ବଢ଼ୁଛି ଆଦିବାସୀ ବହୁଳ ଉପାନ୍ତ ପଞ୍ଚାୟତବାସୀଙ୍କ ଦୁର୍ଦ୍ଦଶା

ହୋଇପାରୁନି ସେତୁ ନିର୍ମାଣ, ବର୍ଷାଋତୁ ଆସିଲେ ୩ ପଞ୍ଚାୟତବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ

ବଢ଼ୁଛି ଆଦିବାସୀ ବହୁଳ ଉପାନ୍ତ ପଞ୍ଚାୟତବାସୀଙ୍କ ଦୁର୍ଦ୍ଦଶା

ଦଶପଲ୍ଲା : ବର୍ଷାଋତୁ ଆସିଲେ ବଢ଼ୁଛି ଆଦିବାସୀ ବହୁଳ ଉପାନ୍ତ ପଞ୍ଚାୟତବାସୀଙ୍କ ଦୁର୍ଦ୍ଦଶା। ବୃତଙ୍ଗ ନଦୀ ଉପରେ ସେତୁ ନିର୍ମାଣ ପାଇଁ ଦୀର୍ଘ ବର୍ଷ ଧରି ଦାବି ହୋଇ ଆସୁଥିବା ବେଳେ ଏହା ଉପରେ ନିର୍ଭରଶୀଳ ଥିବା ୨ଟି ଜିଲ୍ଲାର ୩ ଗୋଟି ପଞ୍ଚାୟତବାସୀଙ୍କ ଜୀବନ ଜୀବିକା ଠପ୍ ହୋଇପଡ଼ୁଛି। ବର୍ଷା ୪ ମାସ ଏକ ପ୍ରକାର ଜଳବନ୍ଦୀ ହୋଇ ଜୀବନ କାଟିବାକୁ ପଡ଼ୁଛି। ବାରମ୍ବାର ଦାବିପତ୍ର ପ୍ରଦାନ ଏବଂ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବା ସହ ସାଧାରଣ ନିର୍ବାଚନ ସମୟରେ ଭୋଟ୍‌ ବର୍ଜନ କରିଥିଲେ ମଧ୍ୟ ହୋଇପାରୁନି ସମାଧାନ। ଫଳରେ ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶ୍ରୁତିରେ ସୀମିତ ରହିଛି ସେତୁ ନିର୍ମାଣ କାର୍ଯ୍ୟ। ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ଦଶପଲ୍ଲା ବ୍ଲକ୍‌ର କୁଜାମେଣ୍ଢି ପଞ୍ଚାୟତ ସମେତ ଦୁଡ଼ା ଏବଂ କନ୍ଧମାଳ ଜିଲ୍ଲାର ଚକାପାଦ ପଞ୍ଚାୟତବାସୀ।

publive-image

ଏହି ନଦୀ ଉପରେ ବଣି, ପ୍ରଧାନପଡ଼ା, ମୁଣ୍ତୁଳା, ତଳ ମୁଣ୍ତୁଳା, ଟିକି ତଇଳା, ତିଳାବାଡ଼ି, ବାକ୍‌ଟି, ସାତସାହି, ଗାଡିଆପଡା, ଓଡ଼ମ୍ବା, ପାଇକଚିରା ପ୍ରଭୃତି ଗ୍ରାମର ଜନସାଧାରଣ ନିର୍ଭର କରିଥାନ୍ତି। ମୁଖ୍ୟତଃ ବର୍ଷା ଦିନ ଆସିଲେ ଏସବୁ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢ଼ିବା ସହ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ନ୍ତି। କେନ୍ଦ୍ର ସରକାରଙ୍କ ଆଇଏପି ଯୋଜନାରେ ଏହି ନଦୀ ଉପରେ ୨୨ ଲକ୍ଷ ଟଙ୍କା ବ୍ୟୟରେ ଏକ ଛୋଟ ପୋଲ ନିର୍ମାଣ କରାଯାଇଥିଲା। ଯାହାକି ନିର୍ମାଣର କିଛି ଦିନପରେ ଖରସ୍ରୋତା ପାଣିରେ ଧୋଇ ହୋଇଯାଇଥିଲା। ନିର୍ବାଚନୀ ସମୟ ଆସିଲେ ବିଭିନ୍ନ ରାଜନେତା ଏହାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନୀ ବୈତରଣୀ ପାର ହୁଅନ୍ତି। ସେତୁ ନିର୍ମାଣ ପାଇଁ ଅଂଚଳବାସୀ ବାରମ୍ବାର ଲୋକ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କଠାରୁ ପ୍ରତିଶ୍ରୁତି ପାଇ ନିରାଶ ହୋଇଚାଲିଛନ୍ତି।

କୌଣସି ସୁଫଳ ନ ମିଳିବାରୁ ୨୦୧୬ ମସିହାରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଆନ୍ଦୋଳନସ୍ଥଳରେ ପହଞ୍ଚି ତୁରନ୍ତ ସେତୁ ନିର୍ମାଣ କରାଯିବାର ପ୍ରତିଶ୍ରୁତି ଦେଇଥିଲା। ହେଲେ ପରବର୍ତ୍ତୀ ସମୟରେ କୌଣସି ସୁଫଳ ମିଳିଲା ନାହିଁ। ଯାହାକୁ ନେଇ ଗତ ସାଧାରଣ ନିର୍ବାଚନ ସମୟରେ କୁଜାମେଣ୍ଢି ପଞ୍ଚାୟତର ଅନେକ ଗ୍ରାମବାସୀ ଭୋଟ୍‌ ବର୍ଜନ କରି ନିଜର ପ୍ରତିବାଦ ଜଣାଇଥିଲେ। ତେବେ ବିଜୁ ସେତୁ ମାଧ୍ୟମରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଜଗନ୍ନାଥ ସୁବୁଦ୍ଧି ପ୍ରକାଶ କରିଛନ୍ତି। ଏହାର ଫାଇଲ୍ ସରକାରଙ୍କ ନିକଟରେ ରହିଛି। ବର୍ଷାଋତୁ ପରେ ଟେଣ୍ତର୍‌ ହୋଇ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି। ତେବେ ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ନହେଲେ ପଞ୍ଚାୟତବାସୀ ପୁନର୍ବାର ଭୋଟ୍‌ ବର୍ଜନ କରିବା ନେଇ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe