ବିଦେଶୀ ପକ୍ଷୀଙ୍କ ଘର ବାହୁଡ଼ା ଆରମ୍ଭ

ନଳବଣରେ ଏବେ ବି ଲକ୍ଷାଧିକଙ୍କ ଭିଡ଼

ବିଦେଶୀ ପକ୍ଷୀଙ୍କ ଘର ବାହୁଡ଼ା ଆରମ୍ଭ

ବ୍ରହ୍ମଗିରି: ଚଳିତ ବର୍ଷ ସମଗ୍ର ଚିଲିକାରେ ୧୨ ଲକ୍ଷରୁ ଅଧିକ ପକ୍ଷୀଙ୍କ ଭିଡ଼ ଜମିଥିଲା। ଶୀତ ଚାରିମାସ ଚିଲିକାରେ ରହିବା ପରେ ଏବେ ପକ୍ଷୀମାନଙ୍କର ଘର ବାହୁଡ଼ା ଆରମ୍ଭ ହୋଇଛି। ମାଘ ମାସରେ ଏବେ ଶୀତ ନଥିବା ବେଳେ ଟାଣ ଖରା ଆରମ୍ଭ ହେଲାଣି। ଏହାରି ଭିତରେ ନଭେମ୍ବର ମାସ ଶେଷ ସପ୍ତାହରୁ ଚିଲିକାକୁ ଆସିଥିବା ସୁଦୁର ସାଇବେରିଆ, ହିମାଳୟ ପାଦଦେଶ, ଚାଇନା, ଲଦାଖ, କାଜାଗିସ୍ତାନ ପ୍ରଭୃତି ଅଞ୍ଚଳର ପକ୍ଷୀମାନେ ଫେବ୍ରୁଆରି ମାସ ପ୍ରଥମ ସପ୍ତାହରୁ ବାହୁଡ଼ିବା ଆରମ୍ଭ କରିଛନ୍ତି।

ପ୍ରାୟ ୫ ଲକ୍ଷରୁ ଅଧିକ ପକ୍ଷୀଙ୍କ ଘର ବାହୁଡ଼ା ହୋଇ ସାରିଲାଣି। କିନ୍ତୁ ଚିଲିକାର ପକ୍ଷୀ ଅଭୟାଣ୍ୟ ନଳବଣ ଆଜି ମଧ୍ୟ ବିଦେଶୀ ପକ୍ଷୀଙ୍କ କଳରବରେ ପ୍ରକମ୍ପିତ ହେଉଛି। ରଙ୍ଗବେରଙ୍ଗର ବିଦେଶୀ ପକ୍ଷୀ ନଳବଣର ୧୫.୫ କିଲୋମିଟର ଅଞ୍ଚଳରେ ଭିଡ଼ ଜମାଇଛନ୍ତି। ବିଶେଷକରି ନଳବଣର ବଫର ଜୋନ୍‌, କୋର୍‌ ଏରିଆ ଓ ସେଣ୍ଟ୍ରାଲ ଏରିଆରେ ଏମାନଙ୍କ ଉପସ୍ଥିତି ସବୁଠାରୁ ଅଧିକ ରହିଛି। ଅନୂକୁଳ ପରିସ୍ଥିତି ସାଙ୍ଗକୁ ପ୍ରଚୁର ଖାଦ୍ୟ ମିଳୁଥିବାରୁ ଏଠାରେ ପକ୍ଷୀମାନେ ଡେରା ପକାଇ ରହିଛନ୍ତି। ଏ ନେଇ ଚିଲିକା ୱାଇଲ୍ଡ ଲାଇଫ୍‌ ଡିଭିଜନ୍‌ ଦାୟିତ୍ବରେ ଥିବା ପୁରୀ ଡିଏଫ୍‌ଓ ପି. ରାମସ୍ବାମୀଙ୍କୁ ପଚାରିବାରେ ସେ କହିଛନ୍ତି ଚିଲିକାର ନଳବଣରେ ବିଦେଶୀ ପକ୍ଷୀ ରହିଛନ୍ତି। ଏମାନଙ୍କ ସଂଖ୍ୟା ୭ ଲକ୍ଷରୁ ଅଧିକ ହେବ। ତେବେ ଅନ୍ୟ ଅଞ୍ଚଳରୁ ବିଦେଶୀ ପକ୍ଷୀଙ୍କ ଘର ବାହୁଡ଼ା ଆରମ୍ଭ ହୋଇଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe