ଫଟୋକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିଲା

Advertisment
ଫଟୋକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିଲା

ବରଗଡ଼: ସଦ୍ୟ ମନ୍ତ୍ରିମଣ୍ଡଳ ଗଠନ ଦିନ ବିଜେଡି ରାଜ୍ୟ ମିଡିଆ ସେଲ୍‌ ପକ୍ଷରୁ ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଫଟୋଟି ରାଜନୈତିକ ଦୃଷ୍ଟିକୋଣରୁ ବି ବେଶ୍‌ ଚର୍ଚ୍ଚାରେ ରହିଛି। ନୂଆ ମନ୍ତ୍ରିମଣ୍ଡଳ ଶପଥ ପାଠ ଦିନ ଏହି ଫଟୋ ଉଠିଛି। ଯେଉଁଥିରେ ମଝିରେ ବବି ଦାସ ଥିବାବେଳେ ତାଙ୍କ ଉଭୟ ପାର୍ଶ୍ବରେ ପୂର୍ବତନ ମନ୍ତ୍ରୀ ଦ୍ବୟ ସୁଶାନ୍ତ ସିଂହ ଏବଂ ସ୍ନେହାଂଗିନୀ ଛୁରିଆଙ୍କୁ ଦେଖିବାକୁ ମିଳିଛି। ଏହି ଫଟୋ କ’ଣ ବାର୍ତା ଦେଉଛି, ତାହା ବର୍ତମାନ ଠଉରାଇ ହେଉନାହିଁ। କିନ୍ତୁ ବରଗଡ଼ ରାଜନୀତି ପାଇଁ ଏହି ଫଟୋ ଏକ ଚର୍ଚ୍ଚିତ ଅଧ୍ୟାୟ ଯୋଡ଼ୁଛି। କାରଣ ବି ରହିଛି।

ଜିଲ୍ଲାର ରାଜନୀତି ଇତିହାସ କହୁଛି, ସୁଶାନ୍ତ ସିଂହ ଏବଂ ସ୍ନେହାଂଗିନୀ ଛୁରିଆଙ୍କ ମଧ୍ୟରେ ଶତପ୍ରତିଶତ ବୁଝାମଣା ନାହିଁ। ସେମାନେ କ୍ବଚିତ୍‌ କୌଣସି ମଂଚରେ ଏକାଠି ହୁଅନ୍ତି। ସୁଶାନ୍ତଙ୍କ ନିର୍ବାଚନମଣ୍ଡଳୀରେ ସ୍ନେହାଂଗିନୀ ଏବଂ ସ୍ନେହାଂଗିନୀଙ୍କ ନିର୍ବାଚନମଣ୍ଡଳୀରେ ସୁଶାନ୍ତ ହସ୍ତ‌କ୍ଷେପ କରିନାହାନ୍ତି। ଉଭୟଙ୍କ ଭିତରେ ଦୂରତା ବି ରହିଛି। କିନ୍ତୁ ବବି ଦାସଙ୍କ ଉଭୟ ପାର୍ଶ୍ବରେ ଦୁହେଁ ଫଟୋ ପୋଜ୍‌ ଦେବା ଏକ ବିରଳ ଘଟଣା। ସ୍ନେହାଂଗିନୀ ପୂର୍ବରୁ ହସ୍ତତନ୍ତ ବିଭାଗର ମନ୍ତ୍ରୀ ଥିଲେ। ପରେ ତାଙ୍କୁ ବିଜେଡି ରାଜ୍ୟ ମହିଳା ସଭାନେତ୍ରୀ କରାଗଲା। ଏହି ପଦ ଭାର ଗ୍ରହଣ କରିବା ପୂର୍ବରୁ ସ୍ନେହାଂଗିନୀ ବିନା ମନ୍ତ୍ରୀ ପଦରେ ଥାଇ ତିର୍ତୋଲ, ପାଟକୁରା, ପିପିଲି, ବିଜେପୁର ଉପନିର୍ବାଚନରେ ଜୋର୍‌ଦାର୍‌ ପ୍ରଚାର ଦାୟିତ୍ବରେ ଥିଲେ।

ମହିଳା ସଂଗଠନକୁ ସକ୍ରିୟ ରଖି ସବୁ ଉପନିର୍ବାଚନରେ ସ୍ନେହାଂଗିନୀ ଝାଳ ବୁହାଇଥିଲେ। ବିଜେଡି ରାଜ୍ୟ ମହିଳା ସଭାନେତ୍ରୀ ପରେ ସେ ସଦ୍ୟ ବ୍ରଜରାଜନଗର ଉପନିର୍ବାଚନରେ ପାଖାପାଖି ୩୦ରୁ ଅଧିକ ମହିଳା ସମାବେଶର ମଂଗ ଧରିଥିଲେ। ପ୍ରାର୍ଥିପତ୍ର ଦାଖଲ ଦିନରୁ ‌ପ୍ରଚାରର ଶେଷ ଦିନ ଯାଏ ସ୍ନେହାଂଗିନୀ ନବନିର୍ବାଚିତ ବିଧାୟିକାଙ୍କ ସହ ଛାଇ ଭଳି ରହିଥିଲେ। ବ୍ରଜରାଜନଗର ବିଜୟରେ ବିଜେଡିର ମହିଳା ଶାଖାର ବିଶେଷ ଯୋଗଦାନ ଥିଲା ବୋଲି ସ୍ନେହାଂଗିନୀଙ୍କ ସମର୍ଥକ କହୁଛନ୍ତି। ଏହାପୂର୍ବରୁ ତାଙ୍କରି ନିର୍ବାଚନମଣ୍ଡଳୀରେ ବିଜେଡି ସବୁ ଜିଲ୍ଲା ପରିଷଦ ପୋଛି ନେଲା। ମହିଳାମାନେ ହିଁ ବିଭିନ୍ନ ପଦଭାରରେ ରହିଲେ। ତେଣୁ ଆଶା ଥିଲା ସ୍ନେହାଂଗିନୀଙ୍କୁ ପୁନର୍ବାର ମନ୍ତ୍ରୀ ପଦ ମିଳିବ ବୋଲି। ସେହି ହସ୍ତତନ୍ତ ବିଭାଗ ତାଙ୍କ ଭାଗ୍ୟରେ ଜୁଟିବ ବୋଲି ଚର୍ଚ୍ଚା ଥିଲା।

ହେଲେ ରୀତା ସାହୁଙ୍କୁ ଏହି ବିଭାଗ ମିଳିଛି। ସ୍ନେହାଂଗିନୀଙ୍କୁ ଦଳ ଜାଣିଶୁଣି ଅବହେଳା କଲା କି? ପଶ୍ଚିମ ଓଡ଼ିଶାରେ ବିଜେଡିର ପତିଆରା ବଢ଼ାଇବା ପାଇଁ ସ୍ନେହାଂଗିନୀ ଓ ସୁଶାନ୍ତ ମିଶି କାମ କରିବେ କି? କି ପୂର୍ବଭଳି ନିଜନିଜ ଢାଞ୍ଚାରେ ଦଳୀୟ ସଂଗଠନ ସମ୍ଭାଳିବେ? ବବି ଉଭୟଙ୍କ ଭିତରେ ଯୋଗସୂତ୍ର ସ୍ଥାପନ କରିବେ କି? ଏଭଳି ଗୁଡ଼ାଏ ପ୍ରଶ୍ନ ଏହି ଫଟୋ ଜନତାଙ୍କ ସାମନାରେ ରଖି ଦେଇଛି। ଆଗାମୀ ଦିନରେ ଦଳ ସୁଶାନ୍ତଙ୍କ ପାଇଁ କେଉଁ ନୀତି ନିର୍ଦ୍ଧାରଣ କରୁଛି, ତାହା ଉପରେ ନଜର ରହିବ। କାରଣ ସୁଶାନ୍ତ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିବା ଏକ ସ୍ବାଭାବିକ ଘଟଣାବଳୀ ନୁହଁ। ପଶ୍ଚିମ ଓଡ଼ିଶା ରାଜନୀତିରେ ବିଜେଡିର ଦବ୍‌ଦବା ପାଇଁ ତାଙ୍କୁ ଦଳ କିଭଳି ଅସ୍ତ୍ର‌ ଦେବ, ତାହା ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe