ଭୁବନେଶ୍ବର: ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟଗୁଡ଼ିକର ନାମ ଫଳକ ଓଡ଼ିଆରେ ଲେଖାଯିବ। ଏହାସହିତ ଏଠାରେ କାର୍ଯ୍ୟରତ ଅଧିକାରୀମାନଙ୍କ ନାମଫଳକ ଆଦି ମଧ୍ୟ ଓଡ଼ିଆରେ ଲେଖିବାକୁ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ତିନି ସପ୍ତାହ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।
ଶ୍ରୀ ଜେନା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସମସ୍ତ ଜିଲ୍ଲାପାଳଙ୍କୁ ଚିଠିରେ ଲେଖିଛନ୍ତି ଯେ, ବିଦ୍ୟାଳୟଗୁଡ଼ିକର ନାମଫଳକ ଓଡ଼ିଆରେ ଲେଖିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି। ଦେଶର ପ୍ରତ୍ୟେକ ରାଜ୍ୟରେ ଇଂରାଜୀ ଭାଷା ସହିତ ପ୍ରାଦେଶିକ ଭାଷାକୁ ଗୁରୁତ୍ବ ଦିଆଯାଇ ସମସ୍ତ ଶିକ୍ଷାନୁଷ୍ଠାନରେ ନାମଫଳକ ଇତ୍ୟାଦି ଇଂରାଜୀ ସହିତ ପ୍ରାଦେଶିକ ଭାଷାରେ ଲେଖାଯାଉଛି। ସମସ୍ତ ଶିକ୍ଷାନୁଷ୍ଠାନରେ ନାମଫଳକ ଇତ୍ୟାଦି ଓଡ଼ିଆ ଭାଷାରେ ଲେଖିଲେ ଓଡ଼ିଆ ଭାଷାର ଗୌରବ ଓ ସମ୍ମାନ ଅକ୍ଷୁର୍ଣ୍ଣ ରହିବ। ତେଣୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସଚିବ ଓ ଜିଲ୍ଲାପାଳମାନେ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି। ଏହାସହ ତିନି ସପ୍ତାହ ପରେ ଏନେଇ ରିପୋର୍ଟ ଦେବାକୁ ଶ୍ରୀ ଜେନା କହିଛନ୍ତି।
Follow Us