ଓଡ଼ିଶାକୁ ବୁଡ଼ାଇଲା ପୋଲାଭରମ ପ୍ରକଳ୍ପ: ପଛୁଆ ଜଳରେ ମୁଗି ପଏଣ୍ଟ ଜଳମଗ୍ନ

Advertisment

୩ଦିନ ହେଲା ଆନ୍ଧ୍ରକୁ ଯୋଗାଯୋଗ ଠପ୍‌

୩ଦିନ ହେଲା ଆନ୍ଧ୍ରକୁ ଯୋଗାଯୋଗ ଠପ୍‌

ଓଡ଼ିଶାକୁ ବୁଡ଼ାଇଲା ପୋଲାଭରମ ପ୍ରକଳ୍ପ: ପଛୁଆ ଜଳରେ ମୁଗି ପଏଣ୍ଟ ଜଳମଗ୍ନ

କାଲିମେଳା: ଆଶଙ୍କା ସତ ହେଲା। ଓଡ଼ିଶାକୁ ବୁଡ଼ାଇଲା ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ। ମୋଟୁ ଅଞ୍ଚଳର ମୁଗି ପଏଣ୍ଟ ଆଜି ବୁଡ଼ି ଯାଇଥିବା ଦେଖିବାକୁ ମିଳିଛି। ଗୋଦାବରୀ ନଦୀ ଜଳସ୍ତର ଖସୁ ନଥିବାରୁ ଆଗକୁ ବଡ଼ ବିପଦ ଆଣିବ ବୋଲି ଅନୁମାନ କରାଯାଉଛି। ସୂଚନା ଅନୁସାରେ, ଗୋଦାବରୀ ନଦୀ ଅସ୍ବାଭାବିକ ଭାବେ ଫୁଲିବାରୁ ମୋଟୁ ନିକଟରେ ପ୍ରବାହିତ ଚିନାଗୋଦାବରୀ ନଦୀରେ ଜଳ ନିଷ୍କାସନ ଠିକ୍‌ ରୂପେ ହୋଇପାରୁନି। ତେଣୁ ଓଡ଼ିଶାର ମୋଟୁ ଅଞ୍ଚଳର ମୁଗି ପଏଣ୍ଟ ସ୍ଥିତ ମଧୁସୂଦନ ପାର୍କ ପାଣିରେ ବୁଡ଼ି ରହିଛି। ସେହିପରି ମୋଟୁ ଠାରୁ ୧୦କିମି ଦୂରରେ ଥିବା ଆନ୍ଧପ୍ରଦେଶର ଚିନ୍ତୁର ବଜାର ମଧ୍ୟରେ ବନ୍ୟାଜଳ ପ୍ରବେଶ କରିଛି। ଯଦି ଜଳ ନିଷ୍କାସନ ନ ହେବ, ତେବେ ଏହି ଜଳ ଓଡ଼ିଶା ଆଡ଼କୁ ମାଡ଼ି ଆସିବ ବୋଲି କୁହାଯାଉଛି। ମୋଟୁ ଓ ଚିନ୍ତୁର ମଝିରେ ଥିବା କାଲେରୁ ଗ୍ରାମର ଅନେକ ଘର ବି ବୁଡ଼ି ସାରିଲାଣି। ଗୋଦାବରୀ ଉପର ମୁଣ୍ଡରେ ବର୍ଷାର ପ୍ରକୋପ ଲାଗି ରହିଥିବାରୁ ସ୍ବାଭିବକ ସ୍ଥିତି ଏତେ ଶୀଘ୍ର ଫେରିବାର ନାହିଁ। ତେଣୁ ଆଗକୁ ବ୍ୟାପକ କ୍ଷୟକ୍ଷତି ହୋଇପାରେ। ଯଦି କିଛି ଘଣ୍ଟା ମଧ୍ୟରେ ଗୋଦାବରୀ ଜଳସ୍ତର ନ କମିଲେ ଓଡ଼ିଶାର ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍‌ର ମୋଟୁ, ପୁଶୁଗୁଡ଼ା ପଞ୍ଚାୟତର ଅନେକ ନଦୀ କୂଳିଆ ଗାଁ କିଛି ଘଣ୍ଟା ମଧ୍ୟରେ ସଂପୂର୍ଣ୍ଣ ବୁଡ଼ିଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରହିଥିବା ଜଣାପଡ଼ିଛି।

ଅନ୍ୟପଟେ ମାଲକାନଗିରି ଜିଲ୍ଲାରେ ବି ବର୍ଷା ଜାରି ରହିଛି। ତେଣୁ ଏମ୍‌ଭି-୫୬ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇ ଯୋଗାଯୋଗ ଠପ୍‌ ହୋଇଯାଇଛି। ଏହି ପୋଲ ଉପରେ ପ୍ରାୟ ୨ରୁ ୩ ଫୁଟ୍‌ ଉଚ୍ଚରେ ବନ୍ୟାଜଳ ଚାଲିଥିବାରୁ ଏମଭି-୫୬, ସଂଗେଲ, ଏମ୍‌ପିଭି-୧୧୮, ଉସକାପାଲୀ, କେରିଆଗୁଡ଼ା ଆଦି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଧୀରେ ଧୀରେ ଜଳସ୍ତର ଅଧିକ ବୃଦ୍ଧି ପାଉଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। କାରଣ ଗତକାଲି ଠାରୁ ଆଜି ସକାଳ ପର୍ଯ୍ୟନ୍ତ କାଲିମେଳାରେ ୯୫ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ମାଲକାନଗିରି-ଆନ୍ଧ୍ର ୩୨୬ନମ୍ବର ଜାତୀୟ ରାଜପଥର ଅନେକ ସ୍ଥାନରେ ରାସ୍ତା ବୁଡ଼ିରହିଛି। ମୋଟୁ-ଚିନ୍ତୁର ମଧ୍ୟରେ ରହିଥିବା କୁଇଗୁର ପୋଲ ଉପରେ ଆଜି ମଧ୍ୟ ପ୍ରାୟ ୬ରୁ୭ ଫୁଟ୍‌ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିଲା। ତିନି ଦିନ ହେଲା ଏହି ପୋଲ ସଂପୂର୍ଣ୍ଣ ବୁଡ଼ି ରହିଥିବାରୁ ଆନ୍ଧ୍ରକୁ ଯାତାୟାତ ବନ୍ଦ ରହିଛି। ପୋଲର ଉଭୟ ପାର୍ଶ୍ବରେ ଶହ ଶହ ସଂଖ୍ୟାରେ ଗାଡ଼ି ଅଟକି ରହିଛି। ଶ୍ରାବଣ ମାସ ଆରମ୍ଭରୁ ହିଁ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଆଗକୁ ବର୍ଷା ବଢ଼ିଲେ ଭୟଙ୍କର ବିପଦ ଆସିବ ବୋଲି ମତ ପ୍ରକାଶ ପାଇଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe