ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କ ପାଇଁ ବଢ଼ିଲା ଅଡ଼ୁଆ

ମାନବାଧିକାର ଆୟୋଗଙ୍କ ଆଦେଶ କ୍ରମେ ପୁଲିସ୍‌ର ତଦନ୍ତ ଆରମ୍ଭ

ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କ ପାଇଁ ବଢ଼ିଲା ଅଡ଼ୁଆ

The New Indian Express

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ପାଇଁ ବଢ଼ିପାରେ ଅଡ଼ୁଆ। ଓଡ଼ିଶା ରାଜ୍ୟ ମାନବାଧିକାର ଆୟୋଗଙ୍କ ଆଦେଶକ୍ର‌ମେ ସମ୍ବଲପୁର ଜିଲ୍ଲା ପୁଲିସ ପୁଣି ଥରେ ତଦନ୍ତ ଆରମ୍ଭ କରିଛି। ଆଜି କର୍ମଚାରୀମାନଙ୍କଠାରୁ ବୟାନ ନେବାବେଳେ ‌ସେମାନେ କୁଳପତି ପ୍ରଫେସର ମିତ୍ତଲଙ୍କ ଦ୍ବାରା ହଇରାଣ ହୋଇଛନ୍ତି, ତାହା ତଦନ୍ତ ଅଧିକାରୀ ଅତିରିକ୍ତ ଏସ୍‌ପି ତପନ ମହାନ୍ତିଙ୍କ ଆଗରେ ବଖାଣିଛନ୍ତି।

ଗତ ବର୍ଷ ୨ ଅଗଷ୍ଟ ଓଡ଼ିଶା ମାନବ ଅଧିକାର ଆୟୋଗ(ଓଏଚ୍‌ଆର୍‌ସି)ର ଅଧ୍ୟକ୍ଷ ସମ୍ବଲପୁର ଗସ୍ତରେ ଆସିଥିବା ବେଳେ ସମ୍ବଲପୁର ସହରର ବୁଦ୍ଧିଜୀବୀମାନେ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କ ଦ୍ବାରା ଅପମାନିତ ହୋଇ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ଘଟଣା ସଂକ୍ରାନ୍ତରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ପୁଣି ଗତ ୨୧ ଅଗ‌ଷ୍ଟ ୨୦୨୧ରେ  ସମ୍ବଲପୁରର ଡେପଲ୍‌ପମେଣ୍ଟ ଫୋରମର ସଭାପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହିତ ପ୍ରଫେସର ଶଙ୍କର ପ୍ରସାଦ ପତି, ପ୍ରଫେସର ରବି ନାରାୟଣ ମିଶ୍ର, ରଘୁନାଥ ମିଶ୍ର, ରାଜେନ୍ଦ୍ର ପଣ୍ଡା, ପ୍ରଫୁଲ୍ଲ ହୋତା, ସୁଧୀର ପୂଜାରୀ ପ୍ରମୁଖ ମିଳିତ ଭାବେ ପୁଣି ଓଏଚ୍‌ଆର୍‌ସିର ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ।

କୁଳପତି ପ୍ରଫେସର ମିତ୍ତଲ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର ଆତ୍ମଦାହ ମାମଲାରେ ଅଭିଯୁକ୍ତ ଥିବାରୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ଆଣିଛନ୍ତି। ମାତ୍ର ଦୀନବନ୍ଧୁଙ୍କ ପୁଅ ଓ ପତ୍ନୀଙ୍କ ସହିତ ସେମାନଙ୍କ ସପକ୍ଷରେ ବୟାନ ଦେଉଥିବା  କର୍ମଚାରୀମାନଙ୍କୁ ବିଭିନ୍ନ ପ୍ରକାର ହଇରାଣ କରୁଥିବା ଅଭିଯୋଗ ଆଣିଥିଲେ। ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ ସହିତ ଅନ୍ୟମାନଙ୍କୁ ଧମକାଉଥିବାରୁ ସେମାନଙ୍କ ମାନବ ଅଧିକାର ଉଲ୍ଲଂଘନ ହେଉଥିବା ଅଭିଯୋଗ କରିଥିଲେ। ପୁଲିସ ମଧ୍ୟ ମାଜିଷ୍ଟ୍ରେଟଙ୍କ ନିକଟରେ କେସ୍‌ ଡାଏରି ଦାଖଲ ସମୟରେ ମହେନ୍ଦ୍ର ମିଶ୍ର, ସରୋଜ ମିଶ୍ରଙ୍କ ବୟାନକୁ ଅଣଦେଖା କରାଯାଇଥିବା ଅଭିଯୋଗ ଆଣିଥିଲେ। ଏପରିକି ଶ୍ରମ ନିୟମ ଉଲ୍ଲଂଘନକରି କେତେକ କର୍ମଚାରୀଙ୍କ ଦରମା, ପେନ୍‌ସନ୍ ବନ୍ଦ କରିଦେଇଥିବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ। ଓଏଚ୍ଆର୍‌ସି ପକ୍ଷରୁ ଏ ସଂକ୍ରାନ୍ତରେ ସମ୍ବଲପୁର ଏସ୍‌ପିଙ୍କୁ ଏନେଇ ରିପୋର୍ଟ ମଗାଯାଇଥିଲା।

ମାତ୍ର, ଏସ୍‌ପିଙ୍କ ପକ୍ଷରୁ ଯେଉଁ ରିପୋର୍ଟ ଦାଖଲ କରାଯାଇଥିଲା ସେନେଇ ପ୍ରଫେସର ପାଢ଼ୀ ଓ ଅନ୍ୟମାନ‌େ ଏହା ଉପରେ ଆପତ୍ତି ଉଠାଇଥିଲେ। ଏଭଳି ସ୍ଥିତିରେ ଓଏଚ୍‌ଆର୍‌ସି ପକ୍ଷରୁ ପୁଣି ଥରେ ତଦନ୍ତକରି ରିପ‌ୋର୍ଟ ଦାଖଲ କରିବାକୁ କହାଯାଇଥିଲା। ସମଗ୍ର ଅଭିଯୋଗର ବିସ୍ତୃତ ତଦନ୍ତ ପାଇଁ ଅତିରିକ୍ତ ଏସ୍‌ପି ତପନ ମହାନ୍ତିଙ୍କୁ ଦାୟିତ୍ବ ଦିଆଯାଇଛି। ଅତିରିକ୍ତ ଏସ୍‌ପି ତପନ ମହାନ୍ତି ଆଜି ବିଶ୍ବବିଦ୍ୟାଳୟର ପହଂଚି ପ୍ରଥମେ ସରୋଜ ମିଶ୍ର, ସଂପୂର୍ଣ୍ଣାନନ୍ଦ ସାହୁ, ଅନୁପମା ନାଏକଙ୍କ ବୟାନ ରେକର୍ଡ କରିଥିଲେ।

ଏମାନଙ୍କ ବ୍ୟତୀତ ଅନ୍ୟ କ‌େତେଜଣ କର୍ମଚାରୀମାନଙ୍କ ଏନେଇ ବୟାନ ମଧ୍ୟ ନିଆଯାଇଥିଲା। ଦରମା ବନ୍ଦ, ଧମକ ଚମକ, ହଇରାଣ କରାଯିବା ଆଦି ସଂପର୍କରେ ତଦନ୍ତ ଅଧିକାରୀ ସେମାନଙ୍କୁ ପ୍ରଶ୍ନ ପଚାରିଥିଲେ। କର୍ମଚାରୀମାନେ ବିସ୍ତୃତ ଭାବେ ସେମାନେ ଭୋଗିଥିବା ଅସୁବିଧା ସଂପର୍କରେ କହିଥିବା ଜଣାପଡ଼ିଛି। ପୁଲିସ ନିରପେକ୍ଷ ଭାବେ ଯଦି ଓଏଚ୍ଆର୍‌ସିକୁ ରିପୋର୍ଟ ପ୍ରଦାନ କରିବେ, ତାହାଲେ ସତ ପଦାକୁ ଆସିବ ଏବଂ କୁଳପତିଙ୍କ ଅଡ଼ୁଆ ବଢ଼ିବା ନିଶ୍ଚିତ ‌ବୋଲି ନାମ ‌ଗୋପନ ରଖିବା ସର୍ତ୍ତରେ ଜଣେ କର୍ମଚାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe