ଝାରବନ୍ଧ: ଝାରବନ୍ଧ ବ୍ଲକ ବିଜାଢ଼ୋଲଠାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନସ୍ଥ ଉନ୍ନୀତ ସରକାରୀ ଉଚ୍ଚବିଦ୍ୟାଳୟରେ ଶିକ୍ଷକ ନ ଆସିବାରୁ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରି ସ୍କୁଲ ଗେଟ୍ରେ ତାଲା ପକାଇଛନ୍ତି। ସୂଚନା ଅନୁସାରେ ସ୍କୁଲରେ ଦୀର୍ଘ ଦିନ ଧରି ଶିକ୍ଷକ ଅଭାବରୁ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡିଛି। ଯାହା ଶିକ୍ଷକ ଅଛନ୍ତି ଏମାନେ ମଧ୍ୟ ନିୟମିତ ସ୍କୁଲକୁ ଆସୁନଥିବା ଅଭିଯୋଗ ହୋଇଛି। ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପାଠ ପଢ଼ିବାର ସୁବିଧା ଥିବା ଏହି ସ୍କୁଲରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାମାନଙ୍କ ହଷ୍ଟେଲର ସୁବିଧା ମଧ୍ୟ ରହିଛି। ହେଲେ ଆବଶ୍ୟକ ଶିକ୍ଷକ ନ ଥିବାରୁ କେବଳ ଖାଇବା ଓ ଶୋଇବା ବ୍ୟତୀତ ଅନ୍ୟ କିଛି ସୁବିଧା କରୁନାହାନ୍ତି। ପ୍ରାଥମିକସ୍ତରରେ ମାତ୍ର ୩ ଜଣ ଶିକ୍ଷକ ଥିବା ବେଳେ ଉଚ୍ଚବିଦ୍ୟାଳୟରେ ମାତ୍ର ଜଣେ ଗଣିତ ଶିକ୍ଷକରେ ସ୍କୁଲ ଚାଲିଛି।
ଏଠାରେ ନିୟମିତ ପ୍ରଧାନଶିକ୍ଷକ ନିଯୁକ୍ତି କରାଯାଇ ନଥିବାରୁ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଦିଲ୍ଲୀପ ପ୍ରଧାନଙ୍କୁ ପ୍ରଧାନଶିକ୍ଷକ ଏବଂ ସ୍କୁଲ ପରିଚାଳନା ପାଇଁ ପ୍ରାଥମିକ ଶିକ୍ଷକ ନୀଳାମ୍ବର ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି। ଏପରି କମ୍ ଶିକ୍ଷକରେ ୩୦୦ ରୁ ଅଧିକ ପିଲାମାନଙ୍କ ପାଠପଢ଼ା, ଉଚ୍ଚବିଦ୍ୟାଳୟର ପିଲାମାନଙ୍କ ପାଠପଢ଼ା ସହିତ ହଷ୍ଟେଲ ପରିଚାଳନା ନିର୍ବାହ କରାଯାଉଛି। ଗତ ଦଶହରା ଛୁଟି ପରେ ୧୧ ସେପ୍ଟେମ୍ବରରେ ସ୍କୁଲ ଖୋଲାଯାଇଛି। ହେଲେ ୧୨ ତାରିଖ ସୁଦ୍ଧା ସ୍କୁଲରେ କୌଣସି ଶିକ୍ଷକ ଯୋଗ ଦେଇନଥିଲେ। କେତେକ ଅଭିଭାବକ ପିଲାମାନଙ୍କୁ ଛାଡ଼ିବା ପାଇଁ ଆସିବାରୁ ଶିକ୍ଷକ କେହି ଆସିନଥିବା ଜାଣିବାକୁ ପାଇଥିଲେ। ଏନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କେବଳ ପିଅନ ଓ ରାନ୍ଧୁଣିଆ ବ୍ୟତୀତ ଶିକ୍ଷକ କିମ୍ବା ମେଟ୍ରନ ମଧ୍ୟ ସ୍କୁଲରେ ନ ଥିଲେ।
ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଦିଲ୍ଲୀପ କେଉଁଟ, ଉପାଧ୍ୟକ୍ଷା ରଜନୀ ହାତୀ ଓ ସଭ୍ୟ ସରୋଜ ଝଗରା ପହଞ୍ଚି ଏ ବିଷୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଭୂଷଣ ବିଶ୍ୱାଳଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ। ଅଭିଭାବକମାନେ ସ୍କୁଲ ସମ୍ମୁଖରେ ବସି ଏହାର ପ୍ରତିବାଦ କରି ଅନୁପସ୍ଥିତ ଥିବା ଶିକ୍ଷକ ଓ କର୍ମଚାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଏହାପରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଦିଲ୍ଲୀପ ପ୍ରଧାନଙ୍କୁ ସ୍କୁଲକୁ ପଠାଇଥିଲେ। ଶ୍ରୀ ପ୍ରଧାନ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ ହେଁ ତାହା ବିଫଳ ହୋଇଥିଲା। ଖାଲିଥିବା ଶିକ୍ଷକ ନିଯୁକ୍ତି ଓ ଅନୁପସ୍ଥିତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବାଯାଏ ତାଲା ବନ୍ଦ ରହିବ ବୋଲି ଅଭିଭାବକମାନେ କହିଥିଲେ। ହଷ୍ଟେଲରେ ଥିବା ସମସ୍ତ ପିଲାମାନଙ୍କୁ ଅଭିଭାବକମାନେ ନିଜ ଘରକୁ ନେଇଯାଇଥିଲେ।
Follow Us