ଶୁଖିଲା ପଡ଼ିଛି ରେଙ୍ଗାଳି ଡ୍ୟାମ୍: ବଡ଼ ବର୍ଷାକୁ ଅପେକ୍ଷା, ନଚେତ ସ୍ଥିତି ଶୋଚନୀୟ!

କୋଇଲା ସଂକଟ ସମୟରେ ଖର୍ଚ୍ଚ ହୋଇଥିଲା ଅଧିକ ଜଳ

ଶୁଖିଲା ପଡ଼ିଛି ରେଙ୍ଗାଳି ଡ୍ୟାମ୍: ବଡ଼ ବର୍ଷାକୁ ଅପେକ୍ଷା, ନଚେତ ସ୍ଥିତି ଶୋଚନୀୟ!

ଅନୁଗୁଳ: ବିଦ୍ୟୁତ୍‌ ଉତ୍ପାଦନ ପାଇଁ ରେଙ୍ଗାଳି ଡ୍ୟାମ୍‌ରେ ଜଳସ୍ତର ଅତି କମ୍‌ରେ ୧୦୯.୭୨ ମିଟର ରହିବା ଆବଶ୍ୟକ। ଆଜିର ତାରିଖରେ ଏଠାରେ ଜଳସ୍ତର ରହିଛି ୧୧୦.୪୦ ମିଟର। ଏପଟେ ୩ଟି ୟୁନିଟ୍‌ରେ ଏଠାରେ ବିଜୁଳି ଉତ୍ପାଦନ ହେଉଥିବାରୁ ୫୧.୨୮୬ କ୍ୟୁମେକ୍ସ ଜଳ ନିଷ୍କାସିତ ହେଉଛି। ଏମିତି ଆଉ କିଛି ଦିନ ଚାଲିଲେ ଓ ଏପଟେ ବଡ଼ ବର୍ଷା ନ ହେଲେ ଜଳସ୍ତର ସର୍ବନିମ୍ନ ସ୍ତରକୁ ଖସିଯିବା ଏକପ୍ରକାର ନିଶ୍ଚିତ। ରାଜ୍ୟକୁ ମୌସୁମୀ ଛୁଇଁବାର ପାଖାପାଖି ୩ ସପ୍ତାହ ପରେ ରେଙ୍ଗାଳି ଡ୍ୟାମ୍‌ର ଏମିତି ସ୍ଥିତି ମୁଣ୍ଡବ୍ୟଥାର କାରଣ ସାଜିଛି। ଗତବର୍ଷ ଆଜିର ତାରିଖରେ ଏଠାରେ ଜଳସ୍ତର ୧୧୪.୮୦ ମିଟର ରହିଥିଲା। ଏବେ ଏହି ତୁଳନାରେ ୪ ମିଟର କମ୍ ପାଣି ରହିଛି। ଏମିତି ନିମ୍ନ ଜଳସ୍ତର କାରଣରୁ ଆଗକୁ ବିଜୁଳି ଉତ୍ପାଦନ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ଏହାସହିତ ସମଲ ବ୍ୟାରେଜ୍‌ର ଜଳସ୍ତର କମିବ। ଫଳରେ ପାନୀୟ ଜଳସଂକଟ ସହ ବ୍ରାହ୍ମଣୀ ନଦୀର ତଳମୁଣ୍ଡକୁ ଜଳଯୋଗାଣରେ ସମସ୍ୟା ହେବାର ଆଶଙ୍କା ପ୍ରକାଶ ପାଇଛି।

ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ନିକଟରେ ବ୍ରାହ୍ମଣୀ ନଦୀ ଉପରେ ନଦୀବନ୍ଧ ଯୋଜନା ହୋଇଛି। ବନ୍ୟା ନିୟନ୍ତ୍ରଣ ସହ ବିଦ୍ୟୁତ୍‌ ଉତ୍ପାଦନ, ପାନୀୟ ଜଳ, ଶିଳ୍ପ ସଂସ୍ଥାକୁ ଜଳ ଯୋଗାଣରେ ଏହି ଡ୍ୟାମ୍ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛି। ରେଙ୍ଗାଳି ଡ୍ୟାମ୍‌ର ତଳମୁଣ୍ଡରେ ଥିବା ସମଲ ବ୍ୟାରେଜ୍‌ରୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ପାନୀୟ ଜଳ ଯୋଗାଇ ଦିଆଯାଉଥିଲାବେଳେ ବିଭିନ୍ନ ଶିଳ୍ପ ସଂସ୍ଥା ମଧ୍ୟ ଏଠାରୁ ପାଣି ନେଉଛନ୍ତି। ସେହିପରି ବ୍ୟାରେଜ୍‌ର ତଳମୁଣ୍ଡରେ ଥିବା ନଦୀର ଜଳ ଉପରେ ଢେଙ୍କାନାଳର ଶିଳ୍ପ ସଂସ୍ଥାମାନେ ନିର୍ଭରଶୀଳ। କିନ୍ତୁ ଏଥର ଡ୍ୟାମ୍‌ରେ ଜଳାଭାବ ଏହି ସବୁ ବ୍ୟବସ୍ଥାକୁ ସଂକଟ ଭିତରକୁ ଟାଣି ନେଇଛି। ଚଳିତବର୍ଷ ଖରାଦିନେ ବହୁତ ଅଳ୍ପ ବର୍ଷା ହୋଇଛି। ଜୁନରେ ବଡ଼ ବର୍ଷାର ଆଶା ରହିଥିଲେ ମଧ୍ୟ ନିରାଶ ହେବାକୁ ପଡ଼ିଛି। ତେଣୁ ସ୍ବାଭାବିକ ଭାବେ ଜଳସ୍ତର କମିଛି। ଏମିତି ସ୍ଥିତି ପଛରେ କୋଇଲା ସଂକଟ ମଧ୍ୟ ଏକ ପ୍ରମୁଖ କାରଣ ଥିବା ଜଣାପଡ଼ିଛି। ଏପ୍ରିଲ ଓ ମେ ମାସ ବେଳକୁ ସାରା ଦେଶରେ କୋଇଲା ସଂକଟ ହେବାରୁ ଥର୍ମାଲ ପାୱାର ପ୍ଲାଣ୍ଟଗୁଡ଼ିକରୁ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲା। ତେଣୁ ଜଳବିଦ୍ୟୁତ୍ ଉପରେ ଅଧିକ ନିର୍ଭର କରିବାକୁ ପଡ଼ିଥିଲା। ଏହି ସମୟରେ ରେଙ୍ଗାଳିରେ ବିଦ୍ୟୁତ୍ ଉତ୍ପାଦନ ବୃଦ୍ଧି କରାଯାଇଥିବାରୁ ଅଧିକ ଜଳ ନିଷ୍କାସିତ ହୋଇଥିଲା। ତେଣୁ ଡ୍ୟାମ୍‌ର ଜଳସ୍ତର ସ୍ବାଭାବିକ ଭାବେ କମିଛି।

ଡ୍ୟାମ୍‌ରେ ଏବେ ଜଳସ୍ତର କମ୍ ଥିବାରୁ ବିଜୁଳି ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଅଧିକ ବିଜୁଳି ଉତ୍ପାଦନ କରାଯାଉନି। କେବଳ ତଳମୁଣ୍ଡକୁ ପାଣି ଛାଡ଼ିବା ପାଇଁ ୩ଟି ୟୁନିଟ୍‌କୁ ଚଲାଯାଇଛି। କାରଣ ଏଠାରେ ବିଜୁଳି ଉତ୍ପାଦନ ହେଲେ ଯାଇ ଡ୍ୟାମର ତଳମୁଣ୍ଡରେ ଥିବା ସମଲ ବ୍ୟାରେଜକୁ ପାଣି ଯିବ। ଆଉ ଏଠାରୁ ପାନୀୟ ଜଳଯୋଗାଣ ସହ ଶିଳ୍ପସଂସ୍ଥାକୁ ଜଳ ଯୋଗାଇ ଦିଆଯିବ। ତେଣୁ ଆଗକୁ ବଡ଼ ବର୍ଷା ନ ହେଲେ ସ୍ଥିତି ଶୋଚନୀୟ ହୋଇପଡ଼ିବ। ଏଥିନେଇ ଓଡ଼ିଶା ଜଳବିଦ୍ୟୁତ୍ ନିଗମର ବରିଷ୍ଠ ସାଧାରଣ ପରିଚାଳକ ରୁଦ୍ରମୋହନ ରାୟ କହିଛନ୍ତି ଯେ, ଡ୍ୟାମର ଜଳସ୍ତର କମ୍ ଥିବାରୁ ଅଧିକ ବିଜୁଳି ଉତ୍ପାଦନ କରାଯାଉନି। କେବଳ ତଳମୁଣ୍ଡକୁ ପାଣି ଯୋଗାଇବା ଉଦ୍ଦେଶ୍ୟରେ ଅଳ୍ପ କିଛି ସମୟ ପାଇଁ ବିଜୁଳି ଉତ୍ପାଦନ କରାଯାଉଛି। ଏ ବର୍ଷ ବର୍ଷା କମ୍ ସାଙ୍ଗକୁ ଏପ୍ରିଲ ମାସରେ କୋଇଲା ସଂକଟ ପାଇଁ ଅଧିକ ବିଜୁଳି ଉତ୍ପାଦନ କାରଣରୁ ଡ୍ୟାମ୍‌ର ଜଳସ୍ତର କମିଛି। ତେବେ ବର୍ଷା ଆରମ୍ଭ ହୋଇଥିବାରୁ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe