ରଥଯାତ୍ରାରେ ସାମିଲ ହେବେ ରେଳମନ୍ତ୍ରୀ: ପୁରୀ, ଖୋର୍ଧା, ନୟାଗଡ଼ରେ ପ୍ରକଳ୍ପ ଶୁଭାରମ୍ଭ, ନୂଆ ଘୋଷଣା

ଖୋର୍ଧାରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପର ସମୀକ୍ଷା, ପୁରୀ ଷ୍ଟେସନରେ ତୀର୍ଥଯାତ୍ରୀଙ୍କ ପାଇଁ ୭ ସୁବିଧା

୬ଜିରେ ଭାରତ ଆଗରେ ରହିବ: ଅଶ୍ବିନୀ

ଭୁବନେଶ୍ବର: ଚଳିତ ମାସରେ ଦ୍ବିତୀୟ ଥର ଲାଗି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଦୁଇଦିନିଆ ଏହି ଗସ୍ତ ଅବସରରେ ଡଜନେରୁ ଅଧିକ ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ଏକାଧିକ ନୂଆ ପ୍ରକଳ୍ପର ଘୋଷଣା କରିବା ନେଇ ମଧ୍ୟ ଯୋଜନା ରହିଛି। ଏଥିସହ ରେଳମନ୍ତ୍ରୀ ହିସାବରେ ଶ୍ରୀ ବୈଷ୍ଣବ ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରାରେ ସାମିଲ ହେବେ। ପାଖାପାଖି ୩ ଘଣ୍ଟା ଧରି ମହାପ୍ରଭୁଙ୍କ ଘୋଷଯାତ୍ରାରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ରହିଛି। ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ବହୁ ପ୍ରତୀକ୍ଷିତ ଖୋର୍ଧାରୋଡ୍‌-ବଲାଙ୍ଗୀର ରେଳ ପ୍ରକଳ୍ପର ସମୀକ୍ଷା କରିବେ।

ଜୁନ୍‌ ୩୦ ମଧ୍ୟାହ୍ନ ୧୨ଟା ୨୫ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ସେଠାରୁ ସିଧାସଳଖ ଭୁବନେଶ୍ବର ରେଳ ଷ୍ଟେସନକୁ ଯିବେ। ଅପରାହ୍ଣ ଗୋଟାଏରେ ଭୁବନେଶ୍ବର ରେଳ ଷ୍ଟେସନରୁ ଟ୍ରେନ୍‌ ଯୋଗେ ନୟାଗଡ଼ ଜିଲ୍ଲା ନୂଆଗାଁ ରୋଡ୍‌ ଅଭିମୁଖେ ଯାତ୍ରା କରିବେ। ଅପରାହ୍ଣ ୩ଟାରେ ପହଞ୍ଚି ଖୋର୍ଧାରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପର ସମୀକ୍ଷା କରିବେ। ମହିପୁରଠାରୁ ନୂଆଗାଁ ପର୍ଯ୍ୟନ୍ତ ଟ୍ରେନ୍‌ ସେବାକୁ ଲୋକାର୍ପଣ କରିବା ସହ ନୂଆଗାଁ-ପୁରୀ ନୂତନ ଟ୍ରେନ୍‌ ସେବା ନେଇ ଘୋଷଣା କରିବେ। ବୋଲଗଡ଼ ପିଏଚ୍‌ଠାରେ ସେବା ଏକ୍ସପ୍ରେସ୍‌ର ରହଣି ନେଇ ମଧ୍ୟ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ପାଖାପାଖି ଏକ ଘଣ୍ଟାର କାର୍ଯ୍ୟକ୍ରମ ଶେଷ କରି ଖୋର୍ଧା ରୋଡ ଅଭିମୁଖେ ବାହାରିବେ। ବାଟରେ ବୋଲଗଡ଼ ପିଏଚ୍‌କୁ ଷ୍ଟେସନରେ ପରିଣତ ହେବା ନେଇ ମଧ୍ୟ ଘୋଷଣା କରିବେ। ସନ୍ଧ୍ୟାରେ ଖୋର୍ଧାରୋଡ୍‌ ଷ୍ଟେସନରେ ବହୁ ପ୍ରକଳ୍ପର ଉଦ୍‌ଘାଟନ କରିବେ। ଖୋର୍ଧାରୋଡ ନୂଆ ଷ୍ଟେସନ ବିଲ୍‌ଡିଂ, ଭୁବନେଶ୍ବରସ୍ଥିତ ପଟିଆ ଓ ବାଣୀବିହାର ପିଏଚ୍‌ର ନୂଆ ବିଲ୍‌ଡିଂକୁ ଭିଡିଓ ଲିଙ୍କ୍‌ ମାଧ୍ୟମରେ ଲୋକାର୍ପଣ କରିବେ। ଭୁବନେଶ୍ବର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ୍‌(୧୮୪୬୩)ର ଏଲ୍‌ଏଚ୍‌ବି ରେକ୍‌ ଓ ଭୁବନେଶ୍ବର-ଆନନ୍ଦବିହାର ଦୁରୋନ୍ତ ଏକ୍ସପ୍ରେସ୍‌(୧୨୨୮୨)କୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ସେଠାରୁ ସିଧାସଳଖ ପୁରୀ ଅଭିମୁଖେ ବାହା‌ରିବେ। ରାତିରେ ପୁରୀ ଷ୍ଟେସନରେ ପହଞ୍ଚିବା ସହ ସେଠାରେ ରଥଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରେନ୍‌ ସେବାର ଶୁଭାରମ୍ଭ କରିବେ। ଏଥିସହ ୧୫ ହଜାର ତୀର୍ଥଯାତ୍ରୀଙ୍କ ଲାଗି ସେଲ୍ଟର, ଏକ୍‌ଜିକ୍ୟୁଟିଭ୍‌ ଲାଉଞ୍ଜ, ମୋବାଇଲ୍‌ ‌ଟିକେଟିଂ ସୁବିଧା, ବୟସ୍କ ଓ ଦିବ୍ୟାଙ୍ଗଙ୍କ ଲାଗି ବ୍ୟଟେରି ଚାଳିତ ଗାଡ଼ି, ଫୁଡ୍‌ କୋର୍ଟ, ମାଗଣା ଖାଦ୍ୟ ବଣ୍ଟନ ସେବାର ଶୁଭାରମ୍ଭ କରିବେ। ପୁରୀସ୍ଥିତ ରେଲୱେ ଗେଷ୍ଟ ହାଉସ୍‌ରେ ରାତ୍ରିଯାପନ କରିବା ସହ ପରଦିନ ସକାଳୁ ଅର୍ଥାତ୍‌ ଶ୍ରୀଗୁଣ୍ଡିଚାରେ ମହାପ୍ରଭୁଙ୍କ ଘୋଷଯାତ୍ରାରେ ସାମିଲ ହେବେ। ସକାଳ ୮ଟା ୩୦ରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ରଥଯାତ୍ରାରେ ଉପସ୍ଥିତ ରହିବେ। ଏହାପରେ ଭୁବନେଶ୍ବର ଫେରିବା ସହ ମଧ୍ୟାହ୍ନରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe