କୂଳ ଖାଉଛି ମଙ୍ଗଳା ନଈ, ବଦଳୁଛି ଗତିପଥ: ପୁରୀର ସହରତଳି ଅଞ୍ଚଳ ବୁଡ଼ିବା ଆଶଙ୍କା

କୂଳ ଖାଉଛି ମଙ୍ଗଳା ନଈ, ବଦଳୁଛି ଗତିପଥ: ପୁରୀର ସହରତଳି ଅଞ୍ଚଳ ବୁଡ଼ିବା ଆଶଙ୍କା

ପୁରୀ: ପୁଣି ଅସ୍ବାଭାବିକ ରୂପ ନେଉଛି ମଙ୍ଗଳା ମୁହାଣ। ଗତିପଥ ବଦଳାଇଲାଣି। ତଥାପି କୁମ୍ଭକର୍ଣ୍ଣ ନିଦ୍ରାରେ ଜଳସମ୍ପଦ ବିଭାଗ ଓ ଜିଲ୍ଲା ପ୍ରଶାସନ। ନା ଏହାର ପ୍ରତିକାର ବ୍ୟବସ୍ଥା କରାଯାଉଛି, ନା ମୁହାଣରୁ ବାଲି ହଟାଯାଉଛି। ଫଳରେ ମଙ୍ଗଳା ନଈର ଜଳ ସମୁଦ୍ର ଜଳରାଶି ସହ ମିଶି କୂଳ ଲଂଘିବା ଆରମ୍ଭ କରିଛି। ଷ୍ଟର୍ଲିନ୍‌ ଛକରେ ବାମ ପାର୍ଶ୍ବକୁ ମାଡ଼ି ଆସି କୂଳ ଖାଇବା ସହ ପଥର ପ୍ୟାକିଂକୁ ସମ୍ପୂର୍ଣ୍ଣ ଗର୍ଭକୁ ଟାଣିନେଇଛି। ସେପଟେ ନଈ କୂଳରେ ଯେଉଁ ଚଲା ରାସ୍ତା ଥିଲା, ତାହା ନଦୀ ଗର୍ଭକୁ ଚାଲିଗଲାଣି। ଆଉ ନଦୀ କୂଳରେ ଚଲାବୁଲା କରିବାକୁ ରାସ୍ତା ନାହିଁ। ମଙ୍ଗଳା ନଈର ଏଭଳି ଅସ୍ବାଭାବିକ ପରିସ୍ଥିତିକୁ ନେଇ ପରିବେଶବିତ୍‌ମାନେ ଆଶଙ୍କା ପ୍ରକଟ କଲେଣି। ଆଗକୁ ନଈରେ ପାଣି ବଢ଼ିବ। ଉପରମୁଣ୍ଡରୁ ବିଭିନ୍ନ ନଦୀ ନାଳ ଦେଇ ଏହା ପୁରୀରେ ପହଞ୍ଚିବା ପରେ ମଙ୍ଗଳା ନଦୀର ଜଳ ପତନ ବୃଦ୍ଧି ପାଇବ। କୂଳ ଖାଇବା ସହ ଏହାର ଜଳରାଶି ସ୍ବେରେଜ୍‌ ଦେଇ ସହର ଭିତରେ ପଶିବ। ସହରତଳି ଅଞ୍ଚଳକୁ ବି ବୁଡ଼ାଇବା ଆଶଙ୍କା ସୃଷ୍ଟି କରିଛି।

ପୂର୍ବରୁ ମଙ୍ଗଳା ମୁହାଣ ଖୋଲା ରହୁଥିବାରୁ ସମୁଦ୍ର ସହ ମଙ୍ଗଳା ନଈ ଜଳ ମିଶିବାରେ କୌଣସି ବାଧା ଉପୁଜୁ ନଥିଲା। ଅତିରିକ୍ତ ଜଳ ଅତି ସହଜରେ ଏହି ବାଟ ଦେଇ ନିଷ୍କାସନ ହୋଇ ଯାଉଥିଲା। କିନ୍ତୁ ଗତ କିଛି ବର୍ଷ ହେବ ଷ୍ଟର୍ଲିନ୍‌ ଛକରେ ମଙ୍ଗଳା ମୁହାଣ ପୋତିହେବାରେ ଲାଗିଛି। ଜଳସମ୍ପଦ ବିଭାଗ ନିୟମିତ ମୁହାଣକୁ ସଫା କରୁନଥିବାରୁ ମୁଖ୍ୟ ମୁହାଣ ପୋତି ହୋଇ ମଙ୍ଗଳା ନଈର ଜଳରାଶି ଅସ୍ବାଭାବିକ ଭାବେ ବାମ ପାର୍ଶ୍ବକୁ ମାଡ଼ି ଆସୁଥିବା ଦେଖିବାକୁ ମିଳିଛି। ମୁହାଣ ନିକଟରେ ଯେଉଁ ନଈର ଜଳ ସିଧାସଳଖ ସମୁଦ୍ରରେ ମିଶୁଥିଲା, ତାହା ବାମପାର୍ଶ୍ବକୁ ମୁହାଁଇ ଏକାଧିକ ମୁହାଣ ତିଆରି କଲାଣି। ଏଭଳି ସ୍ଥିତିରେ ମଙ୍ଗଳା ନଈର ପାଣି ଏବେ ଷ୍ଟର୍ଲିନ୍‌ ଛକ ପାର୍ଶ୍ବକୁ ଧୀରେ ଧୀରେ କୂଳ ଖାଇବାରେ ଲାଗିଲାଣି। ଷ୍ଟର୍ଲିନ୍‌ ଛକରୁ ମଙ୍ଗଳାଘାଟ ଆଡ଼କୁ ଏକାଧିକ ସ୍ଥାନରେ ନଈବନ୍ଧ ସବୁ ଖାଇଯାଇଥିବା ଦେଖିବାକୁ ମିଳିଛି। ଅଧିକ ଗମ୍ଭୀର ସ୍ଥିତି ଦେଖିବାକୁ ମିଳିଛି ମୁହାଣ ପାଖରେ। ମଙ୍ଗଳା ମୁହାଣ ଦେଇ ଜଳ ନିଷ୍କାସନ ହୋଇପାରିବାରୁ କ୍ରମେ ସମୁଦ୍ର ଓ ମଙ୍ଗଳା ନଦୀର ଜଳରାଶି ଷ୍ଟର୍ଲିନ୍‌ ଛକ ରାସ୍ତା ପାର୍ଶ୍ବକୁ ମାଡ଼ିବାରେ ଲାଗିଛି। ଷ୍ଟର୍ଲିନ୍‌ ଛକ ରାସ୍ତା ପାଖରେ ବି ଏକ କୃତ୍ରିମ ପୋଖରୀ ସୃଷ୍ଟି ହେଲାଣି। ଯଦି ଏବେଠୁ ସତର୍କ ନଜର ରଖାନଯାଏ ତେବେ ଏହା ସ୍ଥାନୀୟ ଅଞ୍ଚଳର କିଛି ହୋଟେଲ୍ ପ୍ରତି ମଧ୍ୟ ବିପଦ ବଢ଼ାଇପାରେ। ନିକଟରେ ତିଆରି ହୋଇଥିବା ଷ୍ଟର୍ଲିନ୍‌ ରାସ୍ତା ବି ଧୋଇ ନେବାକୁ ବେଶି ଦିନ ଲାଗିବନି।

ଅତୀତରେ ମଙ୍ଗଳା ମୁହାଣ ସଫା କରିବା ପାଇଁ ଜଳସମ୍ପଦ ବିଭାଗ ଏକ ଆପ୍ରୋଚ୍‌ ରୋଡ୍‌ କରିଥିଲା। ଏହି ବାଟ ଦେଇ ପର୍ଯ୍ୟଟକମାନେ ମଙ୍ଗଳା ମୁହାଣ ନିକଟକୁ ଚାଲି ଚାଲି ଯାଇ ପାରୁଥିଲେ। କିନ୍ତୁ ଦୂରଦୃଷ୍ଟି ଅଭାବରୁ ଏହି ଆପ୍ରୋଚ୍‌ ନଦୀଗର୍ଭରେ ଲୀନ ହୋଇଯାଇଛି। ପରେ ମଙ୍ଗଳା ନଈର ବାମପାର୍ଶ୍ବ ବନ୍ଧ ଖାଇଯିବା ଆଶା କରି ପଥର ପ୍ୟାକିଂ ସବୁ ଦିଆଯାଇଥିଲା। ଏହା ବି ସମୁଦ୍ର ଗର୍ଭକୁ ଚାଲିଗଲାଣି। ଯେଉଁ ମୋରମ ୍‌ବିଛାଇ ଯେଉଁ ରାସ୍ତା କରାଯାଇଥିଲା, ତାହା ଧୋଇଗଲାଣି। ଅନ୍ୟପଟେ ମଙ୍ଗଳା ମୁହାଣରେ ଏଭଳି ସମସ୍ୟା ପରେ ମଙ୍ଗଳା ନଈର ବାମପାର୍ଶ୍ବରେ ମୁହାଣଠାରୁ କିଛିବାଟ ଜିଓ ସିନ୍ଥେଟିକ ୱାଲ୍‌ କରିବାକୁ ଯୋଜନା କରାଯାଇଥିଲା। କିନ୍ତୁ ଏହି ଯୋଜନା ପ୍ରସ୍ତାବରେ ଅଟକିଛି। ଜଳସମ୍ପଦ ବିଭାଗ ଅଧୀକ୍ଷକ ଯନ୍ତ୍ରୀ ଇଂ. ରତ୍ନାକର ଦଳାଇ କହିଛନ୍ତି, ନିକଟରେ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିବାକର ପାତ୍ର ବି ମଙ୍ଗଳା ନଦୀ ଓ ମୁହାଣ ସମ୍ପର୍କିତ ସମସ୍ୟା ନେଇ ଆସିଥିଲେ। ଆମେ ଘଟଣାସ୍ଥଳ ଅନୁଧ୍ୟାନ କରିଥିଲୁ। ମଙ୍ଗଳା ମୁହାଣ ପ୍ରତିବର୍ଷ ଖୋଳାଯାଏ। କିନ୍ତୁ ସମୁଦ୍ର ଜୁଆର ଫଳରେ ପୁନର୍ବାର ବାଲି ମୁହାଣ ବନ୍ଦ କରିଦିଏ। ଚଳିତବର୍ଷ ବି ମୁହାଣ ଖୋଳାଯିବ ବୋଲି ଇଂ. ଦଳାଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe