ରତ୍ନସିଂହାସନ କନକମୁଣ୍ଡି ଚାନ୍ଦୁଆ କାମ ଅନୁକୂଳ

ରତ୍ନସିଂହାସନ କନକମୁଣ୍ଡି ଚାନ୍ଦୁଆ କାମ ଅନୁକୂଳ

ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ରାରେ ଯାଇଥିବା ମହାପ୍ରଭୁ ନୀଳାଦ୍ରି ବିଜେରେ ପୁଣି ରତ୍ନ ସିଂହାସନକୁ ବିଜେ କରିବେ। ଏହା ପୂର୍ବରୁ ରତ୍ନ ସିଂହାସନରେ ନୂଆ କନକମୁଣ୍ଡି ଚାନ୍ଦୁଆ ଲାଗି ହେବ। ଆଜି ବଡ଼ ଓଡ଼ିଆ ମଠ ପକ୍ଷରୁ ଏହି କନକମୁଣ୍ଡି ଚାନ୍ଦୁଆ କାମ ଅନୁକୂଳ ହୋଇଛି। ବଡ଼ ଓଡ଼ିଆ ମଠ ମହନ୍ତ ଶ୍ରୀମନ୍ଦିର ଦର୍ଜି ସର୍ଦ୍ଦାର ପ୍ରକାଶ ମହାପାତ୍ରଙ୍କୁ ମାହାର୍ଦ୍ଦ ସହ କନା, କଇଁଚି ଆଦି ଦେବା ପରେ କନା କାଟି ଦର୍ଜି ସେବକମାନେ କାମ ଅନୁକୂଳ କରିଛନ୍ତି। ଶ୍ରୀମନ୍ଦିର ଦର୍ଜି ସର୍ଦ୍ଦାର ଶ୍ରୀ ମହାପାତ୍ର କହିଛନ୍ତି, ପ୍ରତିବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ରତ୍ନ ସିଂହାସନରେ ନୂଆ କନକମୁଣ୍ଡି ଚାନ୍ଦୁଆ ଲାଗିଥାଏ। ବଡ଼ ଓଡ଼ିଆ ମଠ ଏହି ଚାନ୍ଦୁଆ ଦେଇଥାଏ। ନୀଳାଦ୍ରି ବିଜେ ପୂର୍ବରୁ ଚୁନରା ସେବକମାନେ ଏହି ଚାନ୍ଦୁଆ ରତ୍ନ ସିଂହାସନ ଉପରେ ଲାଗି କରିଥାନ୍ତି। ବର୍ଷକ ପାଇଁ ଏହି ଚାନ୍ଦୁଆ ଲାଗିଥାଏ।

ବର୍ଷକ ପରେ ପୁଣି ରଥଯାତ୍ରା ସମୟରେ ଏହି ଚାନ୍ଦୁଆକୁ ବଦଳାଯାଇ ନୂଆ ଚାନ୍ଦୁଆ ଲାଗି ହୋଇଥାଏ। ଏହି ଅବସରରେ ବଡ଼ ଓଡ଼ିଆ ମଠ ପକ୍ଷରୁ ମାର୍ଜନା ବି କରାଯାଇଥାଏ। ଆଜି ମଠ ମହନ୍ତଙ୍କ ପକ୍ଷରୁ କନା ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷ ଯୋଗାଇ ଦେବା ପରେ ତାଙ୍କ ନେତୃତ୍ବରେ ପ୍ରାୟ ୧୨ଜଣ ଦର୍ଜି ସେବକ ଚାନ୍ଦୁଆ ନିର୍ମାଣରେ ଲାଗିଛନ୍ତି। ଏହି ଚାନ୍ଦୁଆ ହଳଦିଆ, ନାଲି, ସବୁଜ, ନୀଳ ଆଦି ରଙ୍ଗର ସାର୍ଟିନ୍‌ ଓ ବନାରସୀ ଜରି କନାରେ ପ୍ରସ୍ତୁତ ହେଉଛି। ଚାନ୍ଦୁଆ ପ୍ରସ୍ତୁତି ଏଭଳି ଶୈଳୀରେ କରାଯାଇଥାଏ କି ଶ୍ରୀଜଗନ୍ନାଥଙ୍କ ମସ୍ତକ ଉପରେ ହଳଦିଆ, ମା’ ସୁଭଦ୍ରାଙ୍କ ମସ୍ତକ ଉପରେ ନାଲି ଓ ବଡ଼ଠାକୁର ବଳଭଦ୍ରଙ୍କ ମସ୍ତକ ଉପରେ ସବୁଜ ରଙ୍ଗ ରହିଥାଏ। ମୋଟାପଟି, ଖଣ୍ଡୁଆଳି ଆଦି ପରସ୍ତ ପରସ୍ତ ହୋଇ ଲାଗିଥାଏ। ‌ଶେଷରେ କଳାପଟି ଲାଗିଥାଏ। ନୀଳାଦ୍ରି ବିଜେ ଦିନକ ପୂର୍ବରୁ କାମ ସାରି ବଡ଼ ଓଡ଼ିଆ ମଠ ମହନ୍ତଙ୍କୁ ହସ୍ତାନ୍ତର ପରେ ସେ ଶ୍ରୀମନ୍ଦିରକୁ ଏହା ବିଜେ କରିଥାନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe