ଚର୍ଚ୍ଚାକୁ ଆସିଲା ନୀଳଗିରି ଥାନାଧିକାରୀଙ୍କ ପୁରୁଣା ବିବାଦ

Advertisment
ଚର୍ଚ୍ଚାକୁ ଆସିଲା ନୀଳଗିରି ଥାନାଧିକାରୀଙ୍କ ପୁରୁଣା ବିବାଦ

ଯାଜପୁର: ବାଲେଶ୍ବର ଜିଲ୍ଲା ନୀଳଗିରି ଥାନାଧିକାରିଣୀ ଦ୍ରୌପଦୀ ଦାସଙ୍କ ଦୌରାତ୍ମ୍ୟକୁ ନେଇ ସାରାରାଜ୍ୟରେ ପ୍ରତିବାଦର ସ୍ବର ଉଠିଛି। ‘ସମ୍ବାଦ’ ଓ ‘କନକଟିଭି’ର ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ମାଡ଼ମାରି ଡାକ୍ତରଖାନାରେ ବେଡ଼ି ପକାଇ ରଖିବାକୁ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ଯାଜପୁର ସମେତ ରାଜ୍ୟ ବିଭିନ୍ନ ଜିଲ୍ଲାରେ ସାମ୍ବାଦିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଶ୍ରୀମତୀ ଦାସଙ୍କ ଶାଶୂଘର ଯାଜପୁର ବରୀ ହୋଇଥିବାବେଳେ ସେ ମଧ୍ୟ ଦୀର୍ଘଦିନ ଧରି ଜିଲ୍ଲାର ଏକାଧିକ ଥାନା, ଫାଣ୍ଡି ଓ ସ୍ପେସାଲ ବ୍ରାଞ୍ଚରେ କାମ କରିଥିଲେ। ତାଙ୍କ ସମୟରେ ସୃଷ୍ଟି ହୋଇଥିବା ବିବାଦଗୁଡ଼ିକ ଏବେ ପୁଣି ଚର୍ଚ୍ଚାକୁ ଆସିଛି।

ଶ୍ରୀମତୀ ଦାସ ଯାଜପୁରରୋଡ଼ ଥାନା ଅଧୀନ ଦାନଗଦୀ ଫାଣ୍ଡି ଦାୟିତ୍ବରେ କିଛିଦିନ ରହିବା ପରେ ୨୦୧୬ ରୁ ୨୦୧୮ ପ୍ରାୟ ୨ବର୍ଷ ଟମକା ଥାନା ଦାୟିତ୍ବରେ ଥିଲେ। ଏହି ସମୟରେ ତାଙ୍କର କାର୍ଯ୍ୟକଳାପକୁ ନେଇ ଜନ ଅସନ୍ତୋଷ ଦେଖା ଦେଇଥିଲେ ହେଁ ଉଚ୍ଚ ପଦାଧିକାରୀଙ୍କ ଅନୁକମ୍ପାରୁ ସବୁକିଛି ଚାପି ହୋଇଯାଇଥିଲା। ସେତେ‌ବେଳେ ଥାନା ଡ୍ରାଇଭରଙ୍କ ସହିତ ଶ୍ରୀମତୀ ଦାସଙ୍କ ଗଣ୍ଡଗୋଳକୁ ନେଇ ଆଲୋଚନା ଜୋର୍‌ ଧରିଥିଲା। ଏହାପରେ ସେ ସ୍ପେସାଲ ବ୍ରାଞ୍ଚ୍‌ ଯାଜପୁରଟାଉନକୁ ଆସିଥିଲେ। ସ୍ପେସାଲ ବ୍ରାଞ୍ଚରେ ଶ୍ରୀମତୀ ଦାସ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ରହିଥି‌ଲେ। ମାତ୍ର ତାଙ୍କର କାର୍ଯ୍ୟକଳାପ ସେପରି ସନ୍ତୋଷଜନକ ନଥିଲା। ଏହାପରେ ଶ୍ରୀମତୀ ଦାସଙ୍କୁ ନୀଳଗିରି ଥାନାରେ ଅବସ୍ଥାପିତ କରାଯାଇଥିଲା। ଯାଜପୁର ଜିଲ୍ଲାରେ ଶ୍ରୀମତୀ ଦାସଙ୍କ ଶାଶୂଘର ଓ ନିଜ ଘର ଭଦ୍ରକ ହୋଇଥିଲେ ହେଁ ତାଙ୍କର ଦୀର୍ଘଦିନର କାର୍ଯ୍ୟକଳାପକୁ ନେଇ ଆଲୋଚନା ତଥା ସମାଲୋଚନା ଆରମ୍ଭ ହୋଇଯାଇଛି। ବିଶେଷକରି, ଟମକା ଥାନା ଅଞ୍ଚଳରେ ବ୍ୟାପକ ଚୋରାଖଣିଜ କାରବାର ଚାଲିଥିଲେ ମଧ୍ୟ ଏଠାରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିନାହିଁ। କିଛିଦିନ ପୂର୍ବରୁ ବନ ବିଭାଗ ଚଢ଼ଉ କରି ଜେସିବି ଓ ଟ୍ରକ୍‌ ଜବତ କରିଥିବାବେଳେ ପୁଲିସ ନିରବ। ଏଥିରେ ଟମକା ପୁଲିସର ଭୂମିକା ସନ୍ଦେହ ଘେରରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe