ବଦଳିଗଲା ପଞ୍ଚାୟତ ନିର୍ବାଚନର ଚିତ୍ର: ଛତିଶଗଡ଼ିଆଙ୍କୁ ଝୁରୁଛି ବିଜେପି

Advertisment
ବଦଳିଗଲା ପଞ୍ଚାୟତ ନିର୍ବାଚନର ଚିତ୍ର: ଛତିଶଗଡ଼ିଆଙ୍କୁ ଝୁରୁଛି ବିଜେପି

Kosal Discussion and Development Forum

ସମ୍ବଲପୁର: ୨୦୧୭ ଜିଲ୍ଲା ପରିଷଦ ନିର୍ବାଚନ ଓଡ଼ିଶାରେ ବିଜେପିର ନୂଆ ପରିଚୟ ସୃଷ୍ଟି କରିଥିଲା। ରାଜ୍ୟର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ପ୍ରାନ୍ତ ଭାବେ ପଶ୍ଚିମ ଓଡ଼ିଶା ଯେ ବିଜେପିର ଦୁର୍ଗ ଏହା ଏହି ଜାତୀୟ ଦଳ ସାବ୍ୟସ୍ତ କରିଥିଲା। ୨୦୧୨ରେ ଥିବା ବିଜେଡିର ଆଧିପତ୍ୟକୁ ଏକ ପ୍ରକାର ପ୍ରତିହତ କରି ଗାଁ ଗାଁକୁ ମାଡ଼ି ଯାଇଥିଲା ବିଜେପି। ଦିଲ୍ଲୀର ଦଳ ପଲ୍ଲୀରେ ପହଞ୍ଚିଥିବା ନେଇ ସେତିକିବେଳେ ଚର୍ଚ୍ଚା ହୋଇଥିଲା। ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ମଧ୍ୟରୁ ୬ଟିରେ ବିଜେପି ବହୁମତ ସହ ଜିଲ୍ଲା ପରିଷଦ ଗଠନ କରିଥିଲା। ବିଜେଡିକୁ ବୌଦ୍ଧ ଓ ନୂଆପଡ଼ା ଭଳି ଦୁଇଟି ଛୋଟ ଜିଲ୍ଲାରେ ସୀମିତ କରି ଦେଇଥିଲା।

ସୁନ୍ଦରଗଡ଼ରେ ବିଜେଡି ଓ କଂଗ୍ରେସ୍ ମେଣ୍ଟ କରି ପରିଷଦ ଗଢ଼ିଥିଲେ। କଂଗ୍ରେସ୍ କେବଳ ଝାରସୁଗୁଡ଼ାରେ ସୀମିତ ରହିଥିଲା। ହେଲେ ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସୋନପୁର ଓ ଦେବଗଡ଼ ଭଳି ୬ଟି ଜିଲ୍ଲାରେ ବିଜେପି ବାଜିମାତ୍ କରିଥିଲା। ସେତେବେଳେ ପଡ଼ିଥିବା ମୂଳଦୁଆ ବିଜେପି ପାଇଁ ୨୦୧୯ ନିର୍ବାଚନରେ ବି କାଏମ ରହିଥିଲା ଓ ୫ଟି ଯାକ ଲୋକସଭା ଆସନ ଏହି ଦଳର ଖାତାକୁ ଯାଇଥିଲା। ହେଲେ ଏଥର ‌ହୁଏତ ସେହି ଚିତ୍ର ଆଉ ଦେଖିବାକୁ ମିଳି ନପାରେ। ବିଜେପି ପାଇଁ ଚଳିତ ଜିଲ୍ଲା ପରିଷଦ ଲଢ଼େଇ ପଶ୍ଚିମ ଓଡ଼ିଶାରେ ସେତେ ସହ‌ଜ ହେବ ନାହିଁ। ଏହାର ମୁଖ୍ୟ ଓ ସିଧା କାରଣ ହେଲା ବିଜେପିର କେନ୍ଦ୍ରୀୟ ନେତୃତ୍ବ ୨୦୧୭ରେ ଓଡ଼ିଶାର ପଞ୍ଚାୟତ ନିର୍ବାଚନକୁ ଯେଭଳି ଗୁରୁତ୍ବ ଦେଇଥିଲେ ଏଥର ଦେଇ ନାହାନ୍ତି। ଗତଥର ବିଜେପି ଅତ୍ୟନ୍ତ ସୁଚିନ୍ତିତ ଓ ଯୋଜନାବଦ୍ଧ ରଣନୀତି ଅନୁଯାୟୀ ପଞ୍ଚାୟତ ନିର୍ବାଚନ ଲଢ଼ିଥିଲା।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂପୂର୍ଣ୍ଣ ସକ୍ରିୟ ରହି ପ୍ରତ୍ୟକ୍ଷ ଭାବେ ନିର୍ବାଚନ ପରିଚାଳନା କରୁଥିଲେ। ଏଥର ସେ ଉତ୍ତର ପ୍ରଦେଶର ଗୁରୁଦାୟିତ୍ବରେ ଥିବାବେଳେ ସ୍ଥାନୀୟ ବିଜେପି ନେତା ମାନେ ନିଜ ଦମ୍‌ରେ ଯାହା କରୁଛନ୍ତି। ତେବେ ଏହାର ସର୍ବାଧିକ ପ୍ରଭାବ କଳାହାଣ୍ଡି ଓ ବଗରଡ଼ ଜିଲ୍ଲାର ବିଜେପି କର୍ମୀଙ୍କ ଉପରେ ପଡ଼ିଛି। କାରଣ ଗତଥର ଏହି ଦୁଇ ଜିଲ୍ଲାର ପଞ୍ଚାୟତ ନିର୍ବାଚନ ପରିଚାଳନା ଦାୟିତ୍ବ ତତ୍କାଳୀନ ଛତିଶଗଡ଼ ବିଜେପି ନେଇଥିଲା।

ସେତିକିବେଳେ ଛତିଶଗଡ଼ରେ ରମଣ ସିଂହଙ୍କ ବିଜେପି ସରକାର ଥିବାବେଳେ ଦୁଇ ସୀମାବର୍ତ୍ତୀ ବଡ଼ ଜିଲ୍ଲାରେ ନିର୍ବାଚନ ପରିଚାଳନାକୁ ସେମାନେ ନିଜ ନିୟନ୍ତ୍ରଣରେ ରଖି ଦଳ ପାଇଁ ବୃହତ୍ ବିଜୟ ଆଣି ପାରିଥିଲେ। ତେବେ, ଏଥର ନା ରମଣ ସିଂ ମୁଖ୍ୟମନ୍ତ୍ରୀ ଅଛନ୍ତି ନା ଛତିଶଗଡ଼ରେ ବିଜେପିର ସରକାର ଅଛି। ଫଳରେ ଏବେ ଏହି ଦୁଇ ଜିଲ୍ଲାର ସ୍ଥାନୀୟ ନେତା ମାନେ ପ୍ରତିକୂଳ ପରିସ୍ଥିତିରେ ଛତିଶଗଡ଼ର ବିଜେପି କ୍ୟାଡର୍‌ଙ୍କୁ ଝୁରି ହେଉଛନ୍ତି।

୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ପକ୍ଷରୁ ପଶ୍ଚିମ ଓଡ଼ିଶାରେ ‌ବିଭିନ୍ନ ଘରୋଇ ସଂସ୍ଥା ଦ୍ବାରା ସର୍ଭେ କରାଯାଇ ଲୋକଙ୍କ ମତ ଓ ଆବଶ୍ୟକତାକୁ ପରଖା ଯାଇଥିଲା। ନିର୍ବାଚନର ବେଶ କିଛି ମାସ ପୂର୍ବରୁ ଦଳ ସେହି ଅନୁଯାୟୀ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା। ନିର୍ବାଚନ ଘୋଷଣା ହେବା ପରଠାରୁ କଳାହାଣ୍ଡି ଓ ବରଗଡ଼ ଜିଲ୍ଲାକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ ଛତିଶଗଡ଼ୀ ବିଜେପି ଓ ସଂଘ କ୍ୟାଡର୍‌। ଗାଁ ଗାଁରେ ସେମାନଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।  ବିଜେପିର ତତ୍କାଳୀନ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁଦାନ ସିଂହ ଏହି ଦୁଇ ଜିଲ୍ଲାରେ ‌ବିଜେପି ନିର୍ବାଚନ ପରିଚାଳନାର ମଙ୍ଗ ଧରିଥିଲେ।

ନିର୍ବାଚନ ପାଇଁ ଛତିଶଗଡ଼ରୁ ପ୍ରଚୁର ଅର୍ଥ ଆସିଥିଲା ଓ ଖର୍ଚ୍ଚ କରିବାରେ ସେମାନେ ବିଜେଡିକୁ ବି ବହୁ ପଛରେ ଛାଡ଼ି ଦେଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ଚତୁର୍ଥ ପର୍ଯ୍ୟାୟ ଶେଷ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାରେ ବିଜେପି କ୍ଲିନ୍ ସୁଇପ୍ କରିବା ଭଳି ପ୍ରତୀତ ହୋଇଥିଲା। ଉକ୍ତ ଜିଲ୍ଲାର ୩୬ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେପି ୩୩, ବିଜେଡି ଗୋଟିଏ ଓ କଂଗ୍ରେସ୍ ୨ଟି ମାତ୍ର ଜିତିଥିଲା। ବରଗଡ଼ରେ ମୋଟ ୩୪ ଆସନ ମଧ୍ୟରୁ ବିଜେପି ୨୫ ଓ ବିଜେଡି ୯ଟି ହାସଲ କରିଥିଲା। ଅନ୍ୟତମ ସୀମାବର୍ତ୍ତୀ ଜିଲ୍ଲା ନୂଆପଡ଼ାରେ ବିଜେପିର ସ୍ଥିତି ମୂଳରୁ ଠିକ୍ ନଥିବାରୁ ସେମାନେ ସେଠାରେ ଉଦ୍ୟମ କରିଥିଲେ ବି ଗୁରୁତ୍ବ ଦେଇ ନଥିଲେ। ସେହିପରି ଝାରସୁଗୁଡ଼ା ଜିଲ୍ଲା ସେତେବେଳେ ବିଧାୟକ ନବ ଦାସଙ୍କ କାରଣରୁ କଂଗ୍ରେସ୍‌ର ଗଡ଼ ଭାବେ ବିବେଚିତ ହେଉଥିଲା ଓ ସେଠାରେ ପଶି ଶ୍ରମ ଓ ଅର୍ଥ ଅପଚୟ କରିବାକୁ ଚାହିଁ ନଥିଲା ଛତିଶଗଡ଼।

ପଶ୍ଚିମ ଓଡ଼ିଶାର ଅନ୍ୟ ୪ଟି ଜିଲ୍ଲା ସମ୍ବଲପୁର, ବଲାଙ୍ଗୀର, ଦେବଗଡ଼ ଓ ସୋନପୁରରେ ବି ବିଜେପି ଅତ୍ୟନ୍ତ ସୁଚିନ୍ତିତ ଢଙ୍ଗରେ ଲଢ଼ି ବିରୋଧୀଙ୍କୁ ପରାସ୍ତ କରିଥିଲା। ସମ୍ବଲପୁର ଓ ଦେବଗଡ଼ରେ ବିଜେପିର ଦୃଢ଼ ସଂଗଠନ ଓ ସ୍ଥାନୀୟ ନେତାଙ୍କ ଦମ୍‌ ଥିବାରୁ ବିଜୟ ଆଶ୍ଚର୍ଯ୍ୟଜନକ ନଥିଲା। କିନ୍ତୁ ସୋନପୁର ଓ ବଲାଙ୍ଗୀରରେ ଏହି ଦଳ ନିରଂଜନ ପୂଜାରୀ, ଏୟୁ ସିଂହଦେଓ, ନରସିଂହ ମିଶ୍ରଙ୍କ ଭଳି ବଡ଼ ନେତାଙ୍କ ଆଧିପତ୍ୟକୁ ଚାଲେଞ୍ଜ କରି ବିଜୟ ବାନା ଉଡ଼ାଇଥିଲା। ଏଥର ପଞ୍ଚାୟତ ନିର୍ବାଚନରେ ଦେଶର ଏହି କ୍ଷମତାସୀନ ଦଳ କିଭଳି ପ୍ରଦର୍ଶନ କରୁଛି ତାହା ତ’ ଫଳାଫଳ ଆସିବା ପରେ ସ୍ପଷ୍ଟ ହେବ, କିନ୍ତୁ ଗତଥରର ସଫଳତା ଦୋହରାଇବା ନେଇ ରାଜନୀତି ସମୀକ୍ଷକ ମାନେ ସଂଦେହରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe