ଏମ୍ସରେ ନାହିଁ ଅସ୍ତ୍ରୋପଚାର ବ୍ୟବସ୍ଥା: ବଢ଼ୁଛି ନବଜାତ ହୃଦ୍‌ରୋଗୀଙ୍କ ସଂଖ୍ୟା

Advertisment
ଏମ୍ସରେ ନାହିଁ ଅସ୍ତ୍ରୋପଚାର ବ୍ୟବସ୍ଥା: ବଢ଼ୁଛି ନବଜାତ ହୃଦ୍‌ରୋଗୀଙ୍କ ସଂଖ୍ୟା

ଭୁବନେଶ୍ବର : ଭୁବନେଶ୍ବର ଏମ୍ସରେ ନାହିଁ ଶିଶୁ ହୃଦ୍‌ରୋଗୀଙ୍କ ଚିକିତ୍ସା ଏବଂ ଅସ୍ତ୍ରୋପଚାର ବ୍ୟବସ୍ଥା। ଅନ୍ୟ ସାଧାରଣ ଡାକ୍ତରଖାନା ଭଳି ଏମ୍ସ ମଧ୍ୟ ସେମାନଙ୍କୁ ରେଫର କରିଦିଏ। କିଛି ମାସ ହେଲା ହୃଦ୍‌ଶଲ୍ୟ ବିଭାଗ ପକ୍ଷରୁ ଶିଶୁ ହୃଦ୍‌ରୋଗ ଚିକିତ୍ସା କ୍ଲିନିକ୍‌ ଖୋଲିଥିଲେ ମଧ୍ୟ ଏଠାରେ ଚିକିତ୍ସା ବ୍ୟବସ୍ଥା ଆଖିଦୃଶିଆ ହୋଇ ପାରୁନାହିଁ। ଶିଶୁ ହୃଦ୍‌ରୋଗୀଙ୍କ ଚିକିତ୍ସା ଏବଂ ଅସ୍ତ୍ରୋପଚାର ବ୍ୟବସ୍ଥା ରାଜ୍ୟର କୌଣସି ସରକାରୀ ଡାକ୍ତରଖାନାରେ ନାହିଁ। ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର କରାଯାଉଥିଲେ ମଧ୍ୟ ଜଟିଳ ଶିଶୁ ହୃଦ୍‌ରୋଗୀଙ୍କୁ ବାହାରକୁ ପଠାଯାଏ। ବର୍ତ୍ତମାନ ରାଜ୍ୟରେ ଶିଶୁ ହୃଦ୍‌ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ନବଜାତକଙ୍କ ଠାରୁ ଆରମ୍ଭ କରି ୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ମଧ୍ୟରେ ହୃତ୍‌ପିଣ୍ଡରେ କଣା, ହୃତ୍‌ପିଣ୍ଡ ଅବସ୍ଥିତିରେ ପରିବର୍ତ୍ତନ ଭଳି ବିଭିନ୍ନ ପ୍ରକାର ସମସ୍ୟା ଚିହ୍ନଟ ହେଉଛି। ଏମାନଙ୍କ ମଧ୍ୟରୁ ୫ ପ୍ରତିଶତ ଶିଶୁ ସାମାନ୍ୟ ଏବଂ ୫ ପ୍ରତିଶତ ଗୁରୁତର ହୃଦ୍‌ରୋଗର ଶିକାର ହୋଇଥାଆନ୍ତି। ଯାହାଙ୍କୁ ତୁରନ୍ତ ଅସ୍ତ୍ରୋପଚାରର ଆବଶ୍ୟକ ହୁଏ।

୨୦୧୪ ମସିହାରେ ଏମ୍ସରେ ହୃଦ୍‌ରୋଗ ବିଭାଗ ଖୋଲିବା ବେଳେ ଅନେକ ଶିଶୁ ହୃଦରୋଗୀଙ୍କ ଅଭିଭାବକ ଏଠାକୁ ଆସୁଥିଲେ। କିନ୍ତୁ ବର୍ତ୍ତମାନ ଏହି ଚିକିତ୍ସା ବ୍ୟବସ୍ଥା ନଥିବାରୁ ଓପିଡିକୁ ଶିଶୁ ହୃଦ୍‌ରୋଗୀ ସେତେ ଆସୁ ନାହାନ୍ତି। କିନ୍ତୁ ଅନେକ ନବଜାତକଙ୍କ ଠାରେ ଏହା ଚିହ୍ନଟ ହେଉଛି। ଯାହାଙ୍କୁ ତୁରନ୍ତ ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼ୁଛି। ଏମ୍ସରେ ଏହା ସମ୍ଭବ ନଥିବାରୁ ଅନେକଙ୍କ ମୃତ୍ୟୁ ମଧ୍ୟ ହେଉଛି। ସ୍ବତନ୍ତ୍ର ଆଇସିୟୁ ଏବଂ ଓଟି ନାହିଁ। ବିଶେଷଜ୍ଞଙ୍କ ଅନୁସାରେ, ଶିଶୁ ହୃଦ୍‌ରୋଗୀଙ୍କ ଚିକିତ୍ସା ପାଇଁ ଭିତ୍ତିଭୂମି ସୃଷ୍ଟି କରିବା ଏମ୍ସ ପାଇଁ କଷ୍ଟକର ନୁହେଁ। କିନ୍ତୁ ଏଥିପାଇଁ ସ୍ବତନ୍ତ୍ର ଡାକ୍ତର ନିଯୁକ୍ତି ହେଲେ ଏକ ବଡ଼ ସମସ୍ୟାର ସମାଧାନ ହୋଇ ପାରିବ। ଦେଶରେ ଏମ୍ସ ନୂଆଦିଲ୍ଲୀ, କୋଲକାତା, ମୁମ୍ବାଇ, ବେଙ୍ଗାଲୁରୁରେ ନାରାୟଣ ହୃଦୟାଳୟ ରହିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ନାରାୟଣ ହୃଦୟାଳୟ ସହିତ ଚୁକ୍ତିନାମା ସ୍ବାକ୍ଷରିତ କରାଯାଇଛି। ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ପ୍ରତିବର୍ଷ କିଛି ଶିଶୁଙ୍କୁ ନାରାୟଣ ହୃଦୟାଳୟକୁ ପଠାଯାଏ। ମାତ୍ର ଅନେକଙ୍କ ପାଇଁ ସେଠାକୁ ଯିବା ସମ୍ଭବ ହୋଇନଥାଏ। ଫଳରେ ଅନେକ ଶିଶୁ ଉପଯୁକ୍ତ ଚିକିତ୍ସା ପାଇବାକୁ ବଞ୍ଚିତ ହୁଅନ୍ତି। ଓଡ଼ିଶାରେ ଏମ୍ସ ପକ୍ଷରୁ ଏହି ବ୍ୟବସ୍ଥା ହେଲେ ଅନେକ ରୋଗୀ ଉପକୃତ ହୋଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe