ଫେଲ୍ ମାରିଲା ଗୁଇନ୍ଦା ନେଟୱର୍କ: ମାଳ ମାଳ ପୁଲିସ ଦେଇ ପାରିଲେନି ସୁରକ୍ଷା

ଆଗକୁ କେମିତି କରିବେ ମୁକାବିଲା? ଏସପି, ଜିଲ୍ଲାପାଳ କରିଥିଲେ ସୁରକ୍ଷା ତଦାରଖ

ନୂଆ ଓଡ଼ିଶା ଗଠନ ପାଇଁ ସମସ୍ତେ ଏକାଠି ହୁଅନ୍ତୁ: ପାଣ୍ଡିଆନ

ଭୁବନେଶ୍ବର: ପୁରୀ ଜିଲ୍ଲା ସତ୍ୟବାଦୀ କଲେଜ ପଡ଼ିଆରେ ଅତି ନିକଟରୁ ଫାଇଭ୍ ଟି ସଚିବ ଭି.କେ. ପାଣ଼୍ଡିଆନଙ୍କ ଉପରକୁ କାଳିମାଡ଼ ଘଟଣା ଆଜି ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମାଳ ମାଳ ପୁଲିସ, ସାଦା ପୋଷାକଧାରୀ ସୁରକ୍ଷାକର୍ମୀ ଓ ଗୁଇନ୍ଦା ଉପସ୍ଥିତ ଥାଇ ମଧ୍ୟ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ କିପରି ହେଲା ତାକୁ ନେଇ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ରାଜ୍ୟରେ ନୂଆ ନୁହେଁ। କାରଣ ପୂର୍ବରୁ ସେହି ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍ ଉପରକୁ ଅଣ୍ଡାମାଡ଼, ବରଗଡ଼ରେ ନବୀନଙ୍କ ସଭାରେ ଜୋତାମାଡ଼ ମଧ୍ୟ ହୋଇଛି। କିନ୍ତୁ ସବୁଠୁ ବଡ଼ କଥା ହେଲା ଶହ ଶହ ସଂଖ୍ୟାରେ ପୁଲିସ ଥାଇ ମଧ୍ୟ ସୁରକ୍ଷା ବଳୟକୁ ଭେଦ କରି କେମିତି ଏ ସବୁ କାର୍ଯ୍ୟ ହେଉଛି। ଚଳିତବର୍ଷ ଜାନୁଆରୀ ୨୯ ତାରିଖରେ ଝାରସୁଗୁଡ଼ାରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ପୁଲିସ ଏଏସ୍ଆଇ ଗୋପାଳ ଦାସ ଗୁଳି କରି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏହା ପରେ ଭିଭିଆଇପି କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନ ଉଠିଥିଲା। ଆଜି ପାଣ୍ଡିଆନଙ୍କୁ କାଳିମାଡ଼ ପରେ ସୁରକ୍ଷା ନେଇ ପୁଣି ପ୍ରଶ୍ନ ଉଠିଛି।

ମିଳିଥିବା ସୂଚନା ଅନୁସାରେ, ପାଣ୍ଡିଆନଙ୍କ ସଭା ସୁରକ୍ଷା ଦାୟିତ୍ବରେ ଜଣେ ଅତିରିକ୍ତ ଏସପି, ପିପିଲି ଏସଡିପିଓ, ୩ ଜଣ ଇନ୍ସପେକ୍ଟର, ମହିଳା ପୁଲିସ, ସାଦା ପୋଷାକଧାରୀ ପୁଲିସ, ଗୁଇନ୍ଦା ଅଧିକାରୀ ନିୟୋଜିତ ଥିଲେ। ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି କେ. ବିଶାଲ ସିଂ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁଥିଲେ। ସେହିପରି ପାଣ୍ଡିଆନଙ୍କ ସାଙ୍ଗରେ ମଧ୍ୟ ଏକାଧିକ ବଛା ବଛା ସୁରକ୍ଷାକର୍ମୀ ରହିଥିଲେ। ଏତେ ସବୁ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଜିଲ୍ଲାରେ ପାଣ୍ଡିଆନଙ୍କୁ କାଳିମାଡ଼ ଘଟଣା ଅନେକ ପ୍ରଶ୍ନ ଛିଡ଼ା କରିଛି। କାରଣ ପାଣ୍ଡିଆନଙ୍କ ଗସ୍ତର ଯଥେଷ୍ଟ ପୂର୍ବରୁ ରେଞ୍ଜ ଡିଆଇଜି ଓ ଆଇଜି ସୁରକ୍ଷା ବନ୍ଦୋବସ୍ତର ସମୀକ୍ଷା କରିଥାନ୍ତି। ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀମାନେ ଜିଲ୍ଲା ପୁଲିସ ସହ ନିୟମିତ ଯୋଗାଯୋଗରେ ରୁହନ୍ତି। ସ୍ଥାନୀୟ ଗୁଇନ୍ଦା, ପୁଲିସ ରାତି ଦିନ ଏକ କରି ସୂଚନା ସଂଗ୍ରହ କରନ୍ତି। କେଉଁ ବ୍ୟକ୍ତି ବିଶେଷ, ବିରୋଧୀ ଦଳର କର୍ମୀ, ଗୋଷ୍ଠୀରୁ ଯଦି ବିରୋଧର ଆଭାସ ପାଆନ୍ତି ତାହେଲେ ବିରୋଧ କରିବାକୁ ଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ କାର୍ଯ୍ୟକ୍ରମ ପୂର୍ବରୁ ଅଟକ ରଖାଯାଏ। ସେହିପରି ସଭାସ୍ଥଳକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ଯାଞ୍ଚ କରି ଛଡ଼ାଯାଏ। କିନ୍ତୁ ସତ୍ୟବାଦୀ କଲେଜ ପଡ଼ିଆରେ କେମିତି ବ୍ୟତିକ୍ରମ ଘଟିଲା ତାହା ସନ୍ଦେହ ସୃଷ୍ଟି କରିଛି।

କେମିତି ସୁରକ୍ଷାରେ ତ୍ରୁଟି ହେଲା? ପାଣ୍ଡିଆନଙ୍କ ଗସ୍ତ ଲାଗି ଏତେ ବଡ଼ ଗୁଇନ୍ଦା ନେଟଵାର୍କ କାମ କରୁଥିଲେ ମଧ୍ୟ ଫେଲ୍ ମାରିଲା କେମିତି? ସାଙ୍ଗରେ କାଳି ବୋତଲ ନେଇ ଯାଇଥିଲେ ମଧ୍ୟ କେମିତି ପ୍ରବେଶ ପଥ ନିକଟରେ ଯାଞ୍ଚ ବେଳେ ଧରା ପଡ଼ି ନ ଥିଲେ? ନା ଏହା ପଛରେ ଆଉ କଣ ରହସ୍ୟ ରହିଛି ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ପୁଲିସ ତଦନ୍ତରୁ ସବୁ କିଛି ସ୍ପଷ୍ଟ ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe