The Times of India
ତେଜସ୍କର ମହାପାତ୍ର
ଝାରସୁଗୁଡ଼ା: ନାଟକୀୟ ମୋଡ଼ରେ ରାବଣପୋଡ଼ି ବିବାଦ। ମନମୋହନ ସ୍କୁଲ ପଡ଼ିଆରେ କେଉଁ ଗୋଷ୍ଠୀର ରାବଣ ଦହନ ହେବ ତାହା ବର୍ତ୍ତମାନ ସୁଦ୍ଧା ସ୍ଥିର ହୋଇପାରୁ ନାହିଁ। ଗୋଟିଏ ପଟେ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସଙ୍କ ସମର୍ଥିତ ଗୋଷ୍ଠୀ ପକ୍ଷରୁ ରାବଣ ତିଆରି ପାଇଁ ବାଉଁଶ ପୋତା ଶେଷ ହୋଇଥିବା ବେଳେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କ ସମର୍ଥିତ ଗୋଷ୍ଠୀ ପକ୍ଷରୁ ଏଯାଏ ବାଉଁଶ ପୋତାଯାଇ ନାହିଁ। ଶୁକ୍ରବାର ଅଳକାଙ୍କ ଗୋଷ୍ଠୀ ପକ୍ଷରୁ ଝାରସୁଗୁଡ଼ା ଥାନାରେ ଓ ଏସ୍ପିଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା। ଶନିବାର ଏହି ମାମଲାକୁ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ନିକଟକୁ ପଠାଇ ଦେଇଛି। ରାଜ୍ୟ ସରକାର କେଉଁ ପକ୍ଷକୁ ଅନୁମତି ଦେବେ କିମ୍ବା ଉଭୟ ପକ୍ଷଙ୍କୁ ବାରଣ କରିବେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ଅଛି। ସେପଟେ, ଶନିବାର ଜିଲ୍ଲା କଂଗ୍ରେସ ସଭାପତି ସିଆରାମ ଦାସଙ୍କ ନେତୃତ୍ବରେ ଏକ ଟିମ୍ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଭେଟି ଶୃଙ୍ଖଳାର ସହ ରାବଣ ଦହନ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛି। ଅଳକା ଗୋଷ୍ଠୀଙ୍କୁ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମର୍ଥନ ଜିଲ୍ଲା ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଛି। କେବଳ ଜିଲ୍ଲା କଂଗ୍ରେସ ସଭାପତି ନୁହନ୍ତି ବରଂ ଜିଲ୍ଲା ବିଜେଡିର ଅନେକ ନେତା ମଧ୍ୟ ସାମ୍ନାକୁ ନ ଆସି ଅଳକାଙ୍କୁ ସମର୍ଥନ ଜଣାଇଛନ୍ତି। ୩୯ ବର୍ଷ ହେବ ମଙ୍ଗଳବଜାର ଶିବଶକ୍ତି ଦୁର୍ଗାପୂଜା କମିଟି ଶାନ୍ତିଶୃଙ୍ଖଳାର ସହ ଏହି କାର୍ଯ୍ୟକ୍ରମ କରି ଆସୁଥିବାରୁ ଚଳିତ ବର୍ଷ ମଧ୍ୟ ଅନୁମତି ଦେବାକୁ କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି। ବିନା ଅନୁମତିରେ ମନମୋହନ ସ୍କୁଲ ପଡ଼ିଆରେ ଖୁଣ୍ଟ ପୋତାଯାଇ ଥିବା ନେଇ ଖୋଦ୍ ଜିଲ୍ଲା ଶିକ୍ଷାଧିକାରୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଏଭଳି ସ୍ଥିତିରେ ମନମୋହନ ସ୍କୁଲ ପଡ଼ିଆରେ ରାବଣପୋଡ଼ି ହେଲେ ଆଇନ୍ ଶୃଙ୍ଖଳା ସ୍ଥିତି ମଧ୍ୟ ଉପୁଜିବା ନେଇ ଆଶଙ୍କା ଦେଖାଦେଲାଣି। ତେବେ ଉଭୟ ଗୋଷ୍ଠୀ କିମ୍ବା କୌଣସି ଗୋଟିଏ ଗୋଷ୍ଠୀକୁ ଅନୁମତି ମିଳିଲେ ମଧ୍ୟ ଆଇନ୍ ଶୃଙ୍ଖଳା ସ୍ଥିତି ବିଗିଡ଼ିପାରେ। ପ୍ରକାଶଥାଉ କି, ଝାରସୁଗୁଡ଼ା ସହରରେ ପୂର୍ବରୁ ସରବାହାଲରେ ନବ କିଶୋର ଦାସଙ୍କ ପକ୍ଷରୁ ଓ ମନମୋହନ ସ୍କୁଲ ପଡ଼ିଆରେ କିଶୋର ମହାନ୍ତିଙ୍କ ସମର୍ଥକଙ୍କ ପକ୍ଷରୁ ରାବଣ ପୋଡ଼ି ହେଉଥିଲା। ହେଲେ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ମନମୋହନ ସ୍କୁଲ ପଡ଼ିଆରେ ରାବଣପୋଡ଼ି ଉତ୍ସବ କରୁଥିବା ଦଶହରା ଉତ୍ସବ ସମିତି ନବ ଦାସଙ୍କ ସମର୍ଥନ ଲୋଡ଼ିଥିଲା। ଗତବର୍ଷ ନବ ଦାସଙ୍କ ପକ୍ଷରୁ ଏହି ମନମୋହନ ସ୍କୁଲ ପଡ଼ିଆରେ ଦଶହରା ଉତ୍ସବ ସମିତିର ରାବଣ ପୋଡ଼ି ହେଉଛି। ହେଲେ ଚଳିତ ଥର ପରିସ୍ଥିତି ବଦଳିଛି। ନବ ଦାସ ବି ଆଉ ନଥିବାରୁ ପୁରୁଣା ଗଡ଼କୁ ପୁଣି ଜାବୁଡ଼ିବାକୁ ପ୍ରୟାସ କରିଛନ୍ତି ଅଳକା। ସେହି ଦଶହରା ଉତ୍ସବ ସମିତି ନାଁରେ ବ୍ୟାନର ମାରି ଭିନ୍ନ ଏକ ନାଁରେ ରାବଣପୋଡ଼ି ପାଇଁ ଜିଲ୍ଲା ପ୍ରଶାସନଠାରୁ ଅନୁମତି ମଗାଯାଇଛି। କିନ୍ତୁ ଦୀପାଳିଙ୍କ ଗୋଷ୍ଠୀ ଦଶହରା ଉତ୍ସବ ସମିତିକୁ ନେଇ ମାସକ ପୂର୍ବରୁ ଅନୁମତି ପାଇଁ ଆବେଦନ ପତ୍ର ପକାଇଦେଇଛି। ଦୀପାଳିଙ୍କ ଗୋଷ୍ଠୀ ପକ୍ଷରୁ ହେବାକୁ ଯାଉଥିବା ରାବଣ ପୋଡ଼ି ୭ଟା ୧ ମିନିଟ୍ରେ ହେବାନେଇ ସ୍ଥିର ହୋଇଥିବା ବେଳେ ଅଳକା ଗୋଷ୍ଠୀ ଏହାର ଅଧଘଣ୍ଟା ପୂର୍ବରୁ ଅର୍ଥାତ୍ ସାଢ଼େ ୬ଟାରେ ରାବଣ ପୋଡ଼ିବାକୁ ନିର୍ଦ୍ଧାରଣ କରିଛନ୍ତି। ଗୋଟିଏ ପଟେ, ଗୋଟିଏ ପଡ଼ିଆରେ ଦୁଇ ଦୁଇଟି ରାବଣ ପୋଡ଼ିକୁ କିଭଳି ଅନୁମତି ଦେବ ସେନେଇ ଜିଲ୍ଲା ପ୍ରଶାସନ ବି ଅଡ଼ୁଆରେ ପଡ଼ିଯାଇଛି। ଦ୍ବିତୀୟରେ ଅଳକାଙ୍କୁ ଢାଲ କରି ଜଣେ ମନ୍ତ୍ରୀ ଏବେ ଅନୁମତି ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଲବି ଚଳାଇଥିବା ବି ଜିଲ୍ଲା ବିଜେଡିରେ ଚର୍ଚ୍ଚା ହେଉଛି।
Follow Us