Advertisment

ଛତିଶଗଡ଼, ଆନ୍ଧ୍ର ଯାଉଛି ବଳକା ଧାନ

Advertisment

୧୩ ଲକ୍ଷ କ୍ବିଣ୍ଟାଲ ବଳକା ଧାନର ହିସାବ ନାହିଁ, ଦଲାଲ ମାଲାମାଲ, କଳାହାଣ୍ଡିର ଚାଷୀ ଜଳକା

୧୩ ଲକ୍ଷ କ୍ବିଣ୍ଟାଲ ବଳକା ଧାନର ହିସାବ ନାହିଁ, ଦଲାଲ ମାଲାମାଲ, କଳାହାଣ୍ଡିର ଚାଷୀ ଜଳକା

ଧାନ ପରିବହନ ଖର୍ଚ୍ଚ ସୂଚନା ଦେଲେନି ଯୋଗାଣ ମନ୍ତ୍ରୀ

Sambad

କେସିଙ୍ଗା : ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ କଳାହାଣ୍ଡି ଜିଲ୍ଲାର ବଳକା ଧାନ ଛତିଶଗଡ଼ ଓ ଆନ୍ଧ୍ରମୁହାଁ ହେଉଥିବା ଦେଖାଯାଉଛି। ବିଗତ ଦିନରେ ଧାନ ଚୋରାଚାଲାଣ ସମୟରେ ଗାଡ଼ି ଧରାପଡ଼ିଥିବା ଘଟଣାକୁ ଦେଖିଲେ ଏହା ସ୍ପ​ଷ୍ଟ ଜଣାପଡ଼େ। ଅନ୍ୟପକ୍ଷରେ ଏହାର ଫାଇଦା ନେଇ ଦଲାଲ ମାଲାମାଲ୍ ହେଉଥିବା ବେଳେ କଳାହାଣ୍ଡିର ଚାଷୀ ଜଳକା ପରି ଚାହିଁ ବସିଛି।

ଛତିଶଗଡ଼ ସୀମା କଳାହାଣ୍ଡି ଜିଲ୍ଲାକୁ ଲାଗିରହିଛି। କମ୍‌ ଦୂରତା ଥିବାରୁ ଧର୍ମଗଡ଼ ଦେଇ ବିନା ବାଧାରେ ଧାନ ଚାଲାଣ ହୋଇପାରୁଛି। ଗତବର୍ଷ କେବଳ ୯ଟି ଧାନ ଚୋରାଚାଲାଣ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ଶହ ଶହ କ୍ବିଣ୍ଟାଲ ଧାନ ଜବତ ହୋଇଥିଲା। ବିଭାଗୀୟ ଅଧିକାରୀ ଛତିଶଗଡ଼ ସରକାର ସୀମା ସିଲ୍‌ କରୁଥିବା କହି ଏହି କଥାକୁ ଅସ୍ବୀକାର କରିଥିଲେ। ହେଲେ, ଗତବର୍ଷର ବଳକା ୧୩ ଲକ୍ଷ କ୍ବିଣ୍ଟାଲ ଧାନର କୁଆଡ଼େ ଗଲା, ତାହାର ହିସାବ କାହା ପାଖରେ ନାହିଁ। ଖୋଦ୍‌ କୃଷି ବିଭାଗ ଗତ ଖରିଫରେ ୬୦ ଲକ୍ଷ କ୍ବିଣ୍ଟାଲ ଏବଂ ରବିରେ ୨୦ ଲକ୍ଷ କ୍ବିଣ୍ଟାଲ ଧାନ ଉତ୍ପାଦନ ଆକଳନ କରିଥିଲା। ଯୋଗାଣ ବିଭାଗ ଜଳସେଚିତ ଅଞ୍ଚଳରେ ଏକର ପିଛା ୧୮ କ୍ବିଣ୍ଟାଲ ଓ ଅଣଜଳସେଚିତ ଅଞ୍ଚଳରେ ଏକର ପିଛା ୧୨ କ୍ବିଣ୍ଟାଲ ହିସାବରେ ଖରିଫ୍‌ରେ ୪୩ ଲକ୍ଷ କ୍ବିଣ୍ଟାଲ ଓ ରବିରେ ପ୍ରାୟ ୧୧ ଲକ୍ଷ କ୍ବିଣ୍ଟାଲ କିଣିଥିଲେ। କିନ୍ତୁ, ଜିଲ୍ଲାରେ ଚାଷୀ ଓ କୃଷି ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ ଜଳସେଚିତ ଅଞ୍ଚଳରେ ଏକର ପିଛା ୩୫ରୁ ୪୦ ଏବଂ ଅଣଜଳସେଚିତ ଅଞ୍ଚଳରେ ଏକର ପିଛା ୨୫ରୁ ୩୦ କ୍ବିଣ୍ଟାଲ ଧାନ ଉତ୍ପାଦନ ରହିଛି। ଯାହାର ହିସାବ କଲେ କୃଷି ବିଭାଗ ଦେଇଥିବା ୬୦ ଲକ୍ଷ କ୍ବିଣ୍ଟାଲ ରିପୋର୍ଟରୁ ଢେର ଅଧିକ ହୋଇଯିବ। ସରକାରଙ୍କ କହିବା ଅନୁଯାୟୀ, ବଳକା ଧାନ ତାଙ୍କ ବର୍ଷତମାମ ଚଳିବା ପାଇଁ ରଖିଥା’ନ୍ତି। କିନ୍ତୁ ବାସ୍ତବରେ ସ୍ଥିତି ଅଲଗା। ଚାଷୀ ନିଜ ଖାଇବା ପାଇଁ ଧାନ ରଖିଲା ପରେ ବି ବହୁ ପରିମାଣରେ ଧାନ ରହିଥାଏ। ଶେଷରେ ବାଧ୍ୟହୋଇ ଚାଷୀ ବଳକା ଧାନକୁ ଦଲାଲ ହାତରେ ଟେକି ଦେଇଥାଏ। ଯାହା ଗଳାବାଟ ଦେଇ ଛତିଶଗଡ଼ ଓ ଆନ୍ଧ୍ରକୁ ଯାଇଥାଏ।

ଅନ୍ୟପକ୍ଷରେ, ଛତିଶଗଡ଼ ସରକାର ନିଜ ଚାଷୀଙ୍କୁ ଅଧିକ ୬ ଶହ ଟଙ୍କା ବୋନସ ଦେଇ ବି ସ୍ୱତନ୍ତ୍ର ଧାନ ସଂଗ୍ରହ ନୀତି ପାଇଁ ଚାଷୀଙ୍କୁ ଉଚିତ ନ୍ୟାୟ ଦେଇପାଇଛି। ହେଲେ ସବୁ ଅର୍ଥ ବିନିଯୋଗ ପରେ ବି ଓଡ଼ିଶାରେ ଚାଷୀଙ୍କୁ ଅଭାବୀ ବିକ୍ରିର ଶିକାର ହେବାକୁ ପଡ଼ୁଛି। ଅନ୍ୟ ରାଜ୍ୟରେ ସରକାରଙ୍କ ଟାର୍ଗେଟ ପରେ ଅନ୍ୟ ଧାନ କିଣା ଓ ଚାଉଳ ବିକ୍ରି ପାଇଁ ଫ୍ରି ସେଲ ବ୍ୟବସ୍ଥା ରହିଛି। ହେଲେ ଓଡ଼ିଶାରେ ଏହା ନିୟମରେ ଛନ୍ଦି ହୋଇଯାଇଛି। ଫଳସ୍ବରୂପ ଏହାର ଫାଇଦା ଦଲାଲମାନେ ଅନ୍ୟ ରାଜ୍ୟକୁ ଧାନ ନେଇ ବିକ୍ରି କରିବାରେ ଲାଗିଛନ୍ତି। ସରକାର ବର୍ଷକୁ ଧାନ କିଣା ପାଇଁ ପ୍ରାୟ ୧୦୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ କରୁଛନ୍ତି। ଏଥିରୁ ଆର୍‌ଏମ୍‌ସି ୨୦ କୋଟି ଓ ଧାନ କିଣା ସମବାୟ ସଂସ୍ଥା ବର୍ଷକୁ ପ୍ରାୟ ୧୫ କୋଟି ଟଙ୍କା ରାଜସ୍ୱ ପାଉଛନ୍ତି। ତଥାପି ଭିତ୍ତିଭୂମିର ବିକାଶ ହେଉନଥିବା ବେଳେ ଧାନ କିଣା ବ୍ୟବସ୍ଥା ମିଲର୍ସ ହାତରେ ରହିଛି। କିଛି ମିଲର୍ସ ଟାର୍ଗେଟ ବାହାରେ ଫ୍ରିସେଲ ବ୍ୟବସ୍ଥା ଲାଗୁ ପାଇଁ ଦାବି କରି ଆସୁଛନ୍ତି। ହେଲେ ବାସ୍ତବତାକୁ ଦେଖି ସମୀକ୍ଷା କରାଯାଉ ନଥିବାରୁ ଏହାର ଫାଇଦା ଅନ୍ୟ ରାଜ୍ୟ ନେଉଥିବା ଏମାନେ କହିଛନ୍ତି। ତୁରନ୍ତ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ବ ଦେଇ ବିହିତ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe