ଉଜୁଡ଼ିଗଲାଣି ଗବେଷକଙ୍କ ଅନ୍ତୁଡ଼ିଶାଳ; ରକ୍ଷଣାବେକ୍ଷଣ ଅଭାବ, ନଷ୍ଟ ହେଉଛି ମୂଲ୍ୟବାନ ପୁସ୍ତକ

Advertisment
ଉଜୁଡ଼ିଗଲାଣି ଗବେଷକଙ୍କ ଅନ୍ତୁଡ଼ିଶାଳ; ରକ୍ଷଣାବେକ୍ଷଣ ଅଭାବ, ନଷ୍ଟ ହେଉଛି ମୂଲ୍ୟବାନ ପୁସ୍ତକ

ପୁରୀ : ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ସହ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଗବେଷଣାରତ ଗବେଷକ, ବିଷାରଦମାନଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୩୦ ବର୍ଷ ତଳେ ଆରମ୍ଭ ହୋଇଥିଲା ‘ଶ୍ରୀଜଗନ୍ନାଥ ସେଣ୍ଟର ଅଫ୍‌ ଲାଇବ୍ରେରି ଆଣ୍ଡ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌’। କିନ୍ତୁ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଅସରନ୍ତି ଜ୍ଞାନର ଭଣ୍ଡାର ତଥା ପ୍ରସିଦ୍ଧ ଗବେଷକ, ବିଷାରଦମାନଙ୍କ ଏହି ଅନ୍ତୁଡ଼ିଶାଳ ଆଜି ଅବହେଳିତ। ସରକାରୀ ଇଚ୍ଛାଶକ୍ତି ଓ ଦୂରଦୃଷ୍ଟିର ଅଭାବ ପାଇଁ ଆଜି ୩୦ ବର୍ଷ ପୁରୁଣା ଏହି ପାଠାଗାରର ସ୍ମୃତିରେ ଲୀନ ହେବାକୁ ବସିଛି।

୧୯୯୦ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପରିସରରେ ଶ୍ରୀଜଗନ୍ନାଥ ପାଠାଗାରର ଶୁଭାରମ୍ଭ କରାଗଲା। ଯେହେତୁ ଏହା କ୍ରମେ ଗବେଷକଙ୍କ ପେଣ୍ଠସ୍ଥଳୀ ପାଲଟିଲା, ବହୁ ଗବେଷକ ଆସି ଏଠାରେ ସଂରକ୍ଷିତ ପୁସ୍ତକକୁ ଅନୁସରଣ କଲେ, ପରେ ଏହାର ନାମ ପରିବର୍ତ୍ତନ ହୋଇ ‘ଶ୍ରୀଜଗନ୍ନାଥ ସେଣ୍ଟର ଅଫ ଲାଇବ୍ରେରି ଓ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ’ ରଖାଗଲା। ମିଳିଥିବା ସୂଚନା ମୁତାବକ, ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ୫ହଜାର ପୁସ୍ତକ ଓ ମାଗାଜିନ୍‌ ଏଠାରେ ଥିଲା। ଯେଉଁଥିରୁ ଅଧିକାଂଶ ପୁସ୍ତକ ବହୁ ପୁରୁଣା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଅନେକ ଗୂଢ଼ ତଥ୍ୟ ଏଥିରେ ଉଲ୍ଲେଖ ରହିଥିଲା। କେବଳ ଓଡ଼ିଆ ନୁହେଁ, ଅନେକ ଇଂରାଜୀ, ବେଙ୍ଗଲି, ସଂସ୍କୃତ, ହିନ୍ଦୀ ପୁସ୍ତକ ବି ଏଠାରେ ରଖାଯାଇଥିଲା। ଏଣୁ କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରୁ ବି ଯେଉଁମାନେ ଶ୍ରୀଜଗନ୍ନାଥ ସଂସ୍କୃତି ବିଷୟରେ ଜାଣିବାକୁ ଚାହୁଥିଲେ, ଏହି ପାଠାଗାର ସେମାନଙ୍କ ପାଇଁ ପ୍ରକୃଷ୍ଠ ସ୍ଥାନ ଥିଲା। ଅନେକ ପିଏଚ୍‌ଡି ଛାତ୍ରଛାତ୍ରୀ ବି ଏହି ପାଠାଗାର ପୁସ୍ତକକୁ ଅନୁସରଣ କରୁଥିଲେ। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏହି ପାଠାଗାରର କୋଠା ଭଗ୍ନ ଅବସ୍ଥାକୁ ଚାଲିଗଲା।

publive-image

ପୂର୍ବ କାଳର କଡ଼ିବରଡ଼ା ଛାତର ମରାମତି ନ କରାଯିବାରୁ ଛେଲା ଛେଲା ସିମେଣ୍ଟ ଛାତ, କାନ୍ଥରୁ ଖସିଲା। ରକ୍ଷଣାବେକ୍ଷଣ ଅଭାବରୁ ଅନେକ ପୁସ୍ତକ ନଷ୍ଟ ହୋଇଗଲା। ବହୁ ପୁସ୍ତକକୁ ଉଈ ଚରିଗଲେ। ପ୍ରଳୟଙ୍କରୀ ବାତ୍ୟା ‘ଫନି’ ସବୁଠୁ ଅଧିକ ଦୁର୍ଦ୍ଦଶା ଆଣିଦେଲା। ‘ଫନି’ରେ ଏହି ପାଠାଗାରରେ ପାଣି ପଶି ଅନେକ ମୂଲ୍ୟବାନ ପୁସ୍ତକ ଓଦା ହୋଇ ନଷ୍ଟ ହୋଇଗଲା। ଏହା ପରଠୁ ଯେଭଳି ଏହି ପାଠାଗାର ବନ୍ଦ ପଡ଼ିଛି। ସାମାନ୍ୟ ବର୍ଷାରେ ପାଠାଗାରରେ ପାଣି ଗଳୁଛି। ପାଠାଗାରକୁ ଆଉ ଆଗଭଳି ଗବେଷକ କି ପାଠକ ଆସୁନାହାନ୍ତି।

ଶ୍ରୀମନ୍ଦିର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତି କହିଛନ୍ତି, ଶ୍ରୀଜଗନ୍ନାଥ ପାଠାଗାରକୁ ପରିକ୍ରମା ପ୍ରକଳ୍ପ ଯୋଜନାରେ ଅନ୍ତର୍ଭୁକ୍ତ କରିବାର ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe