଳିରେ ରାଜ୍ୟର ଜଣେ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀଙ୍କର ମୃତ୍ୟୁ ହୋଇଛି ତେଣୁ ପୁଲିସ ଏହି ଘଟଣାର ତଦନ୍ତ ପୁଲିସ ନକରୁ। ତଦନ୍ତର ନିରପେକ୍ଷତା ପାଇଁ କୌଣସି ଏକ ଭିନ୍ନ ତଦନ୍ତକାରୀ ସଂସ୍ଥା ଦ୍ବାରା ରାଜ୍ୟ ସରକାର ଏହାର ତଦନ୍ତ କରନ୍ତୁ। ଏହା ହେଲେ ହିଁ ସତ୍ୟାସତ୍ୟ ସାମ୍ନାକୁ ଆସିପାରିବ।

ମନ୍ତ୍ରୀ ଶ୍ରୀ ମୁଣ୍ଡା ଭିନ୍ନ ତଦନ୍ତକାରୀ ସଂସ୍ଥା ଦ୍ବାରା ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଥିଲେ ହେଁ, କ୍ରାଇମବ୍ରାଞ୍ଚ ଦ୍ବାରା ହେବା ଦରକାର କି ସିବିଆଇ ଦ୍ବାରା ହେବା ଦରକାର ସେନେଇ କିଛି କହିନଥିଲେ।

ସେହିପରି ବିଜେପିର ସାଧାରଣ ସମ୍ପାଦକ ‌‌ଗୋଲକ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ନବ ଦାସଙ୍କ ହତ୍ୟାକୁ ନେଇ ନିରବ ଥିବା ପୁଲିସ ଡିଜି ଗତକାଲି ହଠାତ୍ ଆବିର୍ଭାବ ହୋଇ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ପୁରଣା ଉକ୍ତି ‘ଉତ୍କଳରେ ନାହିଁ ନେତାର ପ୍ରୟୋଜନ, ଉତ୍କଳରେ ଅଛନ୍ତି ସ୍ୱୟଂ ନାରାୟଣ’କୁ ମନେ ପକାଇ ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ପୁଲିସ କିମ୍ବା ପୁଲିସ ଡିଜିଙ୍କ ଆବଶ୍ୟକତା ନଥିବାର ନିରାଶବାଦୀ ବୟାନ ନିଜେ ପୁଲିସ ଡିଜି ଦେବା ଅତ୍ୟନ୍ତ ଲଜ୍ଜାଜନକ। କେବଳ ବିଜେଡିକୁ ନିର୍ବାଚନ ଜିତାଇବା ଦାୟିତ୍ୱରେ ଥିବା ରାଜ୍ୟ ଗୁଇନ୍ଦା ବିଭାଗ ନିଜ ଦାୟିତ୍ୱ ନିର୍ବାହ କରିବାରେ ସଂପୂର୍ଣ୍ଣ ଫେଲ୍ ମାରିଛି । ଅତୀତରେ ବହୁ ଗପ କହି ଓଡ଼ିସାବାସୀଙ୍କୁ ଭୁଆଁ ବୁଲାଇଥିବା ପୁଲିସ ବିଭାଗ ଏବଂ କ୍ରାଇମବ୍ରାଞ୍ଚ ଆଜି ପାଇଖାନାରୁ କାଗଜ ବାହାର କରି ନୂଆ ତାମସା ରଚୁଛନ୍ତି। ଏହାସହ ଏହି ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe