ରାଜ୍ୟରେ ୫ ବର୍ଷରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ୯୪% କମିଛି

ବିଏମ୍‌ସିକୁ ମଶାଚିନ୍ତା: ୪ ନଳାରେ ଛଡ଼ାହେଲା ଗଙ୍ଗୁସିଆ ମାଛ

ଭୁବନେଶ୍ବର : ମ୍ୟାଲେରିଆ ନିୟନ୍ତ୍ରଣରେ ଓଡ଼ିଶା ବେଶ୍‌ ସଫଳତା ହାସଲ କରିଛି। ୨୦୧୬ରେ ରାଜ୍ୟରେ ଯେତିକି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ବର୍ତମାନ ତାହା ତୁଳନାରେ ରୋଗୀଙ୍କ ସଂଖ୍ୟାରେ ୯୪% ହ୍ରାସ ଘଟିଛି। ଏପରିକି ୨୦୨୦ ତୁଳନାରେ ୨୦୨୧ରେ ରୋଗୀଙ୍କ ସଂଖ୍ୟାରେ ୩୯ ପ୍ରତିଶତ କମିଛି। ମ୍ୟାଲେରିଆ ଜନିତ ମୃତ୍ୟୁରେ ମଧ୍ୟ ବଡ଼ ହ୍ରାସ ଦେଖିବାକୁ ମିଳିଛି। ତେଣୁ ଗତବର୍ଷ ତୁଳନାରେ ଚଳିତବର୍ଷ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟାରେ ଆହୁରି ୪୦ ପ୍ରତିଶତ ହ୍ରାସ ଲକ୍ଷ୍ୟ ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

publive-image

‘ସମ୍ବାଦ’ ପ୍ରତିନିଧିଙ୍କ ସହିତ ସ୍ବତନ୍ତ୍ର ଆଲୋଚନା ସମୟରେ ଡା.ମିଶ୍ର କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ଚିହ୍ନଟ ହେଉଥିବା ମ୍ୟାଲେରିଆ ରୋଗୀଙ୍କ ମଧ୍ୟରୁ ପ୍ରାୟ ୮୦% କେବଳ ୫ ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଓ କନ୍ଧମାଳରୁ ଚିହ୍ନଟ ହେଉଛନ୍ତି। ଯଦି ଏହି ଜିଲ୍ଲାଗୁଡ଼ିକରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଏ ତାହାଲେ ରାଜ୍ୟରେ ଏହା କମିଯିବ। ସଂପୃକ୍ତ ଜିଲ୍ଲାଗୁଡ଼ିକରେ ବର୍ତ୍ତମାନ ଜନସଚେତନା ଉପରେ ଗୁରୁତ୍ବ ଦିଆଯିବା ସହ ଲୋକଙ୍କୁ ମାଗଣାରେ ଔଷଧୀୟ ମଶାରୀ ବଣ୍ଟନ କରାଯାଉଛି। କିଛି ସ୍ଥାନରେ ମ୍ୟାଲେରିଆ ଆକ୍ରାନ୍ତ ଲୋକମାନେ ପାରମ୍ପରିକ ରୀତିରେ ଗୁଣିଆ ଓ ଅନ୍ୟମାନଙ୍କ ସହାୟତାରେ ନିଜର ଚିକିତ୍ସା କରୁଛନ୍ତି। ‌ତେଣୁ ଏସବୁ ଲୋକମାନଙ୍କୁ ଏଭଳି ଚିକିତ୍ସାରୁ ବିରତ କରିବା ସହିତ ଡାକ୍ତରଖାନାରେ ଚିକିତ୍ସା କରିବା ଲାଗି ସଚେତନ କରାଯାଉଛି। ଏହାସହ ଦୁର୍ଗମ ଅଞ୍ଚଳ ମ୍ୟାଲେରିଆ ନିରାକରଣ(ଦମନ) ଯୋଜନା ସହୟତାରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ବିହିତ ପଦକ୍ଷେପ ନିଆଯାଉଛି। ୨୦୩୦ ସୁଦ୍ଧା ରାଜ୍ୟକୁ ସଂପୂର୍ଣ୍ଣ ଭାବେ ମ୍ୟାଲେରିଆମୁକ୍ତ ଲକ୍ଷ୍ୟ ରଖାଯାଇଛି।

୨୦୧୬ରେ ରାଜ୍ୟରେ ୪ ଲକ୍ଷ ୪୪ ହଜାର ୮୪୨ ମ୍ୟାଲେରିଆ ରୋଗୀ ଚିହ୍ନଟ ହେଇଥିଲେ। ୨୦୧୭ ବେଳକୁ ଏହି ସଂଖ୍ୟା ୩ ଲକ୍ଷ ୪୭ ହଜାର ୮୬୦କୁ ହ୍ରା‌ସ ପାଇଥିଲା। ୨୦୨୧ରେ ଏହି ସଂଖ୍ୟା ଆହୁରି ହ୍ରାସ ପାଇ ମାତ୍ର ୨୫ ହଜାର ୫୨୫ରେ ପହଞ୍ଚିଛି। ସେହିପରି ମ୍ୟାଲେରିଆରେ ମୃତ୍ୟୁ ସଂଖ୍ୟା ୮୦ରୁ ୧୩କୁ ଖସି ଆସିଛି। ୨୦୧୮ ଓ ୨୦୧୯ରେ ଦେଶରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟାରେ ୧୭ ପ୍ରତିଶତ ହ୍ରାସ ହୋଇଥିବା ବେଳେ ଓଡ଼ିଶାରେ ୪୦ ପ୍ରତିଶତ ହ୍ରାସ ପାଇଛି। ମ୍ୟାଲେରିଆ ନିୟନ୍ତ୍ରଣରେ ଓଡ଼ିଶା ଅନ୍ୟ ରାଜ୍ୟଙ୍କ ତୁଳନାରେ ଏହି ବର୍ଷ ଗୁଡ଼ିକରେ ବେଶ୍ ଭଲ ପ୍ରଦର୍ଶନ କରିଥିବା ଡା.ମିଶ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe