କଡ଼ା ଆଭିମୁଖ୍ୟ ଗ୍ରହଣ କଲେ ନୂଆ ମୁଖ୍ୟ ପ୍ରଶାସକ: ରଥ ଉପରକୁ ମୋବାଇଲ୍‌ ମନା

Advertisment
କଡ଼ା ଆଭିମୁଖ୍ୟ ଗ୍ରହଣ କଲେ ନୂଆ ମୁଖ୍ୟ ପ୍ରଶାସକ: ରଥ ଉପରକୁ ମୋବାଇଲ୍‌ ମନା

ପୁରୀ: ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ଗ୍ରହଣ ପରେ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ଆସି ମହାପ୍ରଭୁଙ୍କ ଆଡ଼ପଦର୍ଶନ କରିଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ଡ. ଅରବିନ୍ଦ ପାଢ଼ୀ। ଡ. ପାଢ଼ୀ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରହି ରଥ ଦକ୍ଷିଣମୋଡ଼ର ସମ୍ପୂର୍ଣ୍ଣ ସ୍ଥିତି ଅନୁଧ୍ୟାନ କରିଛନ୍ତି। ରଥ ଓ ରଥ ଦଉଡ଼ିକୁ ସ୍ପର୍ଶ କରି ମୁଣ୍ଡିଆ ମାରି ଆଶୀର୍ବାଦ ନେଇଛନ୍ତି। ଏହି ଅବସରରେ ସେ ନୀତି ଶୃଙ୍ଖଳା ଉପରେ ସେବାୟତଙ୍କ ସହ ଆଲୋଚନା କରିଛନ୍ତି। ଡ. ପାଢ଼ୀ କହିଛନ୍ତି, ରଥ ଉପରେ ଆବଶ୍ୟକ ସଂଖ୍ୟାଠାରୁ ଅଧିକ ସେବାୟତ ଯେପରି ନ ରୁହନ୍ତି, ସେଥିପ୍ରତି ଦୃଷ୍ଟି ଦିଆଯିବ। ରଥ ଉପରକୁ ମୋବାଇଲ ଫୋନ୍ ନେବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏଥିରେ ଖିଲାପ କଲେ ସମ୍ପୃକ୍ତ ସେବକ ଅବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଡ. ପାଢ଼ୀ କହିଛନ୍ତି, ରଥଯାତ୍ରା ବ୍ୟବସ୍ଥାବଳୀରେ ବି ଏହା ସ୍ପଷ୍ଟ ଉଲ୍ଲେଖ କରାଯାଇଛି। ହେଲେ ରଥ ଉପରକୁ ମୋବାଇଲ୍ ନିଆଯାଉଥିବା ପରିଲକ୍ଷିତ ହେଉଛି। ଏଭଳି ବିଶୃଙ୍ଖଳା ଆଚରଣ କଲେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ସେବା ସହ ଜଡ଼ିତ ନ ଥିଲେ ରଥ ଉପରକୁ କେହି ଯାଇପାରିବେନି। ଏଥିପାଇଁ ସେବାୟତମାନଙ୍କ ସହଯୋଗ କାମନା କରୁଛୁ। ଆଶା, ସମସ୍ତେ ଏଥିରେ ସହଯୋଗ କରିବେ। ଯଦ୍ବାରା ଆମ ସଂସ୍କୃତି ପ୍ରଚାର ପ୍ରସାର ହୋଇପାରିବ। ନିନ୍ଦା ଅପବାଦରୁ ମୁକ୍ତ ହୋଇପାରିବା। ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା, ସେଥିପାଇଁ ଠାକୁରଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛୁ। ଏଥିପାଇଁ କମିଟି ଗଠନ କରାଯାଇଛି। କମିଟିର ରିପୋର୍ଟ ଆସିବା ଯାଏ, ଆମେ ଅପେକ୍ଷା କରିବା। ଏହି ଘଟଣାର ଯେଭଳି ପୁନରାବୃତ୍ତି ନ ହେବ, ସେଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ ଧ୍ୟାନ ଦେବ। ମହାପ୍ରଭୁଙ୍କ ଅନ୍ୟ ନୀତିଗୁଡ଼ିକ ସୁରୁଖୁରରେ ସମ୍ପାଦନ କରାଯିବ। ନୀତି ଶୃଙ୍ଖଳା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe