ପାଣିକୋଇଲି : କୋରେଇ ବ୍ଲକ୍ ମୂଳାପାଳ ଗ୍ରାମଠାରୁ ବୈତରଣୀ ସେତୁ ପର୍ଯ୍ୟନ୍ତ ନଦୀବନ୍ଧ ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତାରେ ମୂଳାପାଳ ପଞ୍ଚାୟତବାସୀ ବ୍ୟାଙ୍କ, ସ୍କୁଲ, କଲେଜ, ଲିଙ୍ଗେଶ୍ବର ଶିଶୁମନ୍ଦିର ଓ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାଆସିବା କରିଥାନ୍ତି। ଏହା ସଂପୂର୍ଣ୍ଣ ଭାବେ କାଦୁଅ ଭର୍ତ୍ତି ହୋଇଥିବାରୁ ଏଥିରେ ଯିବାଆସିବା କରିବା ଅସମ୍ଭବ ହୋଇପଡ଼ିଛି।
୧୬ ନମ୍ବର ଜାତୀୟ ରାଜପଥ ବୈତରଣୀ ସେତୁଠାରୁ ରୁଢ଼ିଆ ପର୍ଯ୍ୟନ୍ତ ନଦୀ ବନ୍ଧକୁ ସୁଦୃଢ଼ ଓ ଚଉଡ଼ା କରିବା ପାଇଁ ପ୍ରକଳ୍ପ ଅନୁମୋଦନ ହୋଇଥିଲା। ଏହାଦ୍ବାରା ଜାତୀୟ ରାଜପଥରୁ ଜିଲ୍ଲା ସଦର ମହକୁମା ଯାଜପୁର ଟାଉନକୁ ଯିବା ପାଇଁ ୫ କିଲୋମିଟର ରାସ୍ତା କମିଯିବ। ଖରାଦିନେ ଠିକାସଂସ୍ଥା ଓସିସି ପକ୍ଷରୁ ବନ୍ଧରେ ମାଟି ପକାଯାଇ ଚଉଡ଼ା କରାଯାଇଥିଲା। ବର୍ଷାଦିନ ପୂର୍ବରୁ କାମ ସରିବା କଥା। ମାତ୍ର କାମ ଅଧାପନ୍ତରିଆ ପକାଇ ରଖାଯାଇଛି। ଏନେଇ ଜଳସେଚନ ବିଭାଗ ଯନ୍ତ୍ରୀ ନାରାୟଣ ନାୟକଙ୍କୁ ପଚାରିବାରୁ ଓସିସିକୁ ତାଗିଦ କରାଯାଇଥିବା କହିଥିଲେ। ଦିନେ ଦୁଇଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ଚେଷ୍ଟା ଜାରି ରହିଛି ବୋଲି ସେ ପ୍ରକାଶ କରିଛନ୍ତି।
Follow Us