ନକଲି ସୁନା କାରବାର ଗ୍ୟାଙ୍ଗକୁ କାବୁ କଲା ପୁଲିସ୍‌

Advertisment
ନକଲି ସୁନା କାରବାର ଗ୍ୟାଙ୍ଗକୁ କାବୁ କଲା ପୁଲିସ୍‌

public.app

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ପୁଲିସ ଏକ ନକଲି ସୁନା କାରବାର ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି। ସେମାନଙ୍କ ପାଖରୁ ବିପୁଳ ପରିମାଣରେ ନକଲି ସୁନା ଜବତ କରିବା ସହ ୨ ଜଣ ନକଲି ସୁନା ବ୍ୟବସାୟୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ କର୍ତ୍ତାଳୀ ଆଲିପୁର ଗ୍ରାମର ଶଙ୍କର ଦାସ ଓ କୋଟିଣ୍ଡା ଥାନା ନାରାୟଣପୁର ଗ୍ରାମର ଈଶ୍ୱର ଅସିଦ୍ଦୁ ଦାଶ। ପୁଲିସ ସେମାନଙ୍କ ନିକଟରୁ ୫ଟି ଅସଲି ସୁନା ବଲ, ୨୮ଟି ନକଲି ସୁନା ବଲ, ୨ଟି ମୋବାଇଲ ଫୋନ, ନଗଦ ୧୬୦୦ ଟଙ୍କା ସହ ବିକ୍ରି କରିଥିବା ୨୫୦ ଗ୍ରାମର ନକଲି ସୁନାକୁ ଜବତ କରିଛି।

ସୂଚନାନୁସାରେ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ପୁଟବୁଲ ଗ୍ରାମକୁ ଗତ ଅକ୍ଟୋବର ୮ ତାରିଖରେ ୩ ଜଣ ପୁରୁଷ ଓ ୨ ଜଣ ମହିଳା ଚାଲୁଣି ବିକିବା ବାହାନାରେ ପହଞ୍ଚି ଖଗେଶ୍ୱର କିଷାନ ନାମକ ଜଣେ ବ୍ୟକ୍ତିଙ୍କ ଘରେ ରହିଥିଲେ। ୯ ତାରିଖ ଦିନ ଗ୍ରାମରେ ତେଜରାତି ଦୋକାନ କରିଥିବା ସନ୍ତୋଷ ସାହୁଙ୍କ ପାଖକୁ ଆସି ସେମାନେ କିଛି ସୁନା ଦେଖାଇ ତାହା ଟ୍ରେନରୁ ପାଇଥିବା ଓ ବିକ୍ରି କରିବାକୁ ଚାହୁଁଥିବା କହିଥିଲେ। ସନ୍ତୋଷ ଉକ୍ତ ସୁନା କିଣିବାକୁ ରାଜି ହେବା ସହ ସେଥିରୁ କିଛି ନମୁନା ନେଇ ଗାଁ ସୁନା ଦୋକାନୀଙ୍କୁ ପରୀକ୍ଷା କରିବା ପାଇଁ କହିଥିଲେ।

ପରୀକ୍ଷା ପରେ ଦୋକାନୀ ତାହା ଅସଲି ସୁନା ଥିବା କହିବା ପରେ ସନ୍ତୋଷ ଓ ତାଙ୍କ ସ୍ତ୍ରୀ ୧୨ ତାରିଖ ସନ୍ଧ୍ୟାରେ ୧ ଲକ୍ଷ ୯୦ ହଜାର ଟଙ୍କା ନେଇ ଠକ ଦଳ ରହୁଥିବା ଘରକୁ ଯାଇ ସେମାନଙ୍କୁ ଦେବା ସହ ତାଙ୍କଠାରୁ ୨୫୦ ଗ୍ରାମ ଓଜନର ସୁନା ନେଇ ଘରକୁ ଫେରିଥିଲେ। ଫେରିବା ପରେ ପୁଣି ଥରେ କିଣିଥିବା ସବୁ ସୁନା ଧରି ଗାଁ ସୁନାରୀଙ୍କ ନିକଟରେ ଦେଖାଇବା ବେଳେ ସବୁ ସୁନା ନକଲି ଥିବା ଜଣାପଡ଼ିଥିଲା। ଫଳରେ ସନ୍ତୋଷ ତୁରନ୍ତ ସେମାନଙ୍କ ଘରେ ପହଞ୍ଚିବା ବେଳକୁ ଠକ ଦଳ ଫେରାର ହୋଇ ସାରିଥିଲେ। ଠକାମିର ଶିକାର ହୋଇଥିବା ଜାଣି ସନ୍ତୋଷ କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ପ୍ରାୟ ୪ ମାସ ପରେ ଉକ୍ତ ଠକ ଦଳ ସୋମବାର ପୁଣି ଥରେ ପୁଟବୁଲ ଗ୍ରାମକୁ ଆସିଥିବା ନେଇ ପୁଲିସକୁ ଗ୍ରାମବାସୀ ସୂଚନା ଦେଇଥିଲେ। ସୂଚନା ଆଧାରରେ ପୁଲିସ ଗାଁ’ରେ ପହଞ୍ଚି ୨ ଜଣ ଠକଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇ ଯାଇଥିଲା। ପୁଲିସ୍‌ ସେମାନଙ୍କଠାରୁ ଉପରୋକ୍ତ ସାମଗ୍ରୀ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe