DNA India
ବାଲେଶ୍ବର: ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି। ବାରମ୍ବାର ଆବେଦନ କରି କରି ନୟାନ୍ତ ହେଲେଣି। ମାସେ କି ଦୁଇମାସ ନୁହେଁ ବର୍ଷ ବର୍ଷ ଧରି ରାସନ୍ କାର୍ଡ ଅପେକ୍ଷାରେ ରହିଛନ୍ତି ହିତାଧିକାରୀ। ଗୋଟିଏ ପଟେ ଆବେଦନକାରୀଙ୍କ ତାଲିକା ଲମ୍ବି ଚାଲିଥିବା ବେଳେ ଟାର୍ଗେଟ୍ ନଥିବାରୁ ଯୋଜନାରୁ ବାଦ୍ ପଡ଼ିଛନ୍ତି। ସେହିପରି ଯେଉଁ ହିତାଧିକାରୀଙ୍କ କାର୍ଡ ରହିଛି, ପରିବାର ସଦସ୍ୟଙ୍କ ସଂଖ୍ୟା ଏଥିରେ ଯୋଡ଼ିବାକୁ ଚାହିଁଲେ ବି ସାମିଲ କରିହେଉନାହିଁ। କାରଣ ମାସାଧିକ ଧରି ଅନ୍ଲାଇନ୍ ସାଇଟ୍ ବନ୍ଦ ରହିଛି। ଯାହାକୁ ନେଇ ବହୁ ଯୋଗ୍ୟ ହିତାଧିକାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍(ଏନ୍ଏଫ୍ଏସ୍) ଓ ରାଜ୍ୟ ଖାଦ୍ୟ ନିରାପତ୍ତା ଆଇନ୍ (ଏସ୍ଏଫ୍ଏସ୍)ରେ ଜିଲ୍ଲାରେ ୧୮ ଲକ୍ଷ ୮୦ ହଜାର ୫୮୭ ଜଣ ଲୋକ ରାସନ୍କାର୍ଡରେ ଉପକୃତ ହେଉଛନ୍ତି। ଏନ୍ଏଫ୍ଏସ୍ରେ ୪ ଲକ୍ଷ ୯୭ ହଜାର ୯୯୬ ରାସନ୍ କାର୍ଡଧାରୀ ରହିଥିବା ବେଳେ ଏସ୍ଏଫ୍ଏସ୍ରେ ୬୦ ହଜାର ୮୯୮ ଜଣ ରାସନ୍ କାର୍ଡଧାରୀ ରହିଛନ୍ତି। ତେବେ ନୂତନ ରାସନ୍କାର୍ଡ ପାଇବା ପାଇଁ ବର୍ଷାଧିକ ହେଲା ଜିଲ୍ଲାରେ ୯ ହଜାର ୭୯୩ ଜଣ ଯୋଗ୍ୟ ହିତାଧିକାରୀ କାର୍ଡ ପାଇବାକୁ ବିବେଚିତ ହୋଇଥିବା ବେଳେ ଟାର୍ଗେଟ୍ ନ ଥିବାରୁ ଏମାନଙ୍କୁ କାର୍ଡ ମିଳିନାହିଁ। ସରକାରଙ୍କ ପକ୍ଷରୁ ଟାର୍ଗେଟ୍ ଅଧିକ ଦିଆଗଲେ ତେବେ ଏହି ଯୋଗ୍ୟ ହିତାଧିକାରୀ ଯୋଜନା ସାମିଲ ହୋଇ ଉପକୃତ ହୋଇପାରନ୍ତେ। ଅନ୍ୟପକ୍ଷରେ ଜିଲ୍ଲାରେ ବହୁ ଅଯୋଗ୍ୟ ହିତାଧିକାରୀ ଯୋଜନାରେ ସାମିଲ ହୋଇ ବର୍ଷସାରା ରାସନ୍ ନେଉଛନ୍ତି।
କରୋନା ସମୟରେ ସହାୟତା ଟଙ୍କା ବାଣ୍ଟିବା ବେଳେ ପ୍ରକୃତ କେଳେଙ୍କାରୀ ସାମ୍ନାକୁ ଆସିଥିଲା। ୫ ହଜାରରୁ ଅଧିକ ହିତାଧିକାରୀଙ୍କ ପତ୍ତା ମିଳିନଥିଲା। ତେଣୁ ଯୋଗାଣ ବିଭାଗ ପକ୍ଷରୁ ଯଦି ସଠିକ୍ ଯାଞ୍ଚ୍ କରାଯାଆନ୍ତା ତେବେ ଯୋଗ୍ୟ ହିତାଧିକାରୀ ଏଥିରେ ଉପକୃତ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ହେଲେ ବିଭାଗ ପକ୍ଷରୁ ଯାଞ୍ଚ୍ କି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ବାହାନଗାରେ ୬୬୦, ବସ୍ତାରେ ୪୫୪, ଭୋଗରାଇରେ ୮୨୦, ବାଲିଆପାଳରେ ୭୬୦, ଜଳେଶ୍ବରରେ ୬୨୫ ଜଣ, ଖଇରାରେ ୬୭୨ ଜଣ, ଔପଦାରେ ୪୧୧, ନୀଳଗିରିରେ ୭୪୫, ରେମୁଣାରେ ୧୨୪୮ ଜଣ, ସଦରରେ ୧୩୫୦ ଜଣ, ସିମୁଳିଆରେ ୪୬୭, ସୋରରେ ୫୩୭, ସୋର ମୁନିସିପାଲିଟିରେ ୨୧୩, ବାଲେଶ୍ବର ମୁନିସିପାଲିଟିରେ ୫୫୩, ଜଳେଶ୍ବର ମୁନିସିପାଲଟିରେ ୨୦୨, ନୀଳଗିରି ଏନ୍ଏସିରେ ୭୬ ଜଣ ଯୋଗ୍ୟ ହିତାଧିକାରୀ ରହିଛନ୍ତି। ସବୁଠାରୁ ଅଧିକ ରେମୁଣା, ସଦର ଓ ବାଲେଶ୍ବର ପୌରାଞ୍ଚଳରେ ଅଧିକ ହିତାଧିକାରୀ ରହିଛନ୍ତି।
Follow Us