ଉମାକାନ୍ତ ମହାକୁଳ
ବାଉଁଶୁଣୀ: ବୌଦ୍ଧ ଗଡ଼ଜାତର ଐତିହାସିକ ସ୍ମାରକୀ ବାଉଁଶୁଣୀ ଡାକବଙ୍ଗଳାର ସତ୍ତା ଲୋପ ପାଇବା ଉପରେ। ତଥାପି ଏହାର ରକ୍ଷଣାବେକ୍ଷଣ ବ୍ୟବସ୍ଥା କରାଯାଉ ନ ଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ରାଜତନ୍ତ୍ର ସମୟରେ ବୌଦ୍ଧ ରାଜ୍ୟର ୪୪ତମ ଶାସକ ରାଜା ଯୋଗୀନ୍ଦ୍ର ଦେବଙ୍କ ରାଜୁତି କାଳ ୧୮୭୯ରୁ ୧୯୧୩ ମସିହା ମଧ୍ୟରେ ପ୍ରାଚୀନ ଜଗନ୍ନାଥ ସଡ଼କ ତଥା ମହାନଦୀ କୂଳେକୂଳେ ବାସୁଦେବପାଲି, ବାଉଁଶୁଣୀର ବାଘନଦୀ କୂଳ, ତେଲିବନ୍ଧ, ବୌଦ୍ଧ, କରଡ଼ି, ଧଳପୁର, ହରଭଙ୍ଗା, ଶୀତଳପାଣି ଆଦି ସ୍ଥାନରେ ଭବ୍ୟ ବଙ୍ଗଳା ସବୁ ନିର୍ମାଣ କରାଯାଇଥିଲା। ଯାହାକୁ ପରବର୍ତ୍ତୀ ସମୟରେ ଡାକବଙ୍ଗଳା କୁହାଗଲା। ରାଜତନ୍ତ୍ର ଚାଲିଯିବା ପରେ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ଦାୟିତ୍ୱରେ ଏସବୁ ବଙ୍ଗଳା ବର୍ତ୍ତମାନ ରହିଛି। ବାଉଁଶୁଣୀ ବଙ୍ଗଳାଟି ବାଘନଦୀ ଓ ମହାନଦୀର ସଂଗମସ୍ଥଳ ନିକଟରେ ଅବସ୍ଥିତ। ପାଖରେ ମହାନଦୀ ମଝିରେ ବୁଦାକୁଦ ନାମରେ ଟାପୁ ରହିଥିବା କାରଣରୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ବଙ୍ଗଳାର ଏକ ସ୍ୱତନ୍ତ୍ର ଆକର୍ଷଣ ରହିଥିଲା ବୋଲି ଲୋକଙ୍କ ମୁହଁରୁ ଶୁଣିବାକୁ ମିଳିଥାଏ। ସେଥିପାଇଁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏଠାରେ ରାତ୍ରିଯାପନ କରିଥିଲେ ବୋଲି ଅଞ୍ଚଳର ବୟସ୍କ ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି।
Health: ବଣ୍ଡା ଯୁବକଙ୍କ ଚିକିତ୍ସା ପାଇଁ ବିଭିନ୍ନ ମହଲରୁ ସହଯୋଗ ଆସିଲା
ଏହି ବଙ୍ଗଳାରେ ବିଭିନ୍ନ ସଭାସମିତି କରାଯିବା ସହ ଅଞ୍ଚଳକୁ ଆସିଥିବା ବିଶିଷ୍ଟ ବ୍ୟକ୍ତିମାନେ ଏଠାରେ ରାତ୍ରିଯାପନ କରୁଥିଲେ। ଏପରିକି ବହୁ ବର୍ଷ ପୂର୍ବରୁ ଛତିଶଗଡ଼ ଅଞ୍ଚଳର ଲୋକେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ପୁରୀକୁ ଚାଲିଚାଲି ଯାଉଥିବା ସମୟରେ ଏଠାରେ ନଦୀ ଥିବାରୁ ରୋଷେଇବାସ କରି ଖାଇସାରି ଏହି ବଙ୍ଗଳାରେ ବିଶ୍ରାମ ନେଉଥିଲେ। ହେଲେ ଏଭଳି ଏକ ଐତିହାସିକ ବଙ୍ଗଳାର ବର୍ତ୍ତମାନର ଦୃଶ୍ୟ ଦେଖିଲେ ଯେ କେହି ବି କ୍ଷୋଭ ପ୍ରକାଶ କରିବ। କାରଣ ମରାମତି ନାଁରେ ଗତ ୫ ବର୍ଷ ହେଲା ଏହାର ଆଜ୍ବେଷ୍ଟସ୍ ଛାତ କାଢ଼ି ଦିଆଯାଇ ଆଉ ମରାମତି କରାଯାଉ ନାହିଁ। ବଙ୍ଗଳାଟି ଏବେ ଏକ ପରିତ୍ୟକ୍ତ ସ୍ଥାନ ପାଲଟିବା ସହ ଅସାମାଜିକ ତତ୍ତ୍ୱ ଓ ମଦୁଆଙ୍କ ଆଡ଼ାସ୍ଥଳୀରେ ପରିଣତ ହୋଇଛି। ଏଭଳି ପରିସ୍ଥିତିରେ ଏହି ଐତିହାସିକ ସ୍ମାରକୀଟି ସମ୍ପୂର୍ଣ୍ଣ ଭାବେ ଧ୍ବଂସ ପାଇ ମାଟିରେ ମିଶିଯିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ୫ବର୍ଷ ପୂର୍ବରୁ ମରାମତି ଆଳରେ ଏଠାରେ ଥିବା ରାଜରାଜୁଡ଼ା ଅମଳର ପଲଙ୍କ, ଡ୍ରେସିଂ ଟେବୁଲ୍, ଟିପୟ, ହାତଟଣାପଙ୍ଖା ଓ ଅନ୍ୟାନ୍ୟ ସାମଗ୍ରୀ ସବୁ କାଢ଼ି ନିଆଯାଇଥିଲା। ସେଗୁଡ଼ିକ ଏବେ କେଉଁଠି ଅଛି ତାହାର ଉତ୍ତର ପୂର୍ତ୍ତ ବିଭାଗ ପାଖରେ ନାହିଁ। ଏଭଳି ସ୍ଥିତିରେ ବଙ୍ଗଳା ତା’ର ପୂର୍ବ ଇତିହାସକୁ କିଭଳି ସାଇତି ରଖିବ ତାହା ଏବେ ବଡ଼ ପ୍ରଶ୍ନ। ଲୋକଙ୍କ ଭାବାବେଗ ସହ ଜଡ଼ିତ ଏପରି ଏକ ଐତିହାସିକ ସ୍ମାରକୀକୁ ବଞ୍ଚାଇ ରଖିବା ସରକାର ଓ ସ୍ଥାନୀୟ ପ୍ରଶାସନର ଦାୟିତ୍ବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/06/dadadgzvcvc-2026-03-06-01-53-31.jpg)