ବାଲେଶ୍ବର: ବାଲେଶ୍ବରରେ ଟଙ୍କା ଛପା କାଗଜ ତିଆରି କାରଖାନା ପ୍ରତିଷ୍ଠା ପାଇଁ ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ)ର ଏକ ପ୍ରତିନିଧି ଦଳ ତୃତୀୟ ଥର ପାଇଁ ବାଲେଶ୍ବର ଗସ୍ତରେ ଆସି ପୁଣି ଜମି ଅନୁଧ୍ୟାନ କରିଛନ୍ତି।
ରେମୁଣା ତହସିଲ ଅଧୀନ ଚଷାଖଣ୍ଡ ପଞ୍ଚାୟତର ପଦାବଡ଼ଗାଁ ମୌଜାରେ ଚିହ୍ନଟ ହୋଇଥିବା ୧୦୦ ଏକରରୁ ଊର୍ଦ୍ଧ୍ବ ସରକାରୀ ଜମି ଅନୁଧ୍ୟାନ କରିବା ସହିତ ପ୍ରସ୍ତାବିତ କାରଖାନାକୁ ଗମନାଗମନ ସୁବିଧା, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ବିଦ୍ୟୁତ୍ ସଂଯୋଗୀକରଣ ସମ୍ପର୍କରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ସହ ଆଲୋଚନା କରିଥିଲେ। ସେହିପରି ଏହି ଅଞ୍ଚଳ ବନ୍ୟାପ୍ରବଣ ହୋଇଥିବାରୁ ବୁଢ଼ାବଳଙ୍ଗ ନଦୀର ବନ୍ୟାପାଣି ଉକ୍ତ ଅଞ୍ଚଳକୁ ପ୍ରଭାବିତ କରିବ କି ନାହିଁ ସେ ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ। ଆର୍ବିଆଇର ବାଲେଶ୍ବର ପ୍ରକଳ୍ପ ଅଧିକାରୀ ମାନସ ମହାନ୍ତି, ଆଲୋକ ମହାନ୍ତିଙ୍କ ସମେତ ଅନ୍ୟ ପଦାଧିକାରୀ ପରିଦର୍ଶନରେ ଆସିଥିଲେ।
ଏହି ପ୍ରତିନିଧି ଦଳ ସହିତ ବାଲେଶ୍ବର ଅତିରିକ୍ତ ଜିଲ୍ଲାପାଳ ଭବେଶ ନାୟକ, ଇଡକୋ ଡିଭିଜନାଲ ମ୍ୟାନେଜର ବିନୋଦ କୁମାର ଦାଶ, ଜିଲ୍ଲା ପୁଞ୍ଜି ପ୍ରାଧିକରଣର ଅଧିକାରୀ ବିବେଶ ମିଶ୍ର, ରେମୁଣା ତହସିଲଦାର ସିତାଂଶୁ ଶେଖର ଦାସ, ଚଷାଖଣ୍ଡ ସରପଞ୍ଚ କେଦାର ସାହୁ ମଧ୍ୟ ପ୍ରସ୍ତାବିତ ଜମି ପରିଦର୍ଶନ କରିଛନ୍ତି। ବାଲେଶ୍ବରରେ ଏହି କାରଖାନା ପ୍ରତିଷ୍ଠା ହେବା ନେଇ ଏକ ପ୍ରକାର ଆଶା ଉଜ୍ଜ୍ବଳ ହୋଇଛି।
କାରଖାନା ପ୍ରତିଷ୍ଠା ହେଲେ କର୍ମନିଯୁକ୍ତି ସୃଷ୍ଟି ହେବା ସହିତ ଅଞ୍ଚଳର ବିକାଶ ହେବ। ସମଗ୍ର ଦେଶରେ ଜାତୀୟସ୍ତରର ପ୍ରକଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ବାଲେଶ୍ବର ନିଜର ପରିଚୟ ସୃଷ୍ଟି କରିପାରିବ।
Follow Us