ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି ଉପରୁ ଅଙ୍କୁଶ ହଟିଲା: ନିଯୁକ୍ତିପତ୍ର ପ୍ରସଙ୍ଗରେ ଆଗେଇବାକୁ ସରକାରଙ୍କୁ ଅନୁମତି

Advertisment

ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି ଉପରେ ପୂର୍ବରୁ ଜାରି ଅନ୍ତରୀଣ ଅଙ୍କୁଶକୁ ହାଇକୋର୍ଟ ଉଠାଇ ଦେଇଛନ୍ତି। ଫେବ୍ରୁଆରି ୩ର ଅନ୍ତରୀଣ ନିର୍ଦ୍ଦେଶରେ ହାଇକୋର୍ଟ ପରିବର୍ତ୍ତନ କରିଛନ୍ତି। ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ...

ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି ଉପରେ ପୂର୍ବରୁ ଜାରି ଅନ୍ତରୀଣ ଅଙ୍କୁଶକୁ ହାଇକୋର୍ଟ ଉଠାଇ ଦେଇଛନ୍ତି। ଫେବ୍ରୁଆରି ୩ର ଅନ୍ତରୀଣ ନିର୍ଦ୍ଦେଶରେ ହାଇକୋର୍ଟ ପରିବର୍ତ୍ତନ କରିଛନ୍ତି। ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ...

doctor

କଟକ: ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି ଉପରେ ପୂର୍ବରୁ ଜାରି ଅନ୍ତରୀଣ ଅଙ୍କୁଶକୁ ହାଇକୋର୍ଟ ଉଠାଇ ଦେଇଛନ୍ତି। ଫେବ୍ରୁଆରି ୩ର ଅନ୍ତରୀଣ ନିର୍ଦ୍ଦେଶରେ ହାଇକୋର୍ଟ ପରିବର୍ତ୍ତନ କରିଛନ୍ତି। ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ପଦ ପାଇଁ ନିଯୁକ୍ତିପତ୍ର ପ୍ରଦାନ ପ୍ରସଙ୍ଗରେ ଅଗେଇବାକୁ ସରକାରଙ୍କୁ ହାଇକୋର୍ଟ ଅନୁମତି ଦେଇଛନ୍ତି। କିନ୍ତୁ ବିଚାରାଧୀନ ଚାରିଟି ରିଟ୍ ଆବେଦନର ଫଇସଲା ପର୍ଯ୍ୟନ୍ତ ଚାରିଟି ପଦ ପୂରଣ କରାଯିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଅନ୍ୟ ପ୍ରାର୍ଥୀଙ୍କ ସପକ୍ଷରେ ଯଦି ନିଯୁକ୍ତିପତ୍ର ପ୍ରଦାନ କରାଯାଏ ତେବେ ତାହା ଏହି ସବୁ ମାମଲାର ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଅନ୍ତରୀଣ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଆଜି ପ୍ରଦାନ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ ମାର୍ଚ୍ଚ ତୃତୀୟ ସପ୍ତାହରେ ଚାରି ମୂଳ ରିଟ୍ ଆବେଦନର ପରବର୍ତ୍ତୀ ଶୁଣାଣି ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରାୟ ୨୭୪୯ ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ପଦରେ ନିଯୁକ୍ତି ପାଇଁ ପଥ ପରିଷ୍କାର ହୋଇଛି। 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଫେବ୍ରୁଆରି ୩ରେ ହାଇକୋର୍ଟ ଗଙ୍ଗାମଣି ଜେନା ଓ ଅନ୍ୟ ତିନି ଜଣଙ୍କ ତରଫରୁ ଦାୟର ଆବେଦନଗୁଡ଼ିକର ଏକତ୍ର ଶୁଣାଣି କରି ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି ଉପରେ ଅନ୍ତରୀଣ ଅଙ୍କୁଶ ଜାରି କରିଥିଲେ। ନିଯୁକ୍ତି ପ୍ରକ୍ରିୟା ଜାରି ରହିବ, କିନ୍ତୁ କୋର୍ଟଙ୍କ ବିନା ଅନୁମତିରେ ଏହି ପ୍ରସଙ୍ଗ ଚୂଡ଼ାନ୍ତ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ମାମଲାରେ ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାର ଓ ଅନ୍ୟ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଫେବ୍ରୁଆରି ୩ର ଅନ୍ତରୀଣ ନିର୍ଦ୍ଦେଶ ଉଠାଇବାକୁ ନିବେଦନ କରି ରାଜ୍ୟ ସରକାରଙ୍କ ତରଫରୁ ଅନ୍ତରୀଣ ଆବେଦନ ଦାୟର କରାଯାଇଥିଲା।

 ନିଯୁକ୍ତିପତ୍ର ପ୍ରସଙ୍ଗରେ ଆଗେଇବାକୁ ସରକାରଙ୍କୁ ଅନୁମତି
ମାମଲାର ଚୂଡ଼ାନ୍ତ ଫଳାଫଳ ଉପରେ ନିର୍ଭର କରିବ ନିଯୁକ୍ତିର ଭବିଷ୍ୟତ

ଆବେଦନର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ୨୦୨୪ ସେପ୍ଟେମ୍ବର ୨୫ରେ ଲିଖିତ ପରୀକ୍ଷାର ଫଳ ପ୍ରକାଶ କରାଯାଇଥିଲା। ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇ ସାରିଥିବା ବେଳେ ୨୦୨୫ ଫେବ୍ରୁଆରି ୭ରେ ନିଯୁକ୍ତିପତ୍ର ପ୍ରଦାନ ପାଇଁ ଯୋଜନା କରାଯାଇଥିଲା। ନିଯୁକ୍ତି ପରୀକ୍ଷାଫଳ ପ୍ରକାଶ ପ୍ରସଙ୍ଗ ଫେବ୍ରୁଆରି ୩ର ଶୁଣାଣି ସମୟରେ ହାଇକୋର୍ଟଙ୍କ ଦୃଷ୍ଟିକୁ ଅଣାଯାଇ ନଥିଲା।  ଏହି ନିଯୁକ୍ତି ପ୍ରକ୍ରିୟା ୨୭୫୩ଟି ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ସହିତ ଜଡ଼ିତ। ଏହା ଜନସ୍ବାର୍ଥ ସହିତ ସଂପୃକ୍ତ ପ୍ରସଂଗ। ତେଣୁ ନିଯୁକ୍ତି ପ୍ରକ୍ରିୟା ଉପରେ ଅଙ୍କୁଶ ଦ୍ବାରା ରାଜ୍ୟରେ ସ୍ବାସ୍ଥ୍ୟସେବା ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ରାଜ୍ୟ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। 

ସୂଚନାଯୋଗ୍ୟ ଯେ ୨୭୫୩ଟି ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ପଦ ପୂରଣ ପାଇଁ ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିସନ୍‌(ଓଏସ୍‌ଏସ୍‌ଏସ୍‌ସି) ପକ୍ଷରୁ ବିଜ୍ଞପ୍ତ ପ୍ରକାଶ ପାଇଥିଲା। ଏଥିପାଇଁ ଅନୁଷ୍ଠିତ ଲିଖିତ ପରୀକ୍ଷାରେ ୨୧ଟି ପ୍ରଶ୍ନ ଓ ସମ୍ଭାବ୍ୟ ଉତ୍ତର ତ୍ରୁଟିପୂର୍ଣ୍ଣ ଥିଲା ବୋଲି ଆବେଦନକାରୀ ଦର୍ଶାଇଛନ୍ତି। କେତେକ ପ୍ରଶ୍ନ ସଂପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ଥିବା ବେଳେ ଏଥି ପାଇଁ ପ୍ରାର୍ଥୀଙ୍କୁ ଗ୍ରେସ୍ ମାର୍କ ଦିଆଯାଇଥିଲା। ଅନ୍ୟ କେତେକର ସଂଶୋଧିତ ଉତ୍ତର ସଂଶୋଧିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ଲିଖିତ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଛି ଏବଂ ପ୍ରକ୍ରିୟାରେ ସ୍ବଚ୍ଛତା ରକ୍ଷା କରାଯାଇ ନଥିବାରୁ ଏହା ଗ୍ରହଣୀୟ ନୁହେଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ରାଜ୍ୟ ସରକାରଙ୍କ ତରଫରୁ ଆଡ୍‌ଭୋକେଟ୍‌ ଜେନେରାଲ୍‌ ପୀତାମ୍ବର ଆଚାର୍ଯ୍ୟ ଓ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରମାକାନ୍ତ ଷଡ଼ଙ୍ଗୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe