ରୋଚକ ହେବ ନୟାଗଡ଼ ବିଧାନସଭା ଲଢ଼େଇ: ଅରୁଣଙ୍କୁ ଟକ୍କର ‌ଦେବେ ପ୍ରତ୍ୟୁଷା ଓ ରଣଜିତ

ରୋଚକ ହେବ ନୟାଗଡ଼ ବିଧାନସଭା ଲଢ଼େଇ: ଅରୁଣଙ୍କୁ ଟକ୍କର ‌ଦେବେ ପ୍ରତ୍ୟୁଷା ଓ ରଣଜିତ

ନୟାଗଡ଼: ନୟାଗଡ଼ ବିଧାନସଭା କ୍ଷେତ୍ରରେ ଏଥର ରୋଚକ ଲଢ଼େଇ ଦେଖିବାକୁ ମିଳିବ। ଏହି ଆସନରେ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରି ସାରିଥିବାରୁ ଏବେ ସମସ୍ତେ ପ୍ରଚାର ଆରମ୍ଭ କରିଦେଲେଣି। ବିଶେଷ କରି ଏହି ନିର୍ବାଚନ ମଣ୍ଡଳୀକୁ ଲଗାତାର ଭାବେ ଜିତି ଦଖଲରେ ରଖିଥିବା ବିଜେଡି ପ୍ରାର୍ଥୀ ଅରୁଣ ସାହୁଙ୍କୁ ଘେରିବାକୁ ଦୁଇ ବିରୋଧୀ ଦଳର ପ୍ରାର୍ଥୀ ରଣନୀତି ପ୍ରସ୍ତୁତ କରିଛନ୍ତି। ଅନ୍ୟପ‌ଟେ, ପ୍ରତିଥର ପରି ଏଥର ମଧ୍ୟ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଅରୁଣ ମଧ୍ୟ କସରତ ଚଳାଇଛନ୍ତି।

ଚଳିତ ନିର୍ବାଚନରେ ବିଜେପି ପ୍ରତ୍ୟୁଷା ରାଜେଶ୍ବରୀ ସିଂହଙ୍କୁ ପ୍ରାର୍ଥୀ କରିଥିବା ବେଳେ ଓ କଂଗ୍ରେସ ଜିଲ୍ଲା ସଭାପତି ରଣଜିତ ଦାଶଙ୍କୁ ଟିକେଟ୍ ପ୍ରଦାନ କରିଛି। ପ୍ରଚଣ୍ଡ ତାତି ସତ୍ତ୍ବେ ପ୍ରାର୍ଥୀମାନେ ଗାଁ ଗାଁ ବୁଲି ନିଜ ସପକ୍ଷରେ ଭୋଟ୍ ମାଗିବା ଆରମ୍ଭ କରିଦେଲେଣି। ପ୍ରଚାରରେ ବିଜେଡି ଓ ବିଜେପି ଆଗରେ ରହିଥିବା ବେଳେ ଟିକିଏ ବିଳମ୍ବରେ ଟିକେଟ୍ ପାଇଥିବା କଂଗ୍ରେସ ପ୍ରାର୍ଥୀ ରଣଜିତ ଏବେ ଯୋଜନା ପ୍ରସ୍ତୁତ କରି ମଇଦାନକୁ ଓହ୍ଲାଇବା ଆରମ୍ଭ କରିଛନ୍ତି। ବିଜେପିରୁ ପ୍ରାର୍ଥୀ ‌ହୋଇଥିବା ପ୍ରତ୍ୟୁଷା ନିର୍ବାଚନ ମଇଦାନରେ ନୂଆ ନୁହନ୍ତି। ପୂର୍ବରୁ ସେ କନ୍ଧମାଳ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ମାତ୍ର ବର୍ତ୍ତମାନ ବିଧାନସଭା କ୍ଷେତ୍ରରେ ସେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି। ପ୍ରତ୍ୟୁଷାଙ୍କ ସ୍ବାମୀ ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କ ଦେହାନ୍ତ ପରେ ପ୍ରତ୍ୟୁଷା ଏବେ ରାଜନୀତିର ମଙ୍ଗ ଧରିଛନ୍ତି। ଗତ ସାଧାରଣ ନିର୍ବାଚନକୁ ଦୃଷ୍ଟିକୁ ନେଲେ ଏଠାରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଥିବା ଦେଖିବାକୁ ମିଳେ। ମାତ୍ର ଅରୁଣ ନିଜ ଗୋଟି ଚାଳନା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏଥର ଗତ ସାଧାରଣ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ଇରାନୀ ରାୟ ତାଙ୍କ ସହ ହାତ ମିଳାଇଛନ୍ତି। ଅନ୍ୟପଟେ, ଭୋଟର ଏଥର ପରିବର୍ତ୍ତନ ଚାହୁଥିବାରୁ ବିଜେପିକୁ ଭୋଟ୍ ଦେବେ ବୋଲି ପ୍ରତ୍ୟୁଷାଙ୍କ ସହଯୋଗୀମାନେ ଆଶା ରଖିଛନ୍ତି। ପୁନଶ୍ଚ କଂଗ୍ରେସ ପ୍ରାର୍ଥୀ ରଣଜିତ ମାଟିର ପୁଅ ହୋଇଥିବାରୁ ତାଙ୍କୁ ଭୋଟର ପସନ୍ଦ କରିବେ ବୋଲି ଆଶା ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe