ଦିଲ୍ଲୀରେ ବଢ଼ୁଛି ଓଡ଼ିଆ ପାଇପ୍‌ ମିସ୍ତ୍ରିଙ୍କ ଦୁର୍ଦ୍ଦଶା

ଦିଲ୍ଲୀରେ ବଢ଼ୁଛି ଓଡ଼ିଆ ପାଇପ୍‌ ମିସ୍ତ୍ରିଙ୍କ ଦୁର୍ଦ୍ଦଶା

Washington Post

ନୂଆଦିଲ୍ଲୀ: କରୋନା ପ୍ରକୋପରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ରୋଜଗାର ଏକପ୍ରକାର ଠପ୍‌ ହୋଇଯାଇଛି। ଦିଲ୍ଲୀରେ କାର୍ଯ୍ୟ କରୁଥିବା ଓଡ଼ିଆ ପାଇପ୍ ମିସ୍ତ୍ରିଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତକାଲି ଦିଲ୍ଲୀ ସରକାର ଲକ୍‌ଡାଉନ୍‌ କଟକଣାରେ କିଛିଟା କୋହଳ କରିଥିଲେ ମଧ୍ୟ ତ୍ବରିତ ରୂପେ ସେମାନଙ୍କୁ କିଛି ସୁଫଳ ମିଳିବ ନାହିଁ ବୋଲି ପାଇପ୍‌ମିସ୍ତ୍ରିମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଦିଲ୍ଲୀର କୋଟଲା ମୁବାରକପୁରରେ ରହୁଥିବା କେନ୍ଦ୍ରପଡ଼ା ଜିଲ୍ଲା ରାଜନଗରର ହୃଷୀକେଶ ବଳ ‘ସମ୍ବାଦ’କୁ କହିଛନ୍ତି ଯେ, ଲକ୍‌ଡାଉନ୍‌ ଯୋଗୁ ଦୀର୍ଘ ଏକମାସ ଧରି କାମ ବନ୍ଦ ହୋଇଯାଇଛି। ଖାଇବା ଆଉ ଘରଭଡ଼ା ଦେବା ପାଇଁ ପାଖରେ ଟଙ୍କା ନାହିଁ। କୌଣସି ସଂଗଠନ କିମ୍ବା ସରକାର ଆମକୁ ସହାୟତା ଦେଉନାହାନ୍ତି। ଯଦିବା ପାଇପ୍‌ମିସ୍ତ୍ରିମାନଙ୍କୁ କାମ କରିବା ପାଇଁ ସରକାର ଅନୁମତି ଦେଇଛନ୍ତି, ସେଥିରେ ବିଶେଷ କିଛି ସୁବିଧା ମିଳିବନାହିଁ। କାରଣ ଏବେ ସମସ୍ତ ଦୋକାନ ବଜାର ବନ୍ଦରହିଛି, ଗାଡ଼ି ଚଳାଚଳ କରୁନାହିଁ। ତା’ ସାଙ୍ଗକୁ ଲୋକମାନେ ସାମାଜିକ ଦୂରତ୍ବକୁ ଯଥେଷ୍ଟ ଗୁରୁତ୍ବ ଦେଉଥିବାବେଳେ ଆମକୁ କାମ କିପରି ମିଳିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ତେବେ, ଓଡ଼ିଶା ଫେରିଯିବା ପାଇଁ ଆମ ପରିବାରବର୍ଗ ନାମ ପଞ୍ଜୀକରଣ କରିଥିବା ଶ୍ରୀ ବଳ କହିଛନ୍ତି।

ସେହିପରି ଦିଲ୍ଲୀରେ ରହୁଥିବା କେନ୍ଦ୍ରାପଡ଼ା ଆଳି ଅଞ୍ଚଳର ବିଭୂତି ଖଟୁଆ କହିଛନ୍ତି ଯେ, ସ୍ଥିତି ସମ୍ପୂର୍ଣ୍ଣ ଠିକ୍ ହେଲା ପରେ କାମ କରିବା ସମ୍ଭବ ହେବ। ଲକ୍‌ଡାଉନ୍‌ ଘୋଷଣା ହୋଇଯିବାରୁ ଠିକାଦାର ଆମକୁ କିଛି ଅଗ୍ରୀମ ଟଙ୍କା ଦେଇଥିଲେ। ଯାହାଫଳରେ ଆମେ ସେଥିରେ କଷ୍ଟେମଷ୍ଟେ ମାସେ ଚଳିଗଲୁ। ଆଗକୁ କ’ଣ ହେବ କିଛି ଜଣାପଡ଼ୁନି। ଦିଲ୍ଲୀ ଓ ଏନ୍‌ସିଆର ଅଞ୍ଚଳରେ କାମ କରୁଥିବା ଶତାଧିକ ଓଡ଼ିଆ ଏଭଳି ସ୍ଥିତିରେ ଓଡ଼ିଶା ଫେରିବାକୁ ମନସ୍ଥ କରିଛନ୍ତି ଏବଂ ରାଜ୍ୟ ସରକାରଙ୍କ ପୋର୍ଟାଲରେ ନାମ ପଞ୍ଜୀକରଣ ମଧ୍ୟ କରିଥିବା ସେ ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe