ମନ୍ତ୍ରୀ ନବ ଦାସ ହତ୍ୟାକୁ ମାସେ ପୂରିଲା: ହତ୍ୟାର କାରଣ ଏବେ ବି ରହସ୍ୟରେ

ମନ୍ତ୍ରୀ ନବ ଦାସ ହତ୍ୟାକୁ ମାସେ ପୂରିଲା: ହତ୍ୟାର କାରଣ ଏବେ ବି ରହସ୍ୟରେ

ଝାରସୁଗୁଡ଼ା : ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ଆଜି ୩୦ ଦିନ ପୂରିଲା। ଏହି ମାମଲାରେ ଅଭିଯୁକ୍ତ ତଥା ପୂର୍ବତନ ପୁଲିସ୍ ଏଏସ୍ଆଇ ଗୋପାଳ ଦାସକୁ ପୁଲିସ୍ ଗିରଫ କରିଛି। କିନ୍ତୁ ଗୋପାଳ କାହିଁକି ଶ୍ରୀ ଦାସଙ୍କୁ ହତ୍ୟା କଲା? ଏହା ବ୍ୟକ୍ତିଗତ ଶତ୍ରୁତା ଥିଲା ନା ସୁପାରି କିଲିଂ ? ଏହା ପଛରେ କିଛି ବ୍ୟାବସାୟିକ ଅବା ରାଜନୈତିକ ଲିଙ୍କ୍ ରହିଛି କି? ଏସବୁ ପ୍ରଶ୍ନ ଏବେ ବି ଅସମାହିତ ହୋଇ ରହିଯାଇଛି। ମାମଲାର ତଦନ୍ତ ଦାୟିତ୍ବ ନେଇଥିବା କ୍ରାଇମ୍‌ବ୍ରାଞ୍ଚ ଏବେ ବି ତନାଘନା ଜାରି ରଖିଛି ଓ ଦେଶର ପ୍ରମୁଖ ସଂସ୍ଥାଙ୍କୁ ନିୟୋଜିତ କରି ସତ କାଢ଼ିବାକୁ ଉଦ୍ୟମ କରୁଛି।

publive-image

ଅଭିଯୁକ୍ତ ଗୋପାଳ ଦାସକୁ ପୁଲିସ୍ ଗିରଫ କରିବା ପରେ କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସରକାର। ଇତିମଧ୍ୟରେ କ୍ରାଇମବ୍ରାଞ୍ଚ ୧୩ ଦିନ ରିମାଣ୍ଡରେ ନେଇ ଗୋପାଳକୁ ପଚରାଉଚରା କରିଛି। ଗୁଜରାଟ ନେଇ ନାର୍କୋ ଟେଷ୍ଟ ବି କରାଇଛି। ଏହି ସମୟରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଦିଆଯାଇଥିବା ପ୍ରଶ୍ନ ବି ତାକୁ ପଚରାଯାଇଛି। କେବଳ ସେତିକି ନୁହେଁ, ଏସ୍‌ସିବିର ମାନସିକ ଡାକ୍ତରଙ୍କ ଟିମରୁ ନେଇ ନିମହାନ୍ସର ଟିମ୍ ଯାଏ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିଛନ୍ତି। ତଥାପି କ୍ରାଇମବ୍ରାଞ୍ଚ ସନ୍ତୁଷ୍ଟ ହୋଇନାହିଁ। ଏହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି। ବିଧାନସଭାରେ ହଙ୍ଗ‌ାମା ହୋଇଛି। ବିରୋଧୀ ଦଳ ଅଭିଯୋଗ କରୁଛନ୍ତି ଯେ କ୍ରାଇମବ୍ରାଞ୍ଚ କେବଳ ଗୋପାଳ ପାଖରେ ଅଟକି ଯାଇ ଅନ୍ୟ ଦିଗଗୁଡ଼ିକୁ ଅଣଦେଖା କରୁଛି। ଏହି ପ୍ରସଙ୍ଗରେ ବିଜେପି ଏବଂ ବିରୋଧୀ ଦଳ ମୁହାଁମୁହିଁ ହୋଇଛନ୍ତି। ହାଇକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ତତ୍ତ୍ବାବଧାନରେ ଏହି ଯାଞ୍ଚ ଚାଲିଥିବାରୁ ବିରୋଧୀ ଦଳ ଏହି ବ୍ୟବସ୍ଥାରେ ଆସ୍ଥା ରଖୁ ବୋଲି ବିଜେଡି ପରାମର୍ଶ ଦେଇଛି।

publive-image

ଅନ୍ୟପକ୍ଷରେ ଗୋପାଳର ବ୍ୟବହାରର ଯାଞ୍ଚ ପାଇଁ ରାଜ୍ୟ ସରକାର ଆମେରିକାର ତଦନ୍ତକାରୀ ସଂସ୍ଥା ଏଫ୍‌ବିଆଇକୁ ଅନୁରୋଧ କରିଥିବା ମୁଖ୍ୟମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି। ବିରୋଧୀ ଦଳ ଗୁଡ଼ିକ ହତ୍ୟାକାଣ୍ଡକୁ ନେଇ ରାଜନୀତି କରୁଥିବାରୁ ସେ ନାପସନ୍ଦ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ଝାରସୁଗୁଡ଼ାରେ ରହିବା ସମୟଠାରୁ ଗୋପାଳ ମିଳାମିଶା କରିଥିବା ବିଭାଗୀୟ କର୍ମଚାରୀ, ପାନ ଦୋକାନରୁ ନେଇ ପଡ଼ିଶା ଲୋକଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି। ମାତ୍ର ସମସ୍ତଙ୍କୁ କେବଳ ଗୋପାଳର ବ୍ୟବହାର ଓ ଆଚରଣ ସମ୍ପର୍କରେ ହିଁ ପଚରା ଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ପୁଲିସ୍ ଅଧିକାରୀ ସର୍ବ ସମ୍ମୁଖରେ ସ୍ପଷ୍ଟ ଦିବାଲୋକରେ ହତ୍ୟା କରିବା ଏକ ସାଧାରଣ ଘଟଣା ନୁହେଁ। ତେଣୁ ଏହାର ସବୁ ଦିଗରୁ ତଦନ୍ତ କରାଯାଉଥିବା ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe