କଲମପୁର : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ମିନଗୁର ଧାନ ମଣ୍ଡି ପରିସରରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ବିଜେଡି ସଭାପତି ନବୀନ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଉପସ୍ଥିତ ରହି ପଦଯାତ୍ରା ସମ୍ପର୍କରେ କର୍ମୀଙ୍କ ସହ ଆଲୋଚନା କରୁଥିଲେ। ହେଲେ ବୈଠକ ଆରମ୍ଭରୁ ଅସନ୍ତୁଷ୍ଟ କର୍ମୀଙ୍କ ପ୍ରଶ୍ନ ବାଣରେ ବିଧାୟକ ଶ୍ରୀ ବାଗ ଘାଇଲା ହୋଇ ପଡ଼ିଥିଲେ। ପାଣ୍ଠି ବଣ୍ଟନକୁ ନେଇ କର୍ମୀ ଉତ୍ତେଜିତ ହୋଇ ପଡ଼ିଥିଲେ। ବିଧାୟକ କଳମପୁର ବ୍ଲକ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ବୋଲି ବିଧାୟକଙ୍କ ସହ ବହୁ କର୍ମୀ ଯୁକ୍ତିତର୍କ କରିଥିଲେ। ବିଧାୟକଙ୍କୁ ନିଜ କଥା ରଖିବାକୁ ସୁଯୋଗ ମଧ୍ୟ ଦେଇନଥିଲେ। ହୋ-ହଲ୍ଲାରେ ବୈଠକକୁ ବନ୍ଦ କରିବାକୁ ପଡିଥିଲା।
ବିଧାୟକ ପାଣ୍ଠି ସବୁକୁ ନିଜ ସ୍ୱାର୍ଥ ପାଇଁ ନିଜ ଅଞ୍ଚଳରେ ହିଁ ଲଗାଉଥିବା ଅଭିଯୋଗ କରିଥିଲେ। ପୁଣି ଜନସାଧାରଣ ତଥା କର୍ମୀଙ୍କ ସହ ବିଧାୟକ ଉତ୍ତମ ସମ୍ପର୍କ ରଖୁନଥିବା ଅଭିଯୋଗ କରିଥିଲେ। କ’ଣ ଭଲ କାମ କରିଛନ୍ତି ଯେ ଆମେ କର୍ମୀମାନେ ଲୋକଙ୍କୁ ଜବାବ ଦେବୁ ବୋଲି ପ୍ରକାଶ କରି ଜନସମ୍ପର୍କ ପଦଯାତ୍ରାରେ ଯୋଗ ଦେବୁ ନାହିଁ ବୋଲି ବିଧାୟକଙ୍କୁ ରୋକ୍ଠୋକ୍ ମନା କରି ଦେଇଛନ୍ତି। ଯଦିଓ ବିଧାୟକ ଆମ ବ୍ଲକରେ ପଦଯାତ୍ରା କରନ୍ତି, ତା’ହେଲେ ତାଙ୍କୁ ଅଣ୍ଡା ମାଡ଼ କରାଯିବ ବୋଲି କହିଛନ୍ତି। ​ଏତେ ସବୁ ଶୁଣିବା ପରେ ବିଧାୟକ ଅପମାନିତ ହୋଇ ବାଧ୍ୟ ହୋଇ ସଭା ଛାଡ଼ି ଚାଲି ଯାଇଥିବା ଆଲୋଚନା ହେଉଛି। ଏସବୁ ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
Follow Us