ମୋଦୀ ସରକାରଙ୍କ ଭୁଲ ଅର୍ଥନୀତି ପାଇଁ ଦରଦାମ୍‌ ଆକାଶଛୁଆଁ: ସାଂସଦ ଡାଙ୍ଗି

Advertisment

ଆସନ୍ତା ୪ରେ ଦରଦାମ ବୃଦ୍ଧି ଓ ଉତ୍କଟ ବେକାରୀ ପ୍ରତିବାଦରେ ‘ମହଙ୍ଗାଇ ପର ହଲ୍ଲାବୋଲ’

ଆସନ୍ତା ୪ରେ ଦରଦାମ ବୃଦ୍ଧି ଓ ଉତ୍କଟ ବେକାରୀ ପ୍ରତିବାଦରେ ‘ମହଙ୍ଗାଇ ପର ହଲ୍ଲାବୋଲ’

ମୋଦୀ ସରକାରଙ୍କ ଭୁଲ ଅର୍ଥନୀତି ପାଇଁ ଦରଦାମ୍‌ ଆକାଶଛୁଆଁ: ସାଂସଦ ଡାଙ୍ଗି

ଭୁବନେଶ୍ବର : ମୋଦୀ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି କାରଣରୁ ଦେଶରେ ଦରଦାମ ଏବେ ଆକାଶଛୁଆଁ ଓ ଉତ୍କଟ ବେକାରୀ ସମସ୍ୟା ଦେଖା ଦେଇଛି। ମହଙ୍ଗା ଓ ବେକାରମୁକ୍ତ ଭାରତ ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଯେଉଁ ସ୍ୱପ୍ନ ଦେଖାଇଥିଲେ ଆଜି ତାହା ପ୍ରତାରଣାରେ ପରିଣତ ହୋଇଛି। ମୋଦୀ ସରକାର ଏକ ଜନ ବିରୋଧୀ ଓ ଯୁବ ବିରୋଧୀ ସରକାର। ଏହାର ବିରୋଧରେ କଂଗ୍ରେସ ଲଗାତାର ସଂଗ୍ରାମ ଜାରି ରଖିଥିବା ବେଳେ ଆଗାମୀ ଦିନରେ ଏହାକୁ ତୀବ୍ରତର କରାଯିବ ବୋଲି କହିଛନ୍ତି ବରିଷ୍ଠ କେନ୍ଦ୍ରୀୟ କଂଗ୍ରେସ ନେତା ତଥା ସାଂସଦ ନିରଜ ଡାଙ୍ଗି।

ସୋମବାର ଦିନ କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଡାଙ୍ଗି କହିଥିଲେ ଯେ ବିମୁଦ୍ରୀକରଣ ଓ ତରବରିଆ ଭାବେ ଜିଏସଟିକୁ ଲାଗୁ କରାଯିବା ଦେଶର ଅର୍ଥ ବ୍ୟବସ୍ଥାକୁ ଶୋଚନୀୟ କରିଦେଇଛି। ଏବେ ବୋଝ ଉପରେ ଲଳିତା ବିଡ଼ା ସଦୃଶ ସମସ୍ତ ରାଷ୍ଟ୍ରୀୟ ସଂପତ୍ତି ଯଥା ରେଳ, ବିମାନସେବା, ବନ୍ଦର, ଏଲଆଇସି, ଖଣି, ରାଷ୍ଟ୍ରାୟତ ଉଦ୍ୟୋଗ ଆଦିର ଘରୋଇକରଣ କରାଯାଉଛି ଅବା ମୋଦୀଙ୍କ ଶିଳ୍ପପତି ବନ୍ଧୁମାନଙ୍କ ହାତକୁ ଟେକି ଦିଆଯାଉଛି। ମୋଦୀ ସରକାରଙ୍କ ଯୁବ ବିରୋଧୀ ଆଭିମୁଖ୍ୟ ଯୋଗୁ କେନ୍ଦ୍ର ସରକାରଙ୍କ ଅଧିନରେ ୧୦ଲକ୍ଷରୁ ପଦବି ଖାଲି ପଡ଼ିଛି। ଯାହାକି ସମୁଦାୟ ମଞ୍ଜୁରିପ୍ରାପ୍ତ ପଦବିର ୨୪ ପ୍ରତିଶତ। ଦେଶର ଯୁବ ସମାଜକୁ ଭୁଆଁ ବୁଲାଇବା ପାଇଁ ‘ଅଗ୍ନିପଥ’ ଯୋଜନା ପ୍ରଣୟନ କରି ଯୁବକମାନଙ୍କର ରୋଜଗାର ସମ୍ଭାବନାକୁ ସଙ୍କଟକୁ ଠେଲି ଦିଆଯାଇଛି। ଏହାସହ ଦେଶର ସୁରକ୍ଷା ପ୍ରତି ନୂଆ ବିପଦକୁ ସରକାର ଡାକି ଆଣିଛନ୍ତି। ସେନା ବାହିନୀରେ ଯୋଗଦେଇ ଦେଶର ସେବା କରିବାକୁ ଆଶା ରଖିଥିବା ଯୁବକ/ଯୁବତୀମାନଙ୍କ ସ୍ୱପ୍ନ ଧୂଳିସାତ ହୋଇଛି।

ଦେଶରେ ଏବେ ବେକାରୀ ସମସ୍ୟା ବେଶ୍ ଉତ୍କଟ। ୨୦-୨୪ ବର୍ଗର ୪୨ ପ୍ରତିଶତ ଯୁବକ/ଯୁବତୀ ଏବେ ନିଯୁକ୍ତି ନ ପାଇ ହତାଶା ଭିତରେ ରହିଛନ୍ତି। ଭାରତୀୟ ଜାତୀୟ କଂଗ୍ରେସ ଏଭଳି କଠିନି ପରିସ୍ଥିତିରେ ଲୋକଙ୍କ ସହିତ ସଂସଦରୁ ସଡ଼କ ପର୍ଯ୍ୟନ୍ତ ଛିଡ଼ା ହୋଇ ମୋଦୀ ସରକାରଙ୍କ ବିଫଳତା ବିରୋଧରେ ଲଢ଼େଇ କରିଆସୁଛି। ଦରଦାମ୍ ବୃଦ୍ଧି ବିରୋଧରେ ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ଦିଲ୍ଲୀର ରାମଲୀଳା ମୈଦାନରେ କଂଗ୍ରେସ ପକ୍ଷରୁ ‘ମହଙ୍ଗାଇ ପର ହଲ୍ଲାବୋଲ୍‌’ ଆୟୋଜିତ ହେବାକୁ ଯାଉଛି। ତେଣୁ କେନ୍ଦ୍ର ସରକାର ଦରବୃଦ୍ଧି ଉପରେ ତୁରନ୍ତ ଅଂକୁଶ ଲଗାଇବା ସହ ଯୁବକ/ଯୁବତୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବାର ପୂର୍ବ ପ୍ରତିଶ୍ରୁତିକୁ ପୂରଣ କରନ୍ତୁ। ସେହିପରି ଓଡ଼ିଶାର ବେକାରୀ ସମସ୍ୟା ସଂପର୍କରେ ଆଲୋକପାତ କରି ଶ୍ରୀ ଡାଙ୍ଗି କହିଲେ ଯେ ଓଡ଼ିଶାରେ ଲକ୍ଷ ୬୨ ହଜାରରୁ ଅଧିକ ପଦବି ଖାଲି ପଡ଼ିଛି। ଉଭୟ ମୋଦୀ ଓ ନବୀନ ସରକାରଙ୍କ ଯୁବ ବିରୋଧୀ ନୀତି ବିରୋଧରେ କଂଗ୍ରେସ ସଂଗ୍ରାମ ଜାରି ରଖିବ ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ସେଲ୍‌ ଅଧ୍ୟକ୍ଷ ଗଣେଶ୍ୱର ବେହେରା, ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ, ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ବରିଷ୍ଠ କଂଗ୍ରେସ ନେତା ବିଭୂତି ମିଶ୍ର ଓ ଚିନ୍ମୟ ସୁନ୍ଦର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe