ପୌରଅଧିକାରୀଙ୍କୁ ପିଟିଲା ପୁଲିସ: ୪ ପୁଲିସ ନିଲମ୍ବିତ, ରଥଟଣା ବେଳେ ଡାକ୍ତରଙ୍କୁ ବି ପିଟିଥିଲେ

ପୌରଅଧିକାରୀଙ୍କୁ ପିଟିଲା ପୁଲିସ: ୪ ପୁଲିସ ନିଲମ୍ବିତ, ରଥଟଣା ବେଳେ ଡାକ୍ତରଙ୍କୁ ବି ପିଟିଥିଲେ

ପୁରୀ: ଶୃଙ୍ଖଳିତ ପୁଲିସ ବିଭାଗରେ କେତେକ ବିଶୃଙ୍ଖଳିତ ପୁଲିସଙ୍କ ଯୋଗୁ ସମ୍ପୁର୍ଣ୍ଣ ପୁଲିସ ବିଭାଗ ନିନ୍ଦିତ ହୋଇଛି। ଆଜି ପୁଲିସ ମାଡ଼ରେ ପୌରସଂସ୍ଥା ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁରୁତର ହୋଇଛନ୍ତି। ତାଙ୍କ ସହିତ ଉପସ୍ଥିତ କର୍ମଚାରୀ ମଧ୍ୟ ପୁଲିସ ମାଡ଼ରେ ଆହତ ହୋଇଛନ୍ତି। ତ୍ବରିତ୍‌ ପଦକ୍ଷେପ ସ୍ବରୂପ ଏସ୍‌ପି ଶ୍ରୀ ମିଶ୍ର ଜଣେ ପୁଲିସ ଏସ୍‌ଆଇଙ୍କ ସମେତ ୪ ଜଣଙ୍କୁ ନିଲମ୍ବିତ କରିଛନ୍ତି।

ଆଜି ପୌରସଂସ୍ଥା ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ବରଞ୍ଜନ ସ୍ବାଇଁ ତାଙ୍କ କର୍ମଚାରୀଙ୍କ ସହିତ ଗୁଣ୍ଡିଚା ମନ୍ଦିର ଆଡ଼କୁ ଯାଉଥିଲେ। ତାଙ୍କୁ ବଡ଼ଶଙ୍ଖ ଛକଠାରେ ଡ୍ୟୁଟିରେ ଥିବା ପୁଲିସମାନେ ଅଟକାଇଥିଲେ। ତେବେ ସେ ଓ ତାଙ୍କ କର୍ମଚାରୀ ଦୁହେଁ ନିଜର ପରିଚୟପତ୍ର ଦେଖାଇଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଛାଡ଼ିନଥିଲେ। ଏହି ଘଟଣାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ‌ହୋଇ ଏକେ ମହାପାତ୍ର, ଏସ୍‌ଆଇ ମାନସ କୁମାର ସାହା, ଶାନ୍ତନୁ ବେହେରା, ବସନ୍ତ ଲେଙ୍କା, ଅଶ୍ବିନୀ ନାୟକ, ଏଚ୍‌‌ କେ ପାତ୍ର, ଅରବିନ୍ଦ ପାଣି, ଆର୍‌ସିଏଚ୍‌ ଗୋଣ୍ଡା ପ୍ରମୁଖ ଶ୍ରୀ ସ୍ବାଇଁଙ୍କୁ ମାଡ଼ ମାରିଥିଲେ। ଏଥିରେ ଶ୍ରୀ ସ୍ବାଇଁଙ୍କ ସାର୍ଟ ଚିରିଯାଇଥିଲା। ଖବରପାଇ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦାଙ୍କ ସମେତ ପୌରସଂସ୍ଥାର ଅନ୍ୟ ଅଧିକାରୀ ଏବଂ କର୍ମଚାରୀଙ୍କ ସହ ପୌର କର୍ମଚାରୀ ସଂଘର କର୍ମକର୍ତ୍ତା ପ୍ରମୁଖ ପହଞ୍ଚି ପ୍ରତିବାଦ କରିଥିଲେ।

ଖବର ପାଇ ପୁରୀ ଏସ୍‌ପି ଶ୍ରୀ ମିଶ୍ର ଓ ଜିଲ୍ଲାପାଳ ଶ୍ରୀ ସ୍ବାଇଁ ପ୍ରମୁଖ ବଡ଼ଶଙ୍ଖ ପୁଲିସ କଣ୍ଟ୍ରୋଲ ରୁମ୍‌ରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ପୌରସଂସ୍ଥା ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସ୍ବାଇଁଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିବା ପୁଲିସମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ଶ୍ରୀ ମିଶ୍ର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପୌରସଂସ୍ଥାର କର୍ମଚାରୀମାନେ ମାନିନଥିଲେ। ତେଣୁ ଘଟଣାସ୍ଥଳରେ ହିଁ ଏସ୍‌ପି ଶ୍ରୀ ମିଶ୍ର ୪ ଜଣ ପୁଲିସଙ୍କୁ ନିଲମ୍ବନ ଆଦେଶ ଦେଇଥିଲେ। ଏହାସହିତ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଗତ ୭ ତାରିଖ ରଥଯାତ୍ରା ଦିନଠାରୁ ପୌରସଂସ୍ଥାର କର୍ମଚାରୀ ଓ ଅଧିକାରୀମାନଙ୍କ ଉପରେ ପୁଲିସର ଏଭଳି ବ୍ୟବହାର ବାରମ୍ବାର ଘଟିଚାଲିଛି। ପୁଲିସର ଦୁର୍ବ୍ୟବହାରକୁ ନେଇ ପୌରସଂସ୍ଥା ହ୍ବାଟ୍‌ସଆପ୍‌ରେ ମଧ୍ୟ ଅନେକ କର୍ମଚାରୀମାନେ ମତ ଦେଇଥିଲେ। ଏପରିକି ଆଗାମୀଦିନରେ ପୌର କର୍ମଚାରୀମାନେ ପୁଲିସର ଅଳିଆ ଆବର୍ଜନା ସଫା କରିବେ ନାହିଁ ଓ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଗ୍ରୁପ୍‌ରେ ଜଣାଇଥିଲେ। ଏପରିକି ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ତାଙ୍କ ପାସ୍‌ ଦେଖି ପୁଲିସ ଛାଡ଼ିନଥିବାକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଏସ୍‌ପି ଓ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ପୌରସଂସ୍ଥା କର୍ମଚାରୀମାନେ ଶାନ୍ତ ହୋଇଥିଲେ। ମାତ୍ର, ଆଜିର ଘଟଣାକୁ ନେଇ ସେମାନେ ସହଜରେ ଗ୍ରହଣ କରିନାହାନ୍ତି। ତେଣୁ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ଯେ ଗତ ୮ ତାରିଖ ଦିନ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଡାକ୍ତରଖାନା ଛକରେ ପହଞ୍ଚିବା ବେଳେ ସଦର ମୁଖ୍ୟ ଚିକିତ୍ସାଳୟରେ ଜରୁରିକାଳୀନ ଡ୍ୟୁଟିରେ ଥିବା ଡାକ୍ତର ଶାନ୍ତନୁ ପାଢ଼ୀ ଦର୍ପଦଳନ ରଥ ପାଖକୁ ଆସିଥିବା ବେଳେ ତାଙ୍କୁ କେତେକ ପୁଲିସ ମିଶି ସଂଘବଦ୍ଧ ଆକ୍ରମଣ କରିଥିଲେ। ସେ ନିଜର ପରିଚୟ ଦେବା ସହ ପରିଚୟପତ୍ର ଦେଖାଇଥିଲେ। ମାତ୍ର ପୁଲିସ ତାକୁ ଭ୍ରୂକ୍ଷେପ ନକରି ଡା. ପାଢ଼ୀଙ୍କୁ ମାଡ଼ ମାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe