ଟ୍ରାକ୍ଟରରେ ଘରେ ପହଞ୍ଚିଲେ ନବଦମ୍ପତି, ରାସ୍ତା ଅବସ୍ଥା ବେହାଲ୍‌

Advertisment
ଟ୍ରାକ୍ଟରରେ ଘରେ ପହଞ୍ଚିଲେ ନବଦମ୍ପତି, ରାସ୍ତା ଅବସ୍ଥା ବେହାଲ୍‌

ଜଳେଶ୍ବର: ଜଳେଶ୍ବର ବ୍ଲକ୍‌ ନେତୁଆ-କମାରଶାଳିଆ ଭାୟା ଆଡ଼ିନଗା ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ ବିବାହ ପରେ ବର-କନିଆ ଟ୍ରାକ୍ଟରରେ ଘରକୁ ଆସିବାକୁ ପଡ଼ିଥିଲା। ଏହି ଘଟଣାର ଭିଡିଓ ଆଜି ଦିନତମାମ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ବେଳେ ଏହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ, ନେତୁଆ ପଞ୍ଚାୟତ ସାହାପୁର ଗ୍ରାମର ଗୁଣାକର ଶତପଥୀଙ୍କ ପୁଅ ସଞ୍ଜୟଙ୍କ ସହ ଗଡ଼ସାହି ବାଲିଆପାଳର ମୃତ୍ୟୁଞ୍ଜୟ ଦାଶଙ୍କ ଝିଅ ପୂଜାଙ୍କର ଗତକାଲି ଅପରାହ୍ନରେ ବିବାହ ହୋଇଥିଲା। ବିବାହ ପରେ ଏକ ସୁସଜ୍ଜିତ ଗାଡ଼ିରେ ବର ସହ କନିଆ ଶାଶୂଘରକୁ ଫେରୁଥିଲେ। ହେଲେ ନେତୁଆ ପଞ୍ଚାୟତଠାରୁ ଆଡ଼ିନଗା ଭାୟା କମାରଶାଳିଆ ନିର୍ମାଣଧୀନ ରାସ୍ତାଟି ଟେଣ୍ଡର ନେଇଥିବା ଠିକାଦାରଙ୍କ ବେପରୁଆ ମନୋଭାବ ଯୋଗୁ ଗାଡ଼ି ଚଳାଚଳ ତ ଦୂରର କଥା ଖାଲି ପାଦରେ ଯିବା ମଧ୍ୟ କଷ୍ଟସାଧ୍ୟ।

ତେଣୁ ବର-କନିଆ ଗାଡ଼ି କମାରଶାଳିଆ ବଜାର ନିକଟରେ ଅଟକି ଯାଇଥିଲା। ବରଙ୍କ ପରିବାର ଲୋକେ ଘରକୁ ନବଦମ୍ପତିଙ୍କୁ କିପରି ନେବେ ସେହି ଚିନ୍ତାରେ ବେଶ କିଛି ସମୟ ବିଚାର ବିମର୍ଶ କରି ପରେ ଶେଷରେ ଏକ ଟ୍ରାକ୍ଟର ଯୋଗାଡ଼ କରିଥିଲେ। ଟ୍ରାକ୍ଟରରେ ବର-କନିଆ ବସିଥିବା ବେଳେ ବାଜା, ବାଣ ଓ ରୋଷଣୀ ସହ ଶୋଭାଯାତ୍ରାରେ ଟ୍ରାକ୍ଟର ବର ଘର ଯାଏ ଯାଇଥିଲା। ଏଭଳି ଦୃଶ୍ୟ ଅଞ୍ଚଳବାସୀଙ୍କୁ ଅତ୍ୟନ୍ତ ବ୍ୟଥିତ କରିଥିବା ସେମାନେ କହିଛନ୍ତି। ପାଖାପାଖି ସାଢ଼େ ୬ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ରାସ୍ତା ନିର୍ମାଣ ଚାଲିଥିବାରୁ ସାହାପୁର, ଆଡ଼ିନଗା, ବେଲବାରିଆ ଓ ପ୍ରିୟବାଗ ଆଦି ଗାଁ’ର ଅଧିବାସୀଙ୍କ ଯାତାୟାତକୁ ପ୍ରଶାସନ ସୁନିଶ୍ଚିତ କରୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

ପ୍ରକାଶଯୋଗ୍ୟ, ଗତକାଲି ଏହି ରାସ୍ତାର ଦୁରବସ୍ଥା ସମ୍ପର୍କରେ ଆମ ପ୍ରତିନିଧି ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଯାହା ଆଜି ‘ସମ୍ବାଦ’ରେ ପ୍ରକାଶିତ ହୋଇଛି। ଏହି ରିପୋର୍ଟ ପ୍ରକାଶ ପାଇବାର ମାତ୍ର କିଛି ଘଣ୍ଟା ଭିତରେ ଆଜି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe