ଚାନ୍ଦବାଲି: ଗାଁକୁ ରାସ୍ତା ନାହିଁ। ଗାଁକୁ ଯିବାକୁ ହେଲେ ଯୋର ପାର ହେବାକୁ ପଡ଼ିବ। ଆଉ ଏଥିପାଇଁ ବାଉଁଶ ଚାର ହିଁ ଭରସା। ଆଜି ଜଣେ ଯୁବକଙ୍କ ଦେହ ଖରାପ ଥିବାରୁ ଯୋରରେ ପାଣି ଥିବାବେଳେ ବାଉଁଶ ଚାର ଉପରେ ବିପଜ୍ଜନକ ଭାବେ ଭାର କରି ଡାକ୍ତରଖାନା ନେବା ଦୃଶ୍ୟ ଚାନ୍ଦବାଲି ବ୍ଲକର ବିକାଶ ଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଚାନ୍ଦବାଲି ବ୍ଲକର ଚରଦିଆ ପଞ୍ଚାୟତର ରାଜେନ୍ଦ୍ରପଲ୍ଲୀ ଗ୍ରାମକୁ ରାସ୍ତା ନ ଥିବାରୁ ପ୍ରତିଦିନ ଗ୍ରାମର ପ୍ରାୟ ୩୦ରୁ ଊର୍ଦ୍ଧ୍ବ ପରିବାର ବନୀଗଣ୍ଡ ଯୋର ଉପରେ ବାଉଁଶ ଚାରରେ ଯିବାଆସିବା କରିଥାନ୍ତି। ଆଜି ସକାଳେ ରାଜେନ୍ଦ୍ରପଲ୍ଲୀ ଗ୍ରାମର ଯୁବକଙ୍କ ଦଇତାରୀ ମାଝୀ(୨୮)ଙ୍କ ଦେହ ଖରାପ ହେବାରୁ ତାଙ୍କୁ କିଛି ଲୋକ ଭରା ଯୋରରେ ବାଉଁଶ ଚାର ଉପରେ ଦୋଳିରେ ବୋହି ନେଇ ଡାକ୍ତରଖାନା ଯାଉଥିବାର ଦେଖିବାକୁ ମିଳିଛି। ଏହି ଗ୍ରାମକୁ ରାସ୍ତା ନଥିବାରୁ ଦୀର୍ଘ ବର୍ଷ ଧରି ଏହି ବାଉଁଶ ଚାରରେ ସେମାନେ ଯାତାୟାତ କରୁଛନ୍ତି।
ଏ ସମ୍ପର୍କରେ ପୂର୍ବରୁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏଥିପ୍ରତି କାହାର ନଜର ନାହିଁ। ଆଗାମୀ ଦିନରେ ଏଠି ସ୍ଥାୟୀ ପକ୍କା ପୋଲ ନିର୍ମାଣ ନ ହେଲେ ଗ୍ରାମବାସୀ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି। ତେବେ ଏ ନେଇ ଚଡଦିଆ ସରପଞ୍ଚ ନିରୁପମା ମାଝୀ କୁହନ୍ତି ଏହି ରାସ୍ତା ଓ ଏହି ଯୋର ଉପରେ ପୋଲ ନିର୍ମାଣ ପାଇଁ ଆମ ତରଫରୁ ଉଦ୍ୟମ କରାଯାଇଛି। ହେଲେ ଗ୍ରାମବାସୀଙ୍କ ଅସହଯୋଗ ପାଇଁ ଆଜି ପର୍ଯ୍ୟନ୍ତ ଏହା ନିର୍ମାଣ ହୋଇ ପାରୁନି। ତେବେ ଖୁବ୍ଶୀଘ୍ର ଗ୍ରାମବାସୀମାନଙ୍କୁ ବୈଠକ ଡାକି ଏହାର ସମାଧାନ ପାଇଁ ଚେଷ୍ଟା କରିବୁ।
Follow Us