ଉଡ଼ାନ୍‌-୪ରେ ସାମିଲ୍‌: ରଂଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌ରୁ ଉଡ଼ିବ ବିମାନ

ସର୍ଭେ ଶେଷ ପର୍ଯ୍ୟାୟରେ, ଖୁବ୍‌ଶୀଘ୍ର ଡିପିଆର୍‌

ରଙ୍ଗେଇଲୁଣ୍ଡାରୁ ଆଜି ଉଡ଼ିବ ବିମାନ

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନିକଟରେ ରହିଥିବା ସର୍ବପୁରାତନ ବ୍ରିଟିସ୍‌ ଅମଳର ଐତିହାସିକ ଏୟାର୍‌ଷ୍ଟ୍ରିପ୍‌ ପୂର୍ଣ୍ଣାଙ୍ଗ ରୂପ ନେବ। ଶେଷରେ ଏହି ଏୟାର୍‌ଷ୍ଟ୍ରିପ୍‌ କେନ୍ଦ୍ର ସରକାରଙ୍କ ‘ଉଡ଼ାନ୍‌-୪’ ଯୋଜନାରେ ସାମିଲ ହୋଇଛି। ଏଥିପାଇଁ କାମ ଆରମ୍ଭ ହୋଇସାରିଛି। ପୂର୍ତ୍ତ ବିଭାଗ-୨ ଅଧୀନରେ ଏୟାର୍‌ଷ୍ଟ୍ରିପ୍‌ ସଂପ୍ରସାରଣ ପାଇଁ ସର୍ଭେ ଚାଲିଛି। ସର୍ଭେ ସରିବାପରେ ଖୁବ୍‌ଶୀଘ୍ର ଡିପିଆର୍‌(ଡିଟେଲ୍‌ ପ୍ରୋଜେକ୍ଟ୍‌ ରିପୋର୍ଟ) ପ୍ରସ୍ତୁତ କରାଯିବ। ଡିପିଆର୍‌ ମଂଜୁର ହେବା ପରେ କାମ ପାଇଁ ପୂର୍ତ୍ତ ବିଭାଗ-୨ ଟେଣ୍ଡର୍‌ ଆହ୍ବାନ କରିବ। ଲୋକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ରଂଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌କୁ ସଂପ୍ରସାରଣ କରି ୨-ବି କ୍ୟାଟେଗୋରି ବିମାନବନ୍ଦର କରାଯିବ। ଫଳରେ ଏଠାରେ ୧୮ସିଟ୍‌ ବିଶିଷ୍ଟ ବିମାନ ଓହ୍ଲାଇ ପାରିବ। ସବୁ କାର୍ଯ୍ୟ ଠିକ୍‌ଠାକ୍‌ ଚାଲିଲେ ରଂଗେଇଲୁଣ୍ଡା ବିମାନବନ୍ଦରରୁ ବିମାନ ଉଡ଼ିବା ନେଇ ସମ୍ଭାବନା ଦେଖାଦେଇଛି।

ବ୍ରହ୍ମପୁରରେ ଏକ ବିମାନବନ୍ଦର ପ୍ରତିଷ୍ଠା କରିବା ପାଇଁ ଦାବି ହୋଇଆସୁଛି। ରଂଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌ର ଉନ୍ନତୀକରଣ କରି ଗ୍ରୀନ୍‌ଫିଲ୍ଡ ବିମାନବନ୍ଦର ପ୍ରତିଷ୍ଠା କରିବା ପାଇଁ ୨୦୧୬ରୁ ଦାବି ହୋଇ ଆସୁଛି। ଏଥିପାଇଁ ବିଭିନ୍ନ ସଙ୍ଗଠନ ମଧ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଓଡ଼ିଶା ଡେଭ୍‌ଲପ୍‌ମେଣ୍ଟ୍‌ ଫୋରମ୍‌ ତରଫରୁ ମଧ୍ୟ ବିଗତ ଦିନରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। କିନ୍ତୁ ଗ୍ରୀନ୍‌ଫିଲ୍ଡ ବିମାନବନ୍ଦର ବଦଳରେ ରଂଗଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌କୁ ସଂପ୍ରସାରଣ କରି ବେସାମରିକ ବିମାନ ଚଳାଚଳ ନିମନ୍ତେ ‘ଉଡ଼ାନ୍‌-୪’ରେ ଏହାକୁ ସାମିଲ କରାଯାଇଛି। ପ୍ରାୟ ୩୭ଏକର ଜମିରେ ତିଆରି ହୋଇଥିବା ଏୟାର୍‌ଷ୍ଟ୍ରିପ୍‌ରେ ୮୩୨ ମିଟର‌୍‌ ରନ୍‌ୱେ ରହିଛି। ଏହାକୁ କିଛିଟା ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

publive-image

ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଓ କୋଠା ପାଇଁ ଆହୁରି ପ୍ରାୟ ୩୫/୩୭ଏକର ଜମି ଆବଶ୍ୟକ। ଏଥିପାଇଁ ଜମି ଚିହ୍ନଟ ହୋଇ ସାରିଛି। ଏୟାର୍‌ଷ୍ଟ୍ରିପ୍‌ ନିକଟରେ ଥିବା ପ୍ରାୟ ୧୫ଏକ ଘରୋଇ ଜମି ଅଧିଗ୍ରହଣ କରାଯିବ। ଏହାସହିତ ୧୮ଏକର ସରକାରୀ ଜମି ମଧ୍ୟ ଏୟାର୍‌ଷ୍ଟ୍ରିପ୍‌ରେ ସାମିଲ କରାଯିବାକୁ ଯୋଜନା ରହିଛି। ପ୍ରାୟ ୭୦ଏକର ଜମିରେ ପୂର୍ଣ୍ଣାଙ୍ଗ ଏୟାର୍‌ଷ୍ଟ୍ରିପ୍‌ ହେବ ବୋଲି ପୂର୍ତ୍ତ ବିଭାଗ-୨ ଅଧୀକ୍ଷଣ ଯନ୍ତ୍ରୀ ଇଂ. ତପନ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ବିମାନ ଚଳାଚଳ ପାଇଁ ଆବଶ୍ୟକ ରନ୍‌ୱେ, ଏୟାର୍‌ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ରୁମ୍‌ ସହିତ ଯାତ୍ରୀଙ୍କ ପାଇଁ ଆବଶ୍ୟକ କୋଠା ତିଆରି ହେବ। ଏଥିପାଇଁ ସର୍ଭେ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ କିଛିଦିନ ମଧ୍ୟରେ ଡିପିଆର୍‌ ପ୍ରସ୍ତୁତ ହେବ। ଡିପିଆର୍‌ ମଂଜୁର ହେବ ପରେ ଟେଣ୍ଡର୍‌ ଆହ୍ବାନ କରାଯିବ ବୋଲି ଇଂ. ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ, ରଂଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌କୁ ଗ୍ରୀନ୍‌ଫିଲ୍ଡ ବିମାନବନ୍ଦରରେ ପରିଣତ କରିବା ପାଇଁ ବହୁବର୍ଷ ହେଲା ଦାବି ହୋଇ ଆସୁଛି। ହେଲେ, ସ୍ଥାନ ଅଭାବ ଯୋଗୁଁ ଏଠାରେ ଗ୍ରୀନ୍‌ଫିଲ୍ଡ ବିମାନବନ୍ଦର ପ୍ରତିଷ୍ଠା କରିବା ସମ୍ଭବ ହୋଇପାରୁନାହିଁ। ସେପଟେ ଗତକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିମାନବନ୍ଦର ଆବଶ୍ୟକତା ନେଇ ସହମତି ପ୍ରକାଶ କରିଥିଲେ। ରାଜ୍ୟ ସରକାର ଆବଶ୍ୟକ ଜମି ଦେବା ପରେ ବ୍ରହ୍ମପୁରରେ ବିମାନବନ୍ଦର ହେବ ବୋଲି କହିଥିଲେ। ଆବଶ୍ୟକ ଜମି ନଥିବାରୁ ଗ୍ରୀନ୍‌ଫିଲ୍ଡ ବିମାନବନ୍ଦର ଏବେ ଗଞ୍ଜାମବାସୀଙ୍କ ପାଇଁ ସ୍ବପ୍ନ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe