ଏବର୍ଷ ବଢ଼ିଛନ୍ତି ବିଦେଶାଗତ ପକ୍ଷୀ

Advertisment
ଏବର୍ଷ ବଢ଼ିଛନ୍ତି ବିଦେଶାଗତ ପକ୍ଷୀ

ଭୁବନେଶ୍ବର: ୨୦୧୯-୨୦ ତୁଳନାରେ ୨୦୨୦-୨୧ ବର୍ଷରେ ଚିଲିକା, ଭିତରକନିକା ଓ ହୀରାକୁଦକୁ ଅଧିକ ବିଦେଶାଗତ ପକ୍ଷୀ ଆସିଛନ୍ତି। ଚିଲିକାକୁ ସର୍ବାଧିକ ୧୨ଲକ୍ଷ ୪ହଜାର ପକ୍ଷୀ ଆସିଥିବା ବେଳେ ଭିତରକନିକାକୁ ୧ଲକ୍ଷ ୩୬ ହଜାର ଓ ହୀରାକୁଦକୁ ୧ ଲକ୍ଷ ୩ ହଜାର ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥିଲା। ଚିଲିକା ହ୍ରଦକୁ ଦୁଇଟି ନୂଆ ପ୍ରଜାତିର ପକ୍ଷୀ ଯଥା ମାଲାର୍ଡ ଓ ଫାଲକାଟେଡ୍‌ ଟିଲ୍‌ ଆସିଥିବା ବେଳେ ହୀରାକୁଦ ଓ ଭିତରକନିକାକୁ କୌଣସି ନୂତନ ପ୍ରଜାତିର ପକ୍ଷୀ ଆସି ନ ଥିଲେ। ଜାନୁଆରିର ପ୍ରଥମ ଓ ଦ୍ବିତୀୟ ସପ୍ତାହରେ ରାଜ୍ୟର ବିଭିନ୍ନ ବନଖଣ୍ଡରେ ପକ୍ଷୀମାନଙ୍କ ସଂଖ୍ୟା ଆକଳନ କରାଯାଇଥିଲା ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ଉତ୍ତର ରଖିଛନ୍ତି।

ବିଧାୟକ ଅଶ୍ବିନୀ କୁମାର ପାତ୍ରଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଆରୁଖ ଆହୁରି କହିଛନ୍ତି ବିଦେଶାଗତ ପକ୍ଷୀଙ୍କୁ ଆକର୍ଷିତ କରିବା ଓ ସେମାନଙ୍କ ପ୍ରାକୃତିକ ବାସସ୍ଥଳୀ/ପରିବେଶକୁ ସୁରକ୍ଷିତ ରଖିବା ଲାଗି ସୁରକ୍ଷା ସ୍କ୍ବାଡ୍‌ ଗଠନ ହୋଇଛି। ଏଥିସହ ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର, ଜଳାଶୟ ପାର୍ଶ୍ବରେ ନିରୀକ୍ଷଣ ଗମ୍ବୁଜ, ବନସଂରକ୍ଷଣ ସମିତି ଓ ପରିବେଶ ଉନ୍ନୟନ କମିଟିର ସହାୟତା ନିଆଯାଇଛି। ବାର୍ଡ ଫ୍ଲୁ ଓ ପକ୍ଷୀଙ୍କ ମଧ୍ୟରେ ଦେଖାଦେଉଥିବା ରୋଗକୁ ଚିହ୍ନଟ କରିବା ଓ ତାହାର ପରିବ୍ୟାପ୍ତିକୁ ସୀମିତ ରଖିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ହେଉଛି। ବେତାର ଯନ୍ତ୍ର ମାଧ୍ୟମରେ ବନ କର୍ମଚାରୀ ଓ ବିଭିନ୍ନ ସ୍ଥାନରେ ଥିବା ସୁରକ୍ଷା ଦଳ ମଧ୍ୟରେ ଯୋଗାଯୋଗ ରଖାଯାଇ ତଦାରଖ ହେଉଛି। ପ୍ରତି ଶିବିରରେ ଜଣେ ଜଙ୍ଗଲ ଅଧିକାରୀଙ୍କ ସହ ସ୍ଥାନୀୟ ବାସିନ୍ଦାଙ୍କୁ ନିଯୁକ୍ତ କରାଯାଇଛି। ଶିକରୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ତୀକ୍ଷ୍ଣ ନଜର ରଖାଯାଇଛି। ସ୍ଥଳପଥରେ ଭ୍ରାମ୍ୟମାଣ ଦଳ ପକ୍ଷୀ ନିବାସ ଅଞ୍ଚଳରୁ ଆସୁଥିବା ସମସ୍ତ ଗାଡ଼ି ଉପରେ ନଜର ରଖିଥା’ନ୍ତି। ପ୍ରଚାରପତ୍ର ମାଧ୍ୟମରେ ପକ୍ଷୀ ସୁରକ୍ଷା ନିମନ୍ତେ ଲୋକଙ୍କୁ ସଚେତନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe