ମାଲକାନଗିରି: ମାର୍ଚ୍ଚ ସରିନି ଗରମରୁ ନିସ୍ତାର ନାହିଁ। ତତଲା କଡ଼େଇରେ ପରିଣତ ହେଲାଣି ଉପାନ୍ତ ମାଲକାନଗିରି ଜିଲ୍ଲା। ତାତି ଛଟପଟ କରୁଥିଲା ବେଳେ ଜଳ ସଂକଟ ଲୋକଙ୍କୁ ଘାଣ୍ଟିଲାଣି। ବିଶେଷ କରି ଆଦିମ ଜନଜାତି ବସବାସ କରୁଥିବା ବଣ୍ଡାଘାଟିରେ ପରିସ୍ଥିତି ଅସମ୍ଭାଳ। ବଣ୍ଡାଘାଟିର ଅଣ୍ଡ୍ରାହାଲ ଓ ମୁଦୁଲିପଡ଼ା ପଞ୍ଚାୟତରେ ମୋଟ ୩୨ ଗାଁ ରହିଛି। ସରକାରୀ ରେକର୍ଡରେ ଘାଟିରେ ମାତ୍ର ୬୦ରୁ ୭୦ଟି ନଳକୂପ ରହିଛି। କିନ୍ତୁ ସେଥିରୁ କିଛି ଅଚଳ ଏବଂ ଆଉ କିଛିରୁ ବାହାରୁଥିବା ଗୋଳିଆ ପାଣି ବ୍ୟବହାରଯୋଗ୍ୟ ନୁହଁ। ଏମିତି ସ୍ଥିତିରେ ଲୋକେ ଝରଣା, ଚୁଆ ଏବଂ ଗଛ କୋରଡ଼ ଦେଇ ବୋହି ଯାଉଥିବା ପାଣିକୁ ପିଇବା ପାଇଁ ସଂଗ୍ରହ କରୁଛନ୍ତି। ଯେଉଁ କିଛି ନଳକୂପ ଭଲ ରହିଛି ସେଥିରୁ ପାଣି ନେବାକୁ ସକାଳୁ ସଂଜ ପର୍ଯ୍ୟନ୍ତ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ବିଡ଼ମ୍ବନା ହେଲା ଘାଟିରେ ଏମିତି କିଛି ଗାଁ ଅଛି ଯେଉଁଠି ପାଣିର କୌଣସି ଉତ୍ସ ନାହିଁ। ଯାହାର ଉଦାହରଣ ହେଲା ଦାନ୍ତିବଡ଼ା। ପ୍ରାୟ ଶହେ ପରିବାର ବସବାସ କରୁଥିବା ଏହି ଗାଁ ପାଇଁ ମାତ୍ର ଗୋଟିଏ ନଳକୂପ ରହିଛି।
ସେଥିରୁ ଅଧିକାଂଶ ସମୟରେ ପାଣି ବାହାରୁନି। ତେଣୁ ଚୁଆ ଓ ଝରଣାରୁ ପାଣି ନେବାକୁ ପ୍ରତିଯୋଗିତା। ତାହା ବି ଶୁଖିବାରେ ଲାଗିଛି। ଖରା ବଢ଼ିଲେ ଏହି ପ୍ରାକୃତିକ ଜଳ ଉତ୍ସ ସଂପୂର୍ଣ୍ଣ ଶୁଖିଯିବ ବୋଲି କୁହାଯାଉଛି। ବର୍ଷ ବର୍ଷ ଧରି ଲାଗି ରହିଥିବା ଏହି ସମସ୍ୟା ବିଷୟରେ ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ବାରମ୍ବାର ଜଣାଇବା ସତ୍ତ୍ବେ କୌଣସି ପଦକ୍ଷେପ ନିଆଯାଉନି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ପାନୀୟ ଜଳ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ସୁଦ୍ଧା ବଣ୍ଡାଘାଟିରେ ପ୍ରତିବର୍ଷ ଜଳ ସଂକଟ ଦେଖିବାକୁ ମିଳୁଛି। ଅବହେଳିତ ଅଞ୍ଚଳକୁ ଏଯାଏ ପକ୍କା ରାସ୍ତା ନାହିଁ। ତେଣୁ ନଳକୂପ ଖନନ ଗାଡ଼ି ଯାଇପାରୁନି। କୂଅ ଖୋଳି ଜଳ ଯୋଗାଇ ଦେବାକୁ ବାରମ୍ବାର ପ୍ରତିଶ୍ରୁତି ଦେଇ ଜନଜାତିଙ୍କୁ ବାରମ୍ବାର ପ୍ରତାରିତ କରାଯାଉଛି। ବଣ୍ଡା ଉନ୍ନୟନ ସଂସ୍ଥା ଜନଜାତିଙ୍କ ବିକାଶ କଥା କହୁଥିଲା ବେଳେ ପାଣି ଯୋଗାଇ ଦେବାରେ ବିଫଳ ହୋଇଛି। ଆଗକୁ ଗ୍ରୀଷ୍ମର ପ୍ରକୋପ ବଢ଼ିଲେ ଜନଜାତି ପାଣି ମୁନ୍ଦାଏ ପାଇଁ ଦହଗଞ୍ଜ ହେବା ନିଶ୍ଚିତ। ପ୍ରଶାସନ ପକ୍ଷରୁ ଏବେଠାରୁ ମୁକାବିଲା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେଉ ବୋଲି ଦାବି ହୋଇଛି।
Follow Us