ପ୍ରକଳ୍ପକୁ ଶୀଘ୍ର ମିଳିବ ଜଙ୍ଗଲ ମଞ୍ଜୁରି: ୨୬ଟି ପ୍ରକଳ୍ପର ସମୀକ୍ଷା, ପ୍ରତି ମଙ୍ଗଳବାର ସମୀକ୍ଷା ବୈଠକ

ଜଙ୍ଗଲ ମଞ୍ଜୁରି ପାଇବାରେ ହେଉଥିବା ବିଳମ୍ବ ସମସ୍ୟାର ସମାଧାନ ଲାଗି ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ରେଳଠାରୁ ଆରମ୍ଭ କରି ଶକ୍ତି, ଶିକ୍ଷା ଓ ଜଳ ସମ୍ପଦ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଯେଭଳି ନିର୍ଧାରିତ ସମୟରେ ଶେଷ ହୋଇପାରିବ....

Forest

ଭୁବନେଶ୍ବର: ଜଙ୍ଗଲ ମଞ୍ଜୁରି ପାଇବାରେ ହେଉଥିବା ବିଳମ୍ବ ସମସ୍ୟାର ସମାଧାନ ଲାଗି ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ରେଳଠାରୁ ଆରମ୍ଭ କରି ଶକ୍ତି, ଶିକ୍ଷା ଓ ଜଳ ସମ୍ପଦ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଯେଭଳି ନିର୍ଧାରିତ ସମୟରେ ଶେଷ ହୋଇପାରିବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବିକାଶମୂଳକ ପ୍ରକଳ୍ପଗୁଡ଼ିକୁ ଶୀଘ୍ର ଜଙ୍ଗଲ ମଞ୍ଜୁରି ଦେବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ଜଙ୍ଗଲ ବିଭାଗ କାର୍ଯ୍ୟ କରିବ। ଯେଉଁଠାରେ ଯାହା ସମସ୍ୟା ରହିଛି ତାହା ଚିହ୍ନଟ କରି, ସେଗୁଡ଼ିକୁ ଶୀଘ୍ର ସମାଧାନ କରିବା ସହ ଜଙ୍ଗଲ ମଞ୍ଜୁରି ଲାଗି ବାଟ ପରିଷ୍କାର କରାଯିବ। ଏନେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜଙ୍ଗଲ ମଞ୍ଜୁରିକୁ ନେଇ ରହିଥିବା ବିଭିନ୍ନ ସମସ୍ୟାକୁ ଶୀଘ୍ର ସମାଧାନ କରିବା ଲାଗି ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ୨୬ଟି ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ରେଳ ମନ୍ତ୍ରଣାଳୟ କାର୍ଯ୍ୟକାରୀ କରୁଥିବା ୬ଟି ପ୍ରକଳ୍ପ, ଗେଲ୍‌ ଓ ଭାରତୀୟ ତୈଳ ନିଗମର ପ୍ରକଳ୍ପ, ଜଳ ସମ୍ପଦ ବିଭାଗର ୩ଟି ପ୍ରକଳ୍ପ ଓ ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ୍‌ର ୭ଟି ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ପ୍ରତିଟି ପ୍ରକଳ୍ପର ନିର୍ଦ୍ଦିଷ୍ଟ ସମସ୍ୟାଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯିବା ସହ ତାହାର ସମାଧାନ ଲାଗି ସମୟ ସୀମା ଧାର୍ଯ୍ୟ କରାଯାଇଥିଲା। ଆଗାମୀ ଦିନରେ ପ୍ରତି ସପ୍ତାହର ମଙ୍ଗଳବାର ଦିନ ଏଭଳି ସମୀକ୍ଷା ବୈଠକ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସମୀକ୍ଷା କରାଯାଇଥିବା ସମସ୍ତ ପ୍ରକଳ୍ପ ସମେତ ନୂଆ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ନିଆଯାଇଥିବା ସବୁ ପଦକ୍ଷେପକୁ ସେଥିରେ ଚୂଡ଼ାନ୍ତ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁ କହିଛନ୍ତି। ଅତିରିକ୍ତ ମୁଖ୍ୟ ବନ ସଂରକ୍ଷକ (ନୋଡାଲ) ଡ. ମୁରୁଗେସନ ସାପ୍ତାହିକ ସମୀକ୍ଷା ବୈଠକର ତଦାରଖ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe